ଲିଫ୍ଟ ବାହାନାରେ ଯୁବକଙ୍କୁ ଲୁଟ୍, ୨ ଗିରଫ
ଜଟଣୀ: ଲିଫ୍ଟ ବାହାନାରେ ଜଣେ ଯୁବକଙ୍କୁ ମାଡ଼ ମାରି ଲୁଟ୍ପାଟ୍ କରିବା ଅଭିଯୋଗରେ ଜଟଣୀ ଥାନା ପୁଲିସ ଏକ ମାମଲା ରୁଜୁକରି ତଦନ୍ତ କରିବା ସହ ସ୍ଥାନୀୟ ବାଛରା ଗ୍ରାମର ମିଥୁନ ଘଡ଼େଇ (୨୭) ଓ ରାକେଶ ମଙ୍ଗରାଜ (୩୦) ନାମକ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୧୨ ତାରିଖ ସନ୍ଧ୍ୟାରେ ତୋଫାନ ନାୟକ ନାମକ ଜଣେ ଯୁବକ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟରୁ ଫେରୁଥିବା ବେଳେ, ଦୁଇ ଅଭିଯୁକ୍ତ ଏକ ବାଇକରେ ଆସି ତାଙ୍କୁ ରାସ୍ତାରେ ଅଟକାଇ ତାଙ୍କ ସହିତ ବନ୍ଧୁତା କରିବାର ଛଳନା କରିଥିଲେ ଏବଂ ତାଙ୍କୁ ନିଜ ବାଇକରେ ବସାଇ ଏକ ନିଛାଟିଆ ସ୍ଥାନକୁ ନେଇଯାଇ ସେଠାରେ ତାଙ୍କୁ ମାଡ଼ ମାରିବା ସହିତ ପାଖରେ ଥିବା ନଗଦ ୪୫୦୦ ଟଙ୍କା, ଦୁଇଟି ସୁନାମୁଦି ଏବଂ ଅନଲାଇନ ମାଧ୍ୟମରେ ମୋଟ ୨୦, ୮୦୦ ଟଙ୍କା ଜୋରଜବରଦସ୍ତ ନେଇଯାଇଥିଲେ । ଏନେଇ ଅଭିଯୋଗ ହେବା ପରେ ଜଟଣୀ ଥାନା ପୁଲିସ ମାମଲାର ତଦନ୍ତ କରିବା ସହିତ ଦୁଇ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାରେ ସକ୍ଷମ ହୋଇଥିଲେ । ଛାନଭିନ ସମୟରେ ପୁଲିସ ବାଇକ୍ ଏବଂ ୧୦,୫୦୦ ଟଙ୍କା ଜବତ କରିଥିଲେ । ପଚରା ଉଚରା ବେଳେ, ଉଭୟ ନିଜର ଅପରାଧ ସ୍ୱୀକାର କରିଥିଲେ । ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଅଭିଯୁକ୍ତ ମିଥୁନ ଘଡେଇଙ୍କ ନାମରେ ପୂର୍ବରୁ ମଧ୍ୟ ଜଟଣୀ ଥାନାରେ ୩ଟି ଓ ଇନ୍ଫୋଭ୍ୟାଲି ଥାନାରେ ଗୋଟିଏ ମାମଲା ରହିଥିବା ଥାନାଧିକାରୀ ସୌମ୍ୟକାନ୍ତ ବଳିଆରସିଂହ ପ୍ରକାଶ କରିଛନ୍ତି ।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
