ଜରାଜୀର୍ଣ୍ଣ ମହିମାମେରୁ ମଠ

 ଖଣ୍ଡପଡ଼ା : ଖଣ୍ଡପଡ଼ା ସହରର ୧ନଂ ୱାର୍ଡରେ ଅବସ୍ଥିତ ପ୍ରଭୁ ମହିମାମେରୁଙ୍କ ମଠଟି ସମୟାନୁକ୍ରମେ ରକ୍ଷଣାବେକ୍ଷଣ ଅଭାବରୁ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି । ଏହି ପୁରାତନ ମଠଟିର ଉନ୍ନତିକରଣ ଦିଗରେ ପ୍ରଶାସନ ନତୁବା ଲୋକ  ପ୍ରତିନିଧିମାନେ କେହିହେଲେ ଧ୍ୟାନ ଦେଉ ନଥିବାରୁ ନିକଟ ଭବିଷ୍ୟତରେ ଏହି ମଠଟି ମାଟିରେ ମିଶିବାର ଆଶଙ୍କା ପ୍ରକାଶ ପାଇଛି । ଖଣ୍ଡପଡା ଦେବୋଦତ୍ତର ବିଭାଗ ଦ୍ୱାରା ପରିଚାଳିତ ହେଉଥିବା ଏହି ମଠଟି ରାଜରାଜୂଡା ଅମଳରେ ପ୍ରତିଷ୍ଠିତ ହୋଇଥିବା ଖଣ୍ଡପଡ଼ା ଇତିହାସରୁ ଜଣାପଡିଛି । ଏହି ଜରାଜୀର୍ଣ୍ଣ ମଠରେ ପ୍ରଭୁ ମହିମା ମେରୁ ଦିର୍ଘ ବର୍ଷ ଧରି ପୂଜାପାଉଛନ୍ତି । ବାରମାସରେ ତେର ପର୍ବ ମଠରେ ପାଳିତ ହେଉଥିବା ନେଇ ମୂଖ୍ୟ ପୂଜକ ଲକ୍ଷ୍ମଣ ମହାପାତ୍ର ପ୍ରକାଶ କରିଛନ୍ତି । ମହିମା ମେରୁ ପୂଜା ପାଉଥିବା ଗୃହର କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ବେଳେ, ବାହ୍ୟ ପ୍ରାଚୀରଟି ଭାଙ୍ଗିଯାଇ ଖଣ୍ଡ ଖଣ୍ଡ  ଇଟା ଗୁଡିକ ତଳକୁ ଖସିପଡିଛି । ଫଳରେ ଗାଇ, ଗୋରୁ, ଷଣ୍ଢ ଓ ବୁଲା କୁକୁର ମଠ ପରିସରରେ ଅବାଧରେ ପ୍ରବେଶ କରୁଥିବାରୁ ମଠର  ପରିବେଶ ନଷ୍ଟ ହେବାରେ ଲାଗିଛି । ଦୈନିକ ଭୋଗ ପ୍ରସ୍ତୁତ ନିମନ୍ତେ ଉଦ୍ଦିଷ୍ଟ ରୋଷଘରର ଅବସ୍ଥା ଶୋଚନୀୟ ହୋଇଥିବାରୁ ଭୋଗ ପ୍ରସ୍ତୁତ ନିମନ୍ତେ ମଠର ପୂଜକଙ୍କୁ ସମସ୍ୟାର ସମ୍ମୁଖିନ ହେବାକୁ ପଡୁଛି । ମଠ ପରିସର ଅନାବନା ଗଛଲତାରେ ଭର୍ତ୍ତି ହୋଇ ରହିଥିବାରୁ ବିଷଧର ସରିସୃପ ମଠ ପରିସରରେ ଏଣେତେଣେ ଚଲାବୁଲା କରୁଥିବା ବିଭିନ୍ନ ସମୟରେ ନଜରକୁ ଆସୁଛି । ମଠ ପରିସରରେ ଥିବା କୂଅର ପୁନରୁଦ୍ଧାର କରା ନଗଲେ ତାହା ସମୟକ୍ରମେ ଭୂଷୁଡି ପଡିବାର ଆଶଙ୍କା ପ୍ରକାଶ ପାଇଛି ।ଖଣ୍ତପଡା ତହସିଲଦାର ତଥା ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଏହି ପୁରାତନ ମହିମାମେରୁ ମଠର ଉନ୍ନତିକରଣ ନିମନ୍ତେ ଦୃଷ୍ଟି ଦେବାକୁ ଖଣ୍ଡପଡ଼ା ଅଞ୍ଚଳର ଜନସାଧାରଣ ଦାବି କରିଛନ୍ତି । ନୟାଗଡ଼ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଖଣ୍ଡପଡ଼ା ଅଞ୍ଚଳର ଜନସାଧାରଣ ଦାବି କରିଛନ୍ତି । ନୟାଗଡ ଜିଲ୍ଲାପାଳ ଓ ଖଣ୍ଡପଡା ବିଧାୟକ ଦୃଷ୍ଟି ଦେବାକୁ ଦାବି ହେଉଛି ।