ଲାଞ୍ଚ ନେଇ ଧରାପଡ଼ିଲେ ଆର୍ଆଇ
ଫୁଲବାଣୀ : ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ସର୍କଲର ରାଜସ୍ୱ ନିରୀକ୍ଷକ ଦେବାଶିଷ ନାଏକ । ସୂଚନା ଅନୁସାରେ, ପାହିରାଜୁ ପଞ୍ଚାୟତ କୁସୁପାଜୁର ସୁଦର୍ଶନ କହଁର ନାମକ ଜଣେ ବ୍ୟକ୍ତି ଆବାସ ଯୋଜନାରେ ପାଇଥିବା ଗୃହ ନିର୍ମାଣ ପାଇଁ ଇଟା ଭାଟି କରିଥିଲେ । ସମ୍ପୃକ୍ତ ଆରଆଇ ଏହି ଇଟାଭାଟି ବେଆଇନ ଭାବରେ କରିଛ କହି ତାଙ୍କୁ ଧମକଚମକ ଦେଇଥିଲେ । ସାତ ହଜାର ଟଙ୍କା ଲାଞ୍ଚ ନ ଦେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ । ଫଳରେ ସୁଦର୍ଶନ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ଆଜି ଦେବାଶୀଷ କ୍ରାଣ୍ଡିବାଲି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଥିବା ନିଜ କାର୍ଯ୍ୟାଳୟରେ ସୁଦର୍ଶନଙ୍କ ଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରିବା ବେଳେ ପୂର୍ବ ପ୍ରସ୍ତୁତି ପ୍ରକାରେ ଫୁଲବାଣୀ ଭିଜିଲାନ୍ସ ଡ଼ିଏସପି ହେମନ୍ତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଏକ ଟିମ ତାଙ୍କୁ ଧରିଥିଲେ । ତାଙ୍କ ଠାରୁ ସାତ ହଜାର ଟଙ୍କା ଜବତ କରାଯିବା ସହ ଆୟ ବହିର୍ଭୁତ ସମ୍ପତ୍ତି ନେଇ ଦୁଇଟି ସ୍ଥାନରେ ଚଢାଉ କରାଯାଇଛି । ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଏ ନେଇ ଏକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ଭିଜିଲାନ୍ସ ଡିଏସପି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।