ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଉତ୍ତର ଓଡ଼ିଶା ବିଧାୟକ

 ବାଲେଶ୍ୱର:  ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ଜିଲ୍ଲା ଓ ସଂସଦୀୟ କ୍ଷେତ୍ରର ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ପଦ୍ମଲୋଚନ ପଣ୍ଡା, ସନାତନ ବିଜୁଳି, ମାନସ ଦତ୍ତ, ସନ୍ତୋଷ ଖଟୁଆ ପ୍ରମୁଖ ଅନ୍ୟ ବରିଷ୍ଠ ନେତୃବୃନ୍ଦଙ୍କୁ ସାଥିରେ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କର ବିଧାନସଭା ସ୍ଥିତ କାର୍ଯ୍ୟାଳୟରେ ସାକ୍ଷାତ କରି ଉତ୍ତର ଓଡିଶାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବି ଉପସ୍ଥାପନ କରିଛନ୍ତି । ଏଥିସହିତ ଏ ବର୍ଷ ଭାରତ ସରକାର ଓଡିଶାକୁ ତିନୋଟି କେନ୍ଦ୍ରୀୟ ଅନୁଷ୍ଠାନ ଯଥା ଜାତୀୟ ଔଷଧ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ (ଏନ୍ଆଇପିଇଆର୍), ଅଖିଳ ଭାରତୀୟ ବାକ୍ ଏବଂ ଶ୍ରବଣ ପ୍ରତିଷ୍ଠାନ (ଏଆଇଆଇଏସ୍ଏଚ୍), ଜାତୀୟ ଫୋରେନସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ (ଏନ୍ଏଫ୍ଏସ୍ୟୁ) ମଞ୍ଜୁର କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ବିଧାୟକଗଣ କୃତଜ୍ଞତା  ଜ୍ଞାପନ କରିଥିଲେ । ପୂର୍ବରୁ ଦକ୍ଷିଣ ଓଡିଶାର କୋରାପୁଟରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ମଧ୍ୟଓଡ଼ିଶାର ଭୁବନେଶ୍ୱରରେ ଏମ୍ସ ଏବଂ ଆଇଆଇଟି, ପଶ୍ଚିମ ଓଡିଶାର ସମ୍ବଲପୁରରେ ଆଇଆଇଏମ୍ ହୋଇ ସାରିଛି । ଉତ୍ତର ଓଡିଶାରେ ଏପରି କୌଣସି କେନ୍ଦ୍ରୀୟ ଅନୁଷ୍ଠାନ ନାହିଁ । ତେଣୁ ଉତ୍ତର ଓଡିଶାର ବାଲେଶ୍ୱରରେ ଏନ୍ଆଇପିଇଆର, ଏଆଇଆଇଏସ୍ଏଚ, ଏନ୍ଏଫ୍ଏସ୍ୟୁ ଖୋଲିବା ପାଇଁ ଅନୁମୋଦନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଓ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।