ଶିଳ୍ପନଗରୀରେ ଉକ୍ରଟ ଜଳସଂକଟ

 ତାଳଚେର: ଶିଳ୍ପନଗରୀ ତାଳଚେର ଅଞ୍ଚଳରେ ଦିନକୁ ଦିନ ଗ୍ରୀଷ୍ମତାପ ବୃଦ୍ଧିପାଇବା ସହ ଉକ୍ରଟ ଜଳସଂକଟ ଦେଖାଦେଇଛି । ଫଳରେ ଲୋକମାନେ ପାନୀୟଜଳ ଟୋପେ ପାଇଁ ନାହିଁ ନ ଥିବା ହଇରାଣ ହରକତ ହେଉଥିବା ଦେଖାଦେଲାଣି । ତାଳଚେରରେ ଏକମାତ୍ର ଚିରୋସ୍ରୋତା ବ୍ରାହ୍ମଣୀ ଏବେ ଶୁଷ୍କ ଅବସ୍ଥାରେ ଗତି କରୁଛି । ସରକାରୀ ତଥ୍ୟ ଅନୁଯାୟୀ ଗତକାଲି ୩୯.୨ତାପମାତ୍ରା ଥିବାବେଳେ ଆଜି ଏହା ବୃଦ୍ଧି ପାଇ ୩୯.୪ଡ଼ିଗ୍ରୀ ଏବଂ ବେସରକାରୀସ୍ତରରେ ୪୨ଡ଼ିଗ୍ରୀ ତାପମାତ୍ର ରହୁଥିବା କୁହାଯାଉଛି । ତେବେ ସକାଳ ୯ଟା ବାଜିଲେ ଖରାର ତେଜ ପ୍ରଖର ହେଉଥିବାରୁ ପଦାକୁ ବାହାରିବା ସମ୍ଭବପର ହେଉନାହିଁ ଏବଂ ମଧ୍ୟାହ୍ନ ସମୟରେ ବଜାରଘାଟ, ରାସ୍ତା ଜନଶୂନ୍ୟ ହୋଇପଡ଼ିଥାଏ । ତତଲା ଝାଞ୍ଜିପବନ, ଅସହ୍ୟ ଗୁଳୁଗୁଳି ସହିତ ଘନଘନ ବିଦୁ୍ୟତ୍ କାଟ୍ ଜନଜୀବନକୁ ଦହଗଞ୍ଜ କରୁଛି । ଶିଳ୍ପନଗରୀ ତାଳଚେର ଅଂଚଳରେ ଦିନକୁ ଦିନ ଉତାପ ଅସହ୍ୟ ହେଉଥିବାରୁ ଅଂଶୁଘାତ ହେବାର ଯଥେଷ୍ଟ ଆଶଙ୍କା ଦେଖାଦେଇଛି । ତାଳଚେର ଅଂଚଳରେ ଜଙ୍ଗଲ ହ୍ରାସ ସହିତ କଳକାରଖାନା ଓ ଛୋଟବଡ଼ ପ୍ରାୟ ୧୦ଟି କୋଇଲା ଖଣି ରହିଥିବା ହେତୁ ସେହି ଅନୁପାତରେ ଦିନକୁ ଦିନ ପାରଦ ଉପରମୁହାଁ ହେବାରେ ଲାଗିଛି । ପୂର୍ବରୁ ଚିରୋସ୍ରୋତା ବ୍ରାହ୍ମଣୀନଦୀରେ ପ୍ରଚୁର ଜଳ ରହୁଥିବାରୁ ଅଂଚଳବାସୀ ଏହି ନଦୀ ଉପରେ ନିର୍ଭରକରି ଚାଷବାସ କରିବା ସହ ସେମାନଙ୍କ ଜୀବୀକା ନିର୍ବାହ କରୁଥିଲେ । ମାତ୍ର ଏବେ ରେଙ୍ଗାଲି ଓ ସମଲ ଚେକ୍ଡ୍ୟାମ ଉପରମୁଣ୍ଡରେ ହେବା ପରେ ତଳମୁଣ୍ଡକୁ ଜଳ ସେତେଟା ପହଞ୍ଚô ପାରୁନାହିଁ, ଏବଂ ଯେତିକି ଜଳ ଆସୁଛି ତାକୁ କଳକାରଖାନା ଓ କୋଇଲା ଖଣି ପମ୍ପ ହାଉସ୍ ମାଧ୍ୟମରେ ଶୋଷି ନେଇଥାନ୍ତି । ଫଳରେ ଗ୍ରୀଷ୍ମଋତୁରେ ଜଳ ସଂକଟ ତାଳଚେର ଅଞ୍ଚଳରେ ଘୋର ଦେଖାଦେଉଛି । ଗଭୀର କୋଇଲା ଖଣି ଜନିତ କୂଅ,  ପୁଷ୍କରିଣୀ, ଜଳାଶ୍ରୟ ଇତ୍ୟାଦି ଏଠାରେ ନଭେମ୍ବର ମାସରୁ ଶୁଖିଲା ପଡ଼ି ଯାଇଥାଏ । ସେହିଭଳି ଅତ୍ୟଧିକ ଉତ୍ତାପ ଯୋଗୁଁ ପଶୁପକ୍ଷୀ ମଧ୍ୟ ଜଳକଷ୍ଟରେ ପ୍ରଭାବିତ ହେବା ଆରମ୍ଭ କଲାଣି । ଏପର୍ଯ୍ୟନ୍ତ ସୁଦ୍ଧା ସ୍ଥାନୀୟ ପ୍ରଶାସନ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଗୁଡ଼ିକରେ ଜଳଛତ୍ରର ବ୍ୟବସ୍ଥା ହୋଇନଥିବାରୁ ପଥଚାରୀମାନେ ପାଣିଟୋପେ ପାଇଁ ହଇରାଣ ହରକତ ହେଉଛନ୍ତି । ତେଣୁ ତୁରନ୍ତ ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।