ଶୀତକାଳୀନ ଦୁଃସାହାସିକ ଶିବିର : ଯୋଗଦେବେ ଓଡ଼ିଶାର ୧୦୦ ଛାତ୍ରଛାତ୍ରୀ

 ଭୁବନେଶ୍ୱର : ହିମାଚଳ ପ୍ରଦେଶ ମନାଲି ଠାରେ ଆସନ୍ତା ଫେବୃଆରୀ ୨୭ ତାରିଖରୁ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ଶୀତକାଳୀନ ଦୁଃସାହାସିକ ଶିବିର ଆୟୋଜିତ ହେବାକୁ ଯାଉଛି । ଏହି ଶୀତକାଳୀନ ଦୁଃସାହାସିକ ଶିବିରରେ ଓଡ଼ିଶାରୁ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେବେ । ଏଥିପାଇଁ ଛାତ୍ରଛାତ୍ରୀମାନେ ଆଜି ମନାଲି ଅଭିମୁଖେ ନିଜର ଯାତ୍ରା ଆରମ୍ଭ କରିବେ । ଏହି ଅବସରରେ କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସଫଳ ଯାତ୍ରା ନିମନ୍ତେ ଶୁଭେଚ୍ଛା ଜଣାଇଛନ୍ତି । ଛାତ୍ରଛାତ୍ରୀମାନେ ନୂତନ ଅଭିଜ୍ଞତା ଓ ଅନୁଭୂତି ସାଉଁଟିବା ସହ ଜଣେ ଯୁବ ପ୍ରତିନିଧି ଭାବେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିବେ ବୋଲି ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି । 
ଆଜିର କାର୍ଯ୍ୟକ୍ରମରେ ଉକôଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, କ୍ରୀଡ଼ା ଓ ଯୁବସେବା ବିଭାଗର ନିଦେ୍ର୍ଦଶକ ଦୀପଙ୍କର ମହାପାତ୍ର, ଅତିରିକ୍ତ ସଚିବ ବିଜୟ କୁମାର ସ୍ୱାଇଁ, ଅତିରିକ୍ତ ସଚିବ ଅଶୋକ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶଯୋଗ୍ୟ ଯେ, ମନାଲିରେ ଆୟୋଜିତ ହେବାକୁ ଥିବା ଏହି ଦୁଃସାହାସିକ ଶୀତକାଳୀନ ଶିବିରରେ ଛାତ୍ରଛାତ୍ରୀମାନେ ବିଭିନ୍ନ ଦୁଃସାହାସିକ କାର୍ଯ୍ୟାବଳୀ ଯଥା ଟ୍ରେକିଙ୍ଗ, ରକ୍ କ୍ଲାଇବିଙ୍ଗ, ରିଭର କ୍ରସିଂ, ରିଭର ରାଫଟିଙ୍ଗ, ଜିପ୍-ଲାଇନିଙ୍ଗ ଆଦି ବିଭିନ୍ନ କାର୍ଯ୍ୟାବଳୀରେ ଯୋଗଦେବେ । ଛାତ୍ରଛାତ୍ରୀମାନଙ୍କୁ ଏକ ନିଆରା ଅନୁଭୂତି ପ୍ରଦାନ କରିବା ସହ ଏହି ଶିବିର ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ବିକାଶରେ ସହାୟକ ହେବ ବୋଲି ମତପ୍ରକାଶିତ ହୋଇଛି ।