ଶ୍ୟାମାକାଳୀ ପୂଜା ଓ ନରକ ଚତୁର୍ଦ୍ଦଶୀ

ଅଜୟ କୁମାର ବେହେରା : କାର୍ତ୍ତିକ ଅମାବାସ୍ୟାରେ କାଳୀ ପୂଜା ବା ଶ୍ୟାମାକାଳୀ ପୂଜା ବା ମହାନିଶା ପୂଜା ଅନୁଷ୍ଠିତ ହୁଏ । ଯିଏ ମହାକାଳୀ, ସେ ହିଁ ନିତ୍ୟକାଳୀ, ଶ୍ମଶାନକାଳୀ, ରକ୍ଷାକାଳୀ ଓ ଶ୍ୟାମାକାଳୀ । ଶ୍ୟାମାକାଳୀ, ମହାକାଳୀଙ୍କର ଅପେକ୍ଷାକୃତ କମ୍‌ ଉଗ୍ର ରୂପ ହୋଇଥିବାରୁ, ଘରେ ଘରେ ପୂଜିତା । ଉତ୍ତର ଭାରତରେ ଏହି ଦିନରେ ମହାଲକ୍ଷ୍ମୀ ପୂଜା ହେଉଥିବା ବେଳେ ପଶ୍ଚିମ ବଙ୍ଗ, ଓଡ଼ିଶା ଓ ଆସାମରେ କାଳୀ ପୂଜା ଅନୁଷ୍ଠିତ ହୁଏ । ସାର୍ବଜନୀନ କାଳୀ ପୂଜାର ଆରମ୍ଭ ବଙ୍ଗ ପ୍ରଦେଶରୁ । ଅଷ୍ଟାଦଶ ଶତାବ୍ଦୀରେ ନବଦ୍ୱୀପର ରାଜା କୃଷ୍ଣଚନ୍ଦ୍ର ଏହା ଆରମ୍ଭ କରିଥିଲେ । ଉନ୍ନବିଂଶ ଶତାବ୍ଦୀରେ ତାଙ୍କ ନାତି ଈଶ୍ୱରଚନ୍ଦ୍ର ଏହାକୁ ଏକ ଲୋକପ୍ରିୟ ଉତ୍ସବରେ ପରିଣତ କରାଇଥିଲେ । ସପ୍ତଦଶ ଶତାବ୍ଦୀରେ ବଳରାମ ରଚିତ କାଳିକା ମଙ୍ଗଳକାବ୍ୟରେ କାଳୀ ପୂଜାର ଉଲ୍ଲେଖ ମିଳେ । ଏହି ଦିନରେ କାଳୀ ମାତାଙ୍କ ଗଳାରେ ରକ୍ତଜବା ମାଳ ପିନ୍ଧାଇବା ସହ ମାଛ-ମାଂସ ଭୋଗ ହୁଏ । ପୁଣି ଏହି ଦିନରେ କଲକାତାର କାଲୀଘାଟ ମନ୍ଦିର ଓ ଗୁଆହାଟୀର କାମାକ୍ଷା ମନ୍ଦିରରେ କାଳୀ ମାତାଙ୍କୁ ଲକ୍ଷ୍ମୀ ଭାବେ ପୂଜା କରାଯାଏ ।

ନରକ ଚତୁ୍‌ର୍ଦ୍ଦଶୀରେ ଯମରାଜଙ୍କୁ ପୂଜା କରାଯାଇଥାଏ  । ବଳିଙ୍କ ଭକ୍ତିରେ ପ୍ରସନ୍ନ ହୋଇ ବାମନ ଭଗବାନ ତାଙ୍କୁ ତିନୋଟି ବର ମାଗିବାକୁ କହିଥିଲେ  । କାର୍ତ୍ତିକ କୃଷ୍ଣପକ୍ଷ ତ୍ରୟୋଦଶୀ ଦିନ ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ନରକ ଚତୁର୍ଦ୍ଦଶୀରେ ଦୀପଦାନ କରୁଥିବା ବ୍ୟକ୍ତିକୁ ଯମଯାତନା ମିଳିବ ନାହିଁ, ଲକ୍ଷ୍ମୀ ଛାଡ଼ି ଯିବେ ନାହିଁ ଏବଂ ସର୍ବଦା ତାଙ୍କ ଉପରେ ଭଗବାନ ବିଷ୍ଣୁଙ୍କ କୃପା ରହିବ  । ବାମନ ଭଗବାନଙ୍କ ଆଶୀର୍ବାଦ କ୍ରମେ ଏହି ଦିନ ନରକ ଚତୁର୍ଦ୍ଦଶୀ ନାମରେ ଖ୍ୟାତ ହେଲା  । ଏହି ପବିତ୍ର ତିଥିରେ ଯମରାଜ ଏବଂ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଦୀପ ଜଳାଯାଇଥାଏ  । ଏହି ଦିନ ଯମରାଜଙ୍କ ପୂଜା କରୁଥିବା ବ୍ୟକ୍ତି ନରକ ଯାତନା ଭୋଗେ ନାହିଁ ବୋଲି ପୁରାଣରେ ବର୍ଣ୍ଣିତ ରହିଛି  । ଆଉ ଏକ ଆଖ୍ୟାନ ଅନୁଯାୟୀ ନରକ ଚତୁର୍ଦ୍ଦଶୀ ଦିନ ଭଗବାନ କୃଷ୍ଣ ନରକାସୁରର ବଧ କରିଥିଲେ ଏବଂ ତା'କବଳରୁ ୧୬ ହଜାର ୧୦୦ କନ୍ୟାଙ୍କୁ ମୁକୁଳାଇଥିଲେ  । ନରକ ଚତୁର୍ଦ୍ଦଶୀ ଦିନକୁ ମହାରାଷ୍ଟ୍ର, ରାଜସ୍ଥାନ ଏବଂ ଗୁଜୁରାଟରେ ପାଳନ କରାଯାଏ  । ଗୋଆରେ ଏହି ଦିନ ନର୍କାସୁରର ପ୍ରତିମା ନିର୍ମାଣ କରାଯାଇ ଜଳାଯାଇଥାଏ  । ବଙ୍ଗରେ ଏହି ପର୍ବ କାଳୀଙ୍କ ଜନ୍ମ ଦିବସ ରୂପରେ ପାଳନ କରାଯାଇଥାଏ  । ନରକ ଚତୁର୍ଦ୍ଦଶୀରେ ମୃତ୍ୟୁର ଦେବତା ଯମରାଜା, ମା'କାଳୀ, ଭଗବାନ ହନୁମାନ, ଦେବୀ ଲକ୍ଷ୍ମୀ, ଭଗବାନ ବିଷ୍ଣୁଙ୍କ ପୂଜା କରାଯାଏ  । ଏହି ପର୍ବ ଦିନ ସନ୍ଧ୍ୟାରେ ଦକ୍ଷିଣ ଦିଗକୁ ତିଳ ବା ରାଶି ତେଲରେ ଦୀପ ଜାଳିଲେ ଅକାଳ ମୃତ୍ୟୁ ଯୋଗ କଟିଥାଏ  । ଏହି ଦିନ ଭଗବାନ କୃଷ୍ଣଙ୍କ ପୂଜା କରିବାର ମଧ୍ୟ ବିଧି ରହିଛି  । 
ମୋ : ୯୪୩୭୦୩୧୨୫୩