ଶରଧା ବାଲି
କବୀର କୁମାର ଜେନା : ଆମେ ମହାପ୍ରଭୁଙ୍କ ଲୀଳା ମାହାତ୍ମ୍ୟ ଆଲୋଚନା କରୁଥିବାବେଳେ ଆମ ଆଖି ସାମ୍ନାରେ ପଡ଼ୁଛନ୍ତି ମହାନ ଭକ୍ତ ଓଡ଼ିଆ କବି ବନମାଳୀ । ଅଷ୍ଟାଦଶ ଶତାବ୍ଦୀର ଓଡ଼ିଆ କବି ବନମାଳୀ ଜଗନ୍ନାଥଙ୍କୁ ଧନ, ଜନ, ସୁଖ, ଐଶ୍ୱର୍ଯ୍ୟ, ସମ୍ପତ୍ତି କିଛି ନମାଗି ମାଗିଛନ୍ତି ଶରଧା ବାଲିରୁ ହାତେ । ତାଙ୍କ ଲେଖନୀର ଧାଡ଼ିଟି ହେଉଛି - "ଜଗନ୍ନାଥ ହୋ! କିଛି ମାଗୁନାହିଁ ତୋତେ । ଧନ ମାଗୁ ନାହିଁ, ଜନ ମାଗୁ ନାହିଁ ମାଗୁଛ ଶରଧା ବାଲିରୁ ହାତେ ।' ବାସ୍ତବରେ ଶରଧା ବାଲି ସମ୍ପର୍କରେ ଅନେକ କୌତୁହଳୀ ଲେଖନୀ ସବୁ ଆମେ ପଢ଼ିଛୁ । ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ମାଉସୀ ମା' ମନ୍ଦିର ବା ଗୁଣ୍ଡିଚା ମନ୍ଦିର ନିକଟରେ ରହିଥିବା ବାଲି ହିଁ ଶ୍ରଦ୍ଧାର ବାଲି ଆଉ ଶରଧା ବାଲି । ଇଏ ସେହି ପାବନ ଭକ୍ତି ସମର୍ପଣର ବାଲି ଯାହା ପ୍ରତିଟି ଜଗନ୍ନାଥ ଶ୍ରଦ୍ଧାଳୁଙ୍କ ପାଇଁ ଅତ୍ୟନ୍ତ ପବିତ୍ର । ଏଇଥିପାଇଁ ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ସନ୍ନିକଟ ବାଲିକୁ ଶରଧା ବାଲି ବୋଲି ବୁଝିଥାନ୍ତି ।
ଐତିହାସିକ ତଥ୍ୟ ଓ କିମ୍ବଦନ୍ତୀର ଘଟଣା ଅନୁଯାୟୀ ପୁରୀ ବଡ଼ଦାଣ୍ଡ ଓ ଗୁଣ୍ଡିଚା ମନ୍ଦିର ଏହାର ମଧ୍ୟ ଦେଇ ପ୍ରବାହିତ ହେଉଥିଲା ମାଳିନୀ ନଦୀ ଯାହା ରଥଦାଣ୍ଡ ଓ ଗୁଣ୍ଡିଚା ଦାଣ୍ଡକୁ ଦୁଇଭାଗ କରୁଥିଲା । ଏହି କାରଣ ପାଇଁ ଗୁଣ୍ଡିଚା ମନ୍ଦିର ନିକଟକୁ ଶ୍ରୀଜୀଉଙ୍କ ରଥ ଯିବା ଅସମ୍ଭବ ଥିଲା । ତେଣୁ ନଦୀ ଆରପଟେ ଅର୍ଥାତ୍ ଗୁଣ୍ଡିଚା ମନ୍ଦିର ପଟେ ଆଉ ତିନିଗୋଟି ରଥ ତିଆରି କରାଯାଉଥିଲା । ତେବେ ଅନେକ ବର୍ଷ ପରେ ଏହା ଶ୍ରଦ୍ଧାଳୁ ମାନଙ୍କ ପାଇଁ ଅସୁବିଧା ଜନକ ହେଉଥିଲେ ମଧ୍ୟ ଖ୍ରୀଷ୍ଟୀୟ ତ୍ରୟୋଦଶ ଶତାବ୍ଦୀରେ ତକ୍ରାଳୀନ ଗଜପତି ରାଜା ଦ୍ୱିତୀୟ ନରସିଂହ ଦେବଙ୍କ ରାଣୀ ଶ୍ରଦ୍ଧା ଦେବୀ ଭକ୍ତଜନଙ୍କ କଷ୍ଟକୁ ଲକ୍ଷ୍ୟ କରି ଏହି ମାଳିନୀ ନଦୀକୁ ପୋତି ଦେବାର ପରାମର୍ଶ ରାଜାଙ୍କୁ ଦେଇଥିଲେ । ଯାହାଦ୍ୱାରା ଶ୍ରୀଜୀଉଙ୍କ ରଥ ସିଧାସଳଖ ଗୁଣ୍ଡିଚା ମନ୍ଦିରକୁ ଯିବା ସମ୍ଭବପର ହୋଇପାରିବ । ଏହି ନଦୀ ପୋତା ହେବା ପରେ ଭକ୍ତଜନ ଶ୍ରୀଜୀଉଙ୍କ ରଥକୁ ବଡ଼ ଆନନ୍ଦ ଉଲ୍ଲାସର ସହିତ ମାଉସୀ ମାଆ ମନ୍ଦିର ପର୍ଯ୍ୟନ୍ତ ନେଇଥାନ୍ତି । ରାଣୀ ଶ୍ରଦ୍ଧାଦେବୀଙ୍କ ସଂକଳ୍ପ ଓ ଇଛା ଅନୁଯାୟୀ ସେହି ଦିନରୁ ସେହି ସ୍ଥାନଟିର ନାମ ଶରଧା ବାଲି ହୋଇ ରହିଯାଇଛି । ସେହି ଦିନଠାରୁ ଶରଧା ନଦୀର ବାଲିକୁ ଭକ୍ତଜନମାନେ ଶ୍ରଦ୍ଧାରେ ଶରଧା ବାଲି ବୋଲି ବିବେଚନା କଲେ ।
ମୋ : ୮୯୧୭୩୭୭୯୮୭