ଶ୍ରୀମନ୍ଦିରରେ ଅଶୋକାଷ୍ଟମୀ ଓ ଜେଉଡ଼ ଭୋଗ ନୀତି
ପୁରୀ : ଚୈତ୍ର ଶୁକ୍ଳ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଅଶୋକାଷ୍ଟମୀ ଉପଲକ୍ଷେ ବିଶେଷ ନୀତି ପାରମ୍ପରିକ ବିଧିବିଧାନ ଅନୁଯାୟୀ ସଂପନ୍ନ ହୋଇଯାଇଛି । ସକାଳ ଧୂପ ପରେ ଭଣ୍ଡାରରୁ ଶ୍ରୀ ଲୋକନାଥ ଦେବଙ୍କୁ ମହାଜନ ସେବକମାନେ ହାତରେ ବିଜେ କରାଇ ନେଇ ଝୁଲଣ ମଣ୍ଡପ ତଳେ ଥିବା ପାଲିଙ୍କିରେ ବସାଇଥିଲେ । ଘଣ୍ଟ ଛତା, କାହାଳୀ ସହ ବିମାନ ବଡ଼ୁମାନଙ୍କ ଦ୍ୱାରା ପାଲିଙ୍କିକୁ ଶ୍ରୀ ଇଶାନେଶ୍ୱର ମନ୍ଦିରକୁ ବିଜେ କରାଯାଇଥିଲା । ପାଳିଆ ଖୁଣ୍ଟିଆ ଗରାବଡ଼ୁଙ୍କ ସାଥିରେ ଖଣ୍ଡିଏ ଅମୁଣିଆ ମାଳ ଇଶରନେଶ୍ୱର ମନ୍ଦିରକୁ ନେଇଥିଲେ । ଶ୍ରୀ ଲୋକନାଥଙ୍କୁ ଇଶାନେଶ୍ୱରଙ୍କ ମନ୍ଦିରରେ ବିଜେ କରାଯିବା ପରେ ଭିତରଛ ମହାପାତ୍ର ଉକ୍ତମାଳ ଇଶାନେଶ୍ୱରଙ୍କୁ ଲାଗି କରାଇଥିଲେ ଓ ପରେ ଉକ୍ତମାଳ ଶ୍ରୀ ଲୋକନାଥଙ୍କୁ ଦିଆଯାଇ ପାଲିଙ୍କିରେ ବିଜେ କରାଯାଇଥିଲା । ଏହା ପରେ ବିମାନବଡ଼ୁମାନେ ସିଂହଦ୍ୱାର ଓ ବଡ଼ଦାଣ୍ଡ ଦେଇ ପାଲିଙ୍କିକୁ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରାଇଥିଲେ । ସେଠାରେ ଶ୍ରୀଲୋକନାଥଙ୍କୁ ଭୋଗ, ବନ୍ଦାପନା ଓ ଅଶୋକ ମଣୋହୀ କରାଯାଇଥିଲା । ଏହା ପରେ ଶ୍ରୀ ଲୋକନାଥ ବଡ଼ଦେଉଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସନ୍ଧ୍ୟାଧୂପ ସରିବା ପାରେ ସଂପନ୍ନ ହୋଇଥିଲା ରାମଜନ୍ମ ଜେଉଡ଼ ଭୋଗ ନୀତି । ସନ୍ଧ୍ୟା ଧୂପ ସାରି ପ୍ରସାଦ ବାହାରି ପାଣି ପଡ଼ିବା ପରେ ପଢିଆରୀ ଟେରା ବାନ୍ଧି ଜେଉଡ଼ ଭୋଗ ଡ଼ାକିଯାଇଥିଲେ । ଏହି ଭୋଗ ମହାପ୍ରଭୁଙ୍କ ଛାମୁକୁ ଆସିବା ପରେ ମୁଦିରସ୍ତଙ୍କ ଦ୍ୱାରା ପ୍ରସାଦ ଲାଗି କରାଯାଇଥିଲା । ପୂଜାପଣ୍ଡା ପଞ୍ଚୋପଚାରରେ ପୂଜା କରିବା ପରେ ୩ବାଡ଼ରେ ପୂଜାପଣ୍ଡା, ପତି ଓ ମୁଦିରସ୍ତ ବନ୍ଦାପନା କରିଥିଲେ । ଗର୍ଭଉଦକ ପାଇଁ ମହାପ୍ରଭୁଙ୍କ ବାଡ଼ରେ ଅଧିକ ବନ୍ଦାପନା କରାଯିବା ପରେ ଅନ୍ୟାନ୍ୟ ନୀତି ସଂପନ୍ନ ହୋଇଥିଲା ।