ଶୁଣିଲାନି ପ୍ରଶାସନ, ରାସ୍ତା ତିଆରି କଲେ ଗ୍ରାମବାସୀ 

 କନ୍ଧମାଳ /ଫୁଲବାଣୀ:   ରାସ୍ତା ନିର୍ମାଣ ପାଇଁ ପ୍ରଶାସନ ଉପରେ ଭରସା କରି ବର୍ଷବର୍ଷ ଧରି ଅପେକ୍ଷାରେ ରହିବା ପରେ ଶେଷରେ ନିଜ ଗ୍ରାମ ପାଇଁ ନିଜେ ରାସ୍ତା ତିଆରି କରିଛନ୍ତି ଗ୍ରାମବାସୀ । ଏଭଳି ଘଟଣା କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କୋଟଗଡ ବ୍ଲକର ଶେଷ ସୀମାନ୍ତ ରେଖାରେ ଗଠିତ ଶ୍ରୀରାମପୁର ପଞ୍ଚାୟତରେ ଦେଖିବାକୁ ମଳିଛି । 
ଶ୍ରୀରାମପୁର ପଞ୍ଚାୟତର ପାଦେର ମାହା, କାଣ୍ଡାଗୁଡ଼ି, ମହୁଲ ଭଜା ଆଦି ତିନଟି ଗାଁକୁ ରାସ୍ତା ନାହିଁ । ୫୦ରୁ ଊଦ୍ଧ୍ୱର୍ ପରିବାର ବସବାସ କରୁଥିବାବେଳେ ଜଙ୍ଗଲ ଏବଂ ପାହାଡିଆ, ପଥୁରିଆ ରାସ୍ତାରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି । ଏହି ତିନଟି ଗ୍ରାମକୁ ଯିବାକୁ ହେଲେ ୩ ରୁ ୪ପାହାଡ଼ ଅତିକ୍ରମ କରି ଯିବାକୁ ପଡୁଛି । ଏହି ଗ୍ରାମଠାରୁ ଶ୍ରୀରାମପୁର ପଞ୍ଚାୟତ ଦୂରତା ୯କଲୋମିଟର ବୋଲି ଗ୍ରାମର ଅଧିବାସୀ ସୁଶୀଳ ମୁଠାମାଝି, ବିଚିଙ୍ଗା ଧାରା ମାଝୀ, ଲିଙ୍ଗରାଜ ରୁପମାଝି, ସୁକାନ୍ତ ବେହେରା ମାଝୀ, ଯତୀନ ମଲିକ, ନିବେଦନ ମୁଠାମାଝି, ରିକାର୍ଧ୍ୱ ମଲିକ, ସଂଜୀବ ମଲିକ, ଶ୍ୟାମ ମୁଠାମାଝି, ପାଣ୍ଡବ ମଲିକ, ତରୁଣ ବେହେରା ମାଝୀ ପ୍ରକାଶ କରିଛନ୍ତି । ଗ୍ରାମରେ ମାସ ମାସ ଧରି ବିଦୁ୍ୟତ୍ ରହୁନଥିବାରୁ ଗ୍ରାମବାସୀ ବାଧ୍ୟ ହୋଇ ଡିବିରି ଜାଳି ଦିନ କାଟୁଛନ୍ତି । ରାସ୍ତା ନ ଥିବାରୁ ଖଟିଆରେ ଗର୍ଭବତୀଙ୍କୁ ବୁହା ହୋଇ ଡାକ୍ତରଖାନାକୁ ନେଇଥାନ୍ତି । ରାସ୍ତାଘାଟ ପାଇଁ ବାରମ୍ବାର ଦାବି ସତ୍ତ୍ୱେ ପ୍ରଶାସନ ନ ଶୁଣିବାରୁ ଶେଷରେ ନିରାଶ ହୋଇ ଗ୍ରାମବାସୀ ରାସ୍ତା ନିର୍ମାଣ କରିଛନ୍ତି ।