ଶିଳ୍ପମନ୍ତ୍ରୀଙ୍କୁ ଭେଟିଲେ ଆଇଏଫଏସ ଅଧିକାରୀ
ଭୁବନେଶ୍ୱର : ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ଓଡିଶା ଗସ୍ତରେ ଆସିଥିବା ଭାରତୀୟ ବୈଦେଶିକ ସେବା ଅଧିକାରୀ ମନୋଜ କୁମାର ମହାପାତ୍ର, ଅମିତ ନାରଙ୍ଗ ଓ ଗ୍ଲୋରିଆ ଗାଙ୍ଗଟେ ଲୋକସେବା ଭବନଠାରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବୈଦେଶିକ ସେବା ଅଧିକାରୀମାନଙ୍କୁ ରାଜ୍ୟର ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି ଓ ଦକ୍ଷତା ବିକାଶ କାର୍ଯ୍ୟକ୍ରମ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ବହୁବିଧ ପଦକ୍ଷେପ ସମ୍ପର୍କରେ ଅବଗତ କରାଇ କହିଲେ ଯେ ଓଡିଶାରେ ପ୍ରଚୁର ଖଣିଜ ସମ୍ପଦ, ସୁଦୀର୍ଘ ଉପକୂଳ, ଗଭୀର ବନ୍ଦର ସହ ଦୃଢ ଶିଳ୍ପ ଭିତ୍ତିଭୂମି ରହିଛି । ଓଡିଶାର ଶିଳ୍ପନୀତି ସଂକଳ୍ପ-୨୦୨୨ ମାଧ୍ୟମରେ ନୀତିଗତ ନିଷ୍ପତ୍ତି ଗ୍ରହଣରେ ତ୍ୱରାନ୍ୱିତ ପ୍ରକ୍ରିୟା, ପ୍ରଭାବଶାଳୀ ଏକକ ୱିଣ୍ଡୋ ସିଷ୍ଟମ୍ ବ୍ୟବସ୍ଥା ସହ ସ୍ୱଚ୍ଛ ଶାସନ ଓ ବ୍ୟବସାୟ କରିବାର ଅନୁକୂଳତା ଓଡିଶାରେ ପୁଞ୍ଜିନିବେଶ ନିମନ୍ତେ ନିବେଶକାରୀଙ୍କୁ ଆକୃଷ୍ଟ କରିବାରେ ସହାୟକ ହୋଇପାରିଛି । ଆପଣମାନେ ଭାରତର ରାଷ୍ଟ୍ରଦୂତ ଭାବେ ବିଦେଶରେ ଏସବୁ ତଥ୍ୟ ଉପସ୍ଥାପନ କରିପାରିବେ । ଏହା ଦ୍ୱାରା ବିଦେଶୀ ନିବେଶକମାନେ ଓଡିଶାରେ ନିବେଶ କରିବାକୁ ଆଗ୍ରହ ପ୍ରକାଶ କରିବେ । ଅନ୍ୟ ପକ୍ଷରେ ରାଜ୍ୟରୁ ବାହାରୁଥିବା ଦକ୍ଷ ମାନବସମ୍ବଳ ନିମନ୍ତେ ବିଦେଶରେ ନିଯୁକ୍ତି ସୃଷ୍ଟିରେ ମଧ୍ୟ ସହାୟକ ହୋଇପାରିବେ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ ।