ଷୋଡ଼ଶ ଦିବସରେ ପଞ୍ଚ ଠାକୁରାଣୀ ଯାତ୍ରା 

 ବୁଗୁଡ଼ା  : ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା ଆଜି ଷୋଡଶ ଦିବସରେ ପହଞ୍ଚିଥିବା ବେଳେ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମା ସହ ଆଜିର ଯାତ୍ରା କାର୍ଯ୍ୟକ୍ରମ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି  । ପୂର୍ବାହ୍ନରେ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ପାରମ୍ପରିକ ରୀତିନୀତିରେ ମା'ଙ୍କ ପୂଜାର୍ଚ୍ଚନା ସମ୍ପନ୍ନ ସହ ସନ୍ଧ୍ୟାରେ ୧୦୮ ଆଳତି ପରେ ଘଟ ପରିକ୍ରମାର ଶୁଭାରମ୍ଭ ହୋଇଥିଲା  । ପଞ୍ଚ ମାନସିକଧାରୀ ମହିଳା ସଙ୍ଗୀତା ପୋଲେଇ, ଶିବାନୀ ବାରିକ, ଟି.ସୁଚିତ୍ରା ପାତ୍ର, ସନ୍ଧ୍ୟାରାଣୀ ପାତ୍ର, କେ.ସାବିତ୍ରୀ ପାତ୍ର ପ୍ରମୁଖ ପଞ୍ଚ ଠାକୁରାଣୀଙ୍କ ଘଟ ଧାରଣ କରି ବାଗଦେବୀ ସାହି, ରଘୁନାଥ ସାହି, ବଳଦେବ ମନ୍ଦିର, ଥାନା ରୋଡ, ହାଇସ୍କୁଲ ଛକ, ନୂଆଁ ବସଷ୍ଟାଣ୍ଡ, ଶକ୍ତିନଗର, ହାଇସ୍କୁଲ ଛକ,ମଦନ ମୋହନ ଛକ, ବୁଦ୍ଧଖୋଲ ଛକ, ପୋଲସରା ରୋଡ ଆଦି ପରିକ୍ରମା କରି ସ୍ୱଆସ୍ଥାନକୁ ଫେରିଥିଲେ  ।  ମା'ଙ୍କ ଭ୍ରମଣି ଯାତ୍ରା କାଳରେ ଘଣ୍ଟତାଳ, ଢୋଲ ବାଦ୍ୟ ଏବଂ ଆତସବାଜିର ଶବ୍ଦରେ ପରିବେଶ ପ୍ରକମ୍ପିତ ହୋଇଥିଲା  ବେଳେ କାଟପା ପଟୁଆର ଲୋକଙ୍କୁ ଆକର୍ଷିତ କରିଥିଲା  । ଅନ୍ୟପକ୍ଷରେ ସହର ଅନ୍ତର୍ଗତ ବାଗଦେବୀ ସାହିର "ଜଗନ୍ନାଥ-ଗଣେଶ" ମେଢ, କାର୍ଜି ସାହିର "ବ୍ୟାଘ୍ରଦେବୀ" ମେଢ, ରଘୁନାଥ ସାହିର "ଜୟ ଶ୍ରୀରାମ " ମେଢ ଓ " ଶ୍ରୀ ଜଗନ୍ନାଥ" ମେଢ, ବଡଦାଣ୍ଡର "ହନୁମାନ" ମେଢ ଓ "ରାଧା-କୃଷ୍ଣ ଝୁଲଣ" ମେଢ, କୁମ୍ଭାର ସାହିର "ଶିବ ଲିଙ୍ଗ" ମେଢ,  ବ୍ଲକ କଲୋନୀର "ଅନନ୍ତ ଶୟନ" ମେଢ ଓ "ଜଗନ୍ନାଥ" ମେଢ, ହିରୋ ସୋରୁମ୍ ନିକଟ" ବୀର ହନୁମାନ "ମେଢ , ବେତାରସିଂ ରୋଡର "ଅନନ୍ତ ଶୟନ" ମେଢ ଆଦି ୨୧ଟି ମେଢ  ଆକର୍ଷଣୀୟ ସାଜସଜ୍ଜାରେ ପ୍ରଦର୍ଶିତ ହୋଇଥିଲା  । ସେଗୁଡିକୁ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା  । ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ବିଭିନ୍ନ ଜାଗାରେ ପୁଲିସ ନିୟୋଜିତ ରହିଥିଲେ ।