ଶିଶୁ ଶ୍ରମିକ ସଚେତନତା ଶୋଭାଯାତ୍ରା


 ନୂଆପଡା : ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟରେ ଜିଲ୍ଲା ପ୍ରଶାସନ ତଥା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ମଧୁସୂଦନ ଦାଶ ନିଜ କାର୍ଯ୍ୟାଳୟରୁ ପତାକା ପ୍ରଦର୍ଶନ କରି ସଚେତନତା ରଥ ଓ ରାଲିର ଶୁଭାରମ୍ଭ କରିଥିଲେ । ରାଜ୍ୟ ସରକାର ଶିଶୁ ଶ୍ରମ ମୁକ୍ତ ଓଡିଶା କରିବାକୁ ସଂକଳ୍ପ ନେଇଛନ୍ତି । ଆଇନତଃ ୧୪ ବର୍ଷରୁ କମ୍ ବୟସର ଶିଶୁଙ୍କୁ କୌଣସି କାମରେ ନିୟୋଜିତ କରିବା ଦଣ୍ଡନୀୟ ଅପରାଧ । ୧୫ ରୁ ୧୮ ବର୍ଷ ମଧ୍ୟରେ କିଶୋର କିଶୋରୀମାନଙ୍କୁ ବିପଦସଙ୍କୁଳ କାମରେ ନିୟୋଜିତ କରାଯିବ ନାହିଁ । ଏପରି କଲେ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଏବଂ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ହୋଇପାରେ । ଯାହା ନଜରରେ ଏଭଳି ଶିଶୁ ଶ୍ରମିକ ଆସିବ ତୁରନ୍ତ ପୋଲିସ, ପ୍ରଶାସନ କିମ୍ବା ଶ୍ରମ ବିଭାଗର ନଜରକୁ  ଆଣିବେ । ଏହି କାର୍ଯ୍ୟକ୍ରମକୁ ସାକାର କରିବା ପାଇଁ ଜନସଚେତନତା ସୃଷ୍ଟି ଉଦେ୍ଦଶ୍ୟରେ ନୂଆପଡା ଜିଲ୍ଲାର ସବୁ ପଞ୍ଚାୟତରେ ଏହି ରଥ ବୁଲିବ । ଜିଲ୍ଲା ଶ୍ରମ ବିଭାଗ  ଅତିରିକ୍ତ ଶ୍ରମ କମିଶନର ରବିନ୍ଦ୍ର କୁମାର ବାର୍ଲାଙ୍କ ଦ୍ୱାରା ଆୟୋଜିତ ଏହି ରାଲିରେ ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ, କର୍ମଚାରୀ, ଅବକାରୀ ବିଭାଗ ଅଧିକାରୀ, ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ଶ୍ରମିକ ସଂଘ କର୍ମକର୍ତ୍ତା, ସ୍ୱେଚ୍ଛାସେବୀ ସଂଗଠନ, ଗଣମାଧ୍ୟମର ପ୍ରତିନିଧି ଯୋଗ ଦେଇଥିଲେ ।