ଶାରଦୀୟ ପୂଜା ପାଇଁ  ଖଣି ଅଞ୍ଚଳ ଉତ୍ସବମୁଖର 

 କାଳିଆପାଣି : ଶାରଦୀୟ ଦୁର୍ଗା ପୂଜା ପାଇଁ ଖଣି ଅଂଚଳ ଉସôବ ମୁଖରିତ ହୋଇପଡିଛି । କାଳିଆପାଣି ଖଣି ଅଂଚଳର ବହୁ ଆକାଂକ୍ଷିତ ଦୁର୍ଗାପୂଜା ଆଜିଠାରୁ ବଡ଼ ଧୂମଧାମରେ ଆରମ୍ଭ ହୋଇଛି । ଦୀର୍ଘ ୭୦ମସିହା ଠାରୁ ଖଣି ଅଂଚଳରେ ଗଣପର୍ବରେ ପରିଣତ ହୋଇଥିବା ଦୁର୍ଗାପୂଜା ଚଳିତବର୍ଷ ସମ୍ଭାବ୍ୟ ବର୍ଷାର ପ୍ରକୋପ ମଧ୍ୟରେ ଆରମ୍ଭ ହୋଇଯାଇଛି । କାଳିଆପାଣି ଅଂଚଳର ଏହି ପ୍ରସିଦ୍ଧ ଦୁର୍ଗାପୂଜାର ଇତିହାସକୁ ଖୋଜିଲେ ଜଣାଯାଏ ଯେ ଏହାର ଅତୀତ ଟାଟା କମ୍ପାନୀ ଦ୍ୱାରା ବା ଟାଟା ଷ୍ଟିଲ ସୁକିନ୍ଦା କ୍ରୋମାଇଟ ମାଇନ୍ସ କଲରଙ୍ଗୀ ଅତା ଠାରେ ସର୍ବପ୍ରଥମେ ଆରମ୍ଭ କରାଯାଇଥିଲା । ଏକ ଟିଣ ଆଜବେଷ୍ଟସ ଘରୁ ଆରମ୍ଭ କରାଯାଇଥିବା ଦୁର୍ଗାପୂଜା ଆଜି ଏହାର କାୟା ବିସ୍ତାର କରି ଏ ଅଂଚଳବାସୀଙ୍କ ପାଇଁ ମନୋରଞ୍ଜନର ଏକ ଅଭୁତପୂର୍ବ ସାଧନ ସାଜିଛି ।କାଳିଆପାଣି ଅଂଚଳକୁ ସଂଯୋଗ କରୁଥିବା କେନ୍ଦୁଝର ଓ ଢେଙ୍କାନାଳ ଜିଲ୍ଲାର ହଜାର ହଜାର ଲୋକଙ୍କ ବର୍ଷକରେ ଥରେ ଏହି ଦୁର୍ଗାପୂଜାକୁ ଉପଭୋଗ କରିବାର ସୁଯୋଗ ଆଣିଥାଏ । ତେବେ ଗତ କୋଭିଡ ପରଠାରୁ ଏକ ଅନିଶ୍ଚିତ ପରିସ୍ଥିତିରେ ଗତିକରି ଏହି ଦୁର୍ଗାପୂଜା ମହୋତ୍ସବ ଏହାର ସ୍ଥିତି ବଜାଏ ରଖି ପାରିଛି । ଅନେକ ରାଜନୈତିକ ତିକ୍ତତା ସତ୍ୱେ ସାର୍ବଜନୀନ ଦୁର୍ଗାପୂଜା ଖଣି ଅଂଚଳର ଏକତା, ବନ୍ଧୁତ୍ୱ ଓ ଭାଇଚାରାକୁ ଯୋଡି ରଖିବାରେ ସମର୍ଥ ହୋଇଛି । ପ୍ରତିବର୍ଷ ଦୀର୍ଘ ଦଶଦିନ ଧରି ହଜାର ହଜାର ଲୋକ ଦଶହରା ବା ଦୁର୍ଗାପୂଜାରେ ଲାଗିଥିବା ମିନାବଜାର, ଦୋଳି, ଏବଂ ଅନ୍ୟାନ୍ୟ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖିବାକୁ ଭିଡ଼ ଜମାଇଥାନ୍ତି । ଚଳିତବର୍ଷ ମଧ୍ୟ ଏହାର ମୁଖ୍ୟ ଆକର୍ଷଣ ସାଜିଥିବା ରାବଣ ପୋଡି ଦେଖିବାକୁ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଯଦି ପାଗ ଶୁଖିଲା ରୁହେ ତେବେ  ବିଗତ ବର୍ଷ ଗୁଡିକରେ ରାବଣ ପୋଡିର ଭିଡ଼ ଠାରୁ ଅଧିକ ରେକର୍ଡ ସଂଖ୍ୟକ ଲୋକ ଭିଡ଼ ଜମାଇ ପାରନ୍ତି ବୋଲି ଆଶା କରାଯାଉଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ଦୁର୍ଗାପୂଜା ତ୍ୱରଣ ଅଧିକ ସୁନ୍ଦର ହୋଇଛି । ତେବେ ସମ୍ଭାବ୍ୟ ବର୍ଷାର ଆଶଙ୍କା ଏହାକୁ କେତେ ପ୍ରଭାବିତ କରିପାରୁଛି ତାହାକୁ ନେଇ ଲୋକଙ୍କ ମନରେ ଭୟଜାଗ୍ରତ ହୋଇଛି ।