ଶୀତରେ ଥରୁଛି ସାରା ଓଡ଼ିଶା
- ଘୁ. ଉଦୟଗିରି ତାପମାତ୍ରା ୪.୪ ଡିଗ୍ରୀ
- ୧୦ ଡିଗ୍ରୀ ତଳେ ୬ ସହର
- ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
ଭୁବନେଶ୍ୱର : ଜାଡ଼ରେ ଥରୁଛି ସାରା ଓଡ଼ିଶା । ରାଜ୍ୟର ୬ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । କେବଳ ଗୋପାଳପୁର ଓ ପୁରୀକୁ ଛାଡ଼ିଦେଲେ ବାକି ସବୁ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ଅଛି । ଆସନ୍ତାକାଲି ଅନୁଗୁଳ, ଝାରସୁଗୁଡ଼ା, ଖୋର୍ଦ୍ଧା ଓ ଜଗତସିଂହପୁରର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଶୀତ ଲହରୀ ହେବାର ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଅପରପକ୍ଷରେ ପୁଣି ୫ ଡିଗ୍ରୀ ତଳକୁ ଖସିଛି ଓଡ଼ିଶାର ଡାର୍ଜିଲିଙ୍ଗ ଘୁ.ଉଦୟଗିରିର ତାପମାତ୍ରା । ପ୍ରବଳ ଜାଡ଼ରେ ଥରୁଛି ସମଗ୍ର ଅଞ୍ଚଳ । ପ୍ରବଳ ଜାଡ଼ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଗତକାଲି ପାରଦ ୫.୬ ଡିଗ୍ରି ଥିବା ବେଳେ ଆଜି ୪.୪ ଡିଗ୍ରି ରେକର୍ଡ କରାଯାଇଛି । ପାରଦ ତଳ ମୁହାଁ ହେବା ସହ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ଓଡ଼ିଶାର ସବୁଠାରୁ କମ୍ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ଘୁ.ଉଦୟଗିରି ଚିହ୍ନଟ ହୋଇଥିବା ବେଳେ ଡିସେମ୍ବର ମାସ ଆରମ୍ଭରୁ ଶୀତର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି । ସଞ୍ଜ ନଇଁଲେ ଶୀତର ପ୍ରକୋପ ବଢିବା ସହ ରାତିରେ ଜାଡ ଆରମ୍ଭ ହୋଇଯାଉଛି । ଗତ ଶୁକ୍ରବାର ସର୍ବନିମ୍ନ ତାପମାତ୍ରା ୧୦.୧ ଥିବାବେଳେ ଶନିବାର ୫.୬ ଓ ଆଜି ୪.୪ ଡିଗ୍ରିରେ ପହଞ୍ଚିଥିବା ରେକର୍ଡ କରିଥିଲା କୃଷି ବୈଷୟିକ ଗବେଷଣା କେନ୍ଦ୍ର ଓ ଭାରତୀୟ ପାଣିପାଗ ବିଭାଗ । ଅପରପକ୍ଷରେ ଗ୍ରାମାଞ୍ଚଳ ଅର୍ଥାତ ସିପାଏଯୁ, ଡଡାପାଡ଼ା, ରଟିଙ୍ଗିଆ, ରାଇକଲା, ତୁମୁସୀଙ୍ଗିଆ, ଲଏରେଜୁ, ଗଦ୍ରିଙ୍ଗିଆ, ସିରିକି, କୁର୍ମୀଙ୍ଗିଆ, ମୁକୁଲିଙ୍ଗିଆ ଆଦି ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ପାଖାପାଖି ୨ ଡିଗ୍ରୀ ଥିବା ଅନୁମାନ କରାଯାଉଛି ।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅନୁଗୁଳ ଓ ଝାରସୁଗୁଡ଼ାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଶୀତ ଲହରୀ ଅନୁଭୂତ ହୋଇଛି । ଆଭ୍ୟନ୍ତରୀଣ ଓଡ଼ିଶାର କନ୍ଧମାଳ, କୋରାପୁଟ ଓ ସୁନ୍ଦରଗଡ଼ର ଗୋଟିଏ ବା ଦୁଇଟି ସ୍ଥାନରେ ଘନକୁହୁଡ଼ି ପରିଲକ୍ଷିତ ହୋଇଛି । ରାଉରକେଲାରେ ତାପମାତ୍ରା ୭.୨ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୭.୫ ଡିଗ୍ରୀ, ଫୁଲବାଣୀରେ ୮ ଡିଗ୍ରୀ, କେନ୍ଦୁଝରଗଡ଼ରେ ୯.୬ ଡିଗ୍ରୀ, ଝାରସୁଗୁଡ଼ାରେ ୭.୬ ଡିଗ୍ରୀ ଓ ଅନୁଗୁଳରେ ତାପମାତ୍ରା ୯ ଡିଗ୍ରୀ ରହିଛି ।