ସଂସ୍କୃତିର ସଙ୍ଗମକ୍ଷେତ୍ର ଦକ୍ଷିଣ ଓଡ଼ିଶା
ମାୟାଧର ନାୟକ : ଦକ୍ଷିଣ ଓଡିଶା ଦକ୍ଷତାର ଓଡିଶା, ତୃପ୍ତତାର ଓଡିଶା, ଦୁର୍ଦ୍ଦାନ୍ତତାର ଓଡିଶା । ଦକ୍ଷିଣ ଓଡିଶା ଦୁର୍ବାର ଓଡିଶା । ବନଜଂଗଲରୁ ଆରମ୍ଭ କରି ପାହାଡପର୍ବତର ପ୍ରାଚୁର୍ଯ୍ୟ ଦିନେ ଦକ୍ଷିଣ ଓଡିଶାକୁ ଦୁର୍ଭେଦ୍ୟ ଦୁର୍ଗର ଦୃଢ ଭାବମୂର୍ତ୍ତି ପ୍ରଦାନ କରିଥିଲା । ଏଠି ଥିଲା ଓଡିଶାବିଖ୍ୟାତ ରାଜବଂଶର ରାଜବାଟୀସବୁ ଏବଂ ପ୍ରଜାମାନେ ଥିଲେ ପ୍ରଖର ଯୋଦ୍ଧା ଜଣେଜଣେ । କିମ୍ବଦନ୍ତୀରୁ ଇତିହାସ ପର୍ଯ୍ୟନ୍ତ ଦକ୍ଷିଣ ଓଡିଶାର ଆଭାସଚିତ୍ର ବିଚିତ୍ରବର୍ଣ୍ଣାଳୀରେ ବିସ୍ମୟକର । ରାଜାମାନେ କେବଳ ରାଜନୀତି କରୁନଥିଲେ କି ଶାସନ କରୁନଥିଲେ, ସାହିତ୍ୟ କଳା-ସଂସ୍କୃତି ପାଇଁ ତଥା ଏକ ସାଂସ୍କୃତିକ ଓଡିଶାର ଅଭ୍ୟୁତ୍ଥାନ ପାଇଁ ଅନନ୍ୟ ଅନୁପ୍ରେରଣାର ଉଜ୍ଜ୍ୱଳ ଦୃଷ୍ଟାନ୍ତ ପ୍ରଦର୍ଶନ କରିଆସୁଥିଲେ - ପ୍ରଜାମାନେ ମାଟି ଆଉ ମାଆର ମହତ ରକ୍ଷା ପାଇଁ ପ୍ରାଣପାତ କରିବାକୁ କୁଣ୍ଠିତ ହେଉନଥିଲେ କଦାପି । ମାତ୍ର ବ୍ରିଟିଶ୍ ଶାସନକାଳରେ ଏହି ଶୂରବୀରର ଭୂଖଣ୍ଡକୁ ଶାସନଗତ ସୁବିଧାବାଦ ତଥା ସାମ୍ରାଜ୍ୟବାଦର ସ୍ୱାର୍ଥରକ୍ଷା ଦୃଷ୍ଟିରୁ ସାମିଲ୍ କରାଇଦିଆଗଲା ମାଡ୍ରାସ୍ ପ୍ରେସିଡେନ୍ସୀ ସହିତ । ଏହାଫଳରେ ପାରମ୍ପରିକ ରାଜଶକ୍ତିର ସ୍ପର୍ଦ୍ଧା ହେଲା ଭୂଲୁଣ୍ଠିତ ଏବଂ ପ୍ରଜାଶକ୍ତି ହେଲା ପଦାନତ । ପରାଧୀନ ଭାରତବର୍ଷରେ ଦକ୍ଷିଣ ଓଡିଶାର ଏହି ଦଶା ଏକ ଐତିହାସିକ ବିଡମ୍ବନା । ତଥାପି ପାଉଁଶ ତଳର ନିଆଁ ପରି ଏ ମାଟିର ମଲାଟ ତଳେ ପ୍ରସ୍ତୁତ ହେଉଥିଲା ଅନାଗତ ଭବିଷ୍ୟତର ଆଗ୍ନେୟ ଆହ୍ୱାନୀ । ଉତ୍କଳ ସମ୍ମିଳନୀର ମହାମଂଚରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ଯେଉଁ ଭାଷାଭିତ୍ତିକ ଆନ୍ଦୋଳନର ଆବାଜ ଉଠିଥିଲା, ତାହାର ପୃଷ୍ଠଭୂମିରେ ଥିଲା ଏହି ଦୁର୍ବାର ଦକ୍ଷିଣ ଓଡିଶାର ଦୃପ୍ତ ଦାବିନାମା । କାରଣ ମାନକ ଓଡିଆ ଭାଷାର ଭଣ୍ଡାରକୁ ସର୍ବାଧିକ ଅବଦାନ ଦେଇଛନ୍ତି ଏ ମାଟିର ବରପୁତ୍ରଗଣ ଭଞ୍ଜ, ବଳଦେବ, ଗୋପାଳକୃଷ୍ଣଙ୍କଠାରୁ ଆରମ୍ଭ କରି ବହୁ ବିଦ୍ୱାନ ପଣ୍ଡିତଙ୍କର ଏହି ପବିତ୍ରଭୂମି ଓଡିଆ ଭାଷାର ଆଭିଜାତ୍ୟକୁ ଅକ୍ଷୁଣ୍ଣ ରଖିବାରେ ଛାଡିଯାଇଛି ଅକ୍ଷୟକୀର୍ତ୍ତିର ଉଜ୍ଜ୍ୱର୍ସ୍ୱଳ ଇତିହାସ ।
ମୁଁ ଏସବୁ ତଥ୍ୟର ଜଞ୍ଜାଳ ଭିତରକୁ ନଯାଇ ସତ୍ୟର କେତୋଟି ଝଲକ ମାତ୍ର ସୂଚାଇଦେବାକୁ ଚାହୁଁଛି – ସେ ସତ୍ୟ ଯେତେ ଅପ୍ରିୟ ହେଉନା କାହିଁକି ଏକାନ୍ତ ପ୍ରଣିଧାନଯୋଗ୍ୟ । ବ୍ରିଟିଶ୍ ସରକାର ଦକ୍ଷିଣ ଓଡିଶାକୁ ମାଡ୍ରାସ୍ ପ୍ରେସିଡେନ୍ସୀର ଅନ୍ତର୍ଭୁକ୍ତ କରିବା ଦ୍ୱାରା ଯେପରି ଏହାର ପାରମ୍ପରିକ ରାଜଶକ୍ତିକୁ ମ୍ଲାନନିଷ୍ପ୍ରଭ କରିଦେଇ ପ୍ରଜାଶକ୍ତିର ପ୍ରମତ୍ତତାକୁ ପ୍ରାଣହୀନ କରିଦେଇଥିଲେ, ସ୍ୱାଧୀନତା ପରେ ଏଇ କିଛିବର୍ଷ ତଳେ ଓଡିଶା ସରକାର ସେହିପରି ଅବିଭକ୍ତ ଗଞ୍ଜାମ-କୋରାପୁଟକୁ ନେଇ ମୁଣ୍ଡ ଉଠାଇଆସିଥିବା ଦକ୍ଷିଣ ଓଡିଶାକୁ ଆହୁରି ଗୁଡିଏ ନୂଆ ନାଆଁର ତାଲିକାରେ ଜିଲ୍ଲାୱାରୀ ଖଣ୍ଡଖଣ୍ଡ କରିଦେବା ଦ୍ୱାରା ଏହାର ଅଖଣ୍ଡ ଆତ୍ମଶକ୍ତିକୁ ସବୁଦିନ ପାଇଁ ବିଭାଜିତ କରିଦେଲେ । ଏହାଦ୍ୱାରା ଜିଲ୍ଲାପାଳ ଚାକିରିର କେବଳ ବଢତି ହେଲା, ଅଧିକ ସରକାରୀ ଅଫିସ ଖୋଲାଯାଇ ଦପ୍ତରଗୁଡାକୁ ପରାଙ୍ଗପୁଷ୍ଠ ସରକାରୀ ଦରବାରର ଗୋଟିଏ ଗୋଟିଏ କରଆଦାୟକାରୀ କ୍ୟାମ୍ପସ୍ରେ ପରିଣତ କରାଗଲା ଏବଂ ଭୂଇଁଫୋଡା ଶାସନର ଦୁର୍ନୀତି-ଧାରାକୁ ନୂଆନୂଆ ଜିଲ୍ଲାରେ ବିସ୍ତାର କରିଦିଆଗଲା । ମାତ୍ର ଦୁଇଟି ଜିଲ୍ଲାକୁ ଛୋଟବଡ ଗୁଡିଏ ଜିଲ୍ଲାରେ ତାଲିକାଧୀନ କରାଇ ଓଡିଶା ସରକାର କି ବାହାଦୁରି ଦେଖାଇଲେ ତା’ ମାଆ ମହାଦେଈକୁ ଜଣା, ମାତ୍ର ମୋର ବିନମ୍ର ମତ ଯେ ଏହାଦ୍ୱାରା କେବଳ ଶାସନର ଓ ପ୍ରଶାସନର ଫାଇଦା ହେଲା; ହେଲେ ଦକ୍ଷିଣ ଓଡିଶାର ଜନଗଣ ଦ୍ୱିତୀୟଥର ପାଇଁ ଦେଖାଇ ଶିକାର ହେଲେ ଏକ ସୁଦୂରପ୍ରସାରୀ ସରକାରୀ ଷଡଯନ୍ତ୍ରର ! ଏ ଷଡଯନ୍ତ୍ରର ସ୍ୱରୂପକୁ ଏବେ ହୁଏତ ଦକ୍ଷିଣଓଡିଶାବାସୀ ଦେଖିପାରୁନାହାନ୍ତି, କିନ୍ତୁ ଅଦୂର ଭବିଷ୍ୟତର ଏହାର ବିଷମୟ ପରିଣାମକୁ ଅଙ୍ଗେ ନିଭାଇବେ ନାତି-ଅଣନାତିଙ୍କୁ ନେଇ ଆମର ଉତ୍ତରଦାୟାଦ । ପ୍ରଥମତଃ, ଏହି ବିଭାଜନକୁ ନିଜର ଆର୍ଥିକ ଆଁ’ର ଚାହିଦା ମେଂଟାଇବାକୁ ଯାଇ ଓଡିଶା ସରକାର ନୂଆଯୋଜନା ନାଆଁରେ କାଏମ୍ କରିଦେଲେ, କିନ୍ତୁ ଦକ୍ଷିଣ ଓଡିଶାର ଆତ୍ମିକ ସୂତ୍ରକୁ ଛିନ୍ନ କରିଦେଲେ ସବୁଦିନ ପାଇଁ । ଆଦିବାସୀ ଓ ଅଧିବାସୀଙ୍କ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ମିଳିତ ସ୍ଥିତିକୁ ନେଇ ଯେଉଁ ଦକ୍ଷିଣ ଓଡିଶା ଦିନେ ଏକ ଦକ୍ଷ ଓ କାର୍ଯ୍ୟକ୍ଷମ ଓଡିଶା ହୋଇ ସାରା ଓଡିଶାର ଦକ୍ଷିଣଦୁଆରୀ ଘର ବୋଲାଉଥିଲା, ତାହା ଆଜି ଗୋଟାଏ ଭଂଗାଘର ଯେଉଁଠି ଜନଅସନ୍ତୋଷର ପ୍ରତିକ୍ରିୟାସ୍ୱରୂପ ନବଜନ୍ମ ନେଇଛି ମାଓବାଦୀ ଲାଲ୍ବାହିନୀ । ପରିସଂଖ୍ୟାନକୁ ଅନୁଧ୍ୟାନ କଲେ ସ୍ପଷ୍ଟ ଜଣାଯିବ ଯେ ଅବିଭକ୍ତ ଗଂଜାମ-କୋରାପୁଟର ଦକ୍ଷିଣ ଓଡିଶା ଯେତେ ମାଓବାଦୀ ଆକ୍ରମଣରେ ଅତିଷ୍ଠ ହେଉନଥିଲା, ବର୍ତ୍ତମାନର ଶାସନ-ପ୍ରଶାସନର ମିଳିତ ମେଂଟର ଚକ୍ରାନ୍ତରେ ଚୂର୍ଣ୍ଣୀଭୂତ ଦକ୍ଷିଣ ଓଡିଶା ପ୍ରତ୍ୟହ ପ୍ରାଣପୀଡା ଭୋଗୁଛି ନବ୍ୟ ମାଓବାଦୀ ଅଭିଯାନର ସନ୍ତ୍ରାସୀ ସଂପ୍ରସାରଣ ଦ୍ୱାରା ।
ଦକ୍ଷିଣ ଓଡିଶାର ଏହି ନୈତିକ ଓ ସାଂସ୍କୃତିକ ମଂଚକୁ ମୁଁ ରାଜନୈତିକ ମଂଚ ଭାବରେ ବ୍ୟବହାର କରିବାକୁ ଯାଉନାହିଁ । ମାତ୍ର ଗୋଟିଏ କଥା ଏଠାରେ ସ୍ପଷ୍ଟ ସୂଚାଇଦେବାକୁ ଚାହୁଁଛି ଯେ ଗତକାଲିର ରାଜତନ୍ତ୍ରଲାଳିତ ରାଜାମାନଙ୍କର ରାଜନୀତି ଏ ମାଟିର କଳା-ସାହିତ୍ୟ-ସଂସ୍କୃତିର କ୍ରମବିସ୍ତାର ପାଇଁ ଯେଉଁ ନବଜାଗରଣକୁ ଜନ୍ମ ଦେଇଥିଲା, ଆଜିକାଲିକାର ଗଣତନ୍ତ୍ରପାଳିତ ମନ୍ତ୍ରୀମାନଙ୍କର ରାଜନୀତି ଅତୀତର ସେ ରେନେସାଁ ବା ନବଜାଗରଣକୁ ଦେଇସାରିଛି ଦାରୁଣ ମୃତ୍ୟୁଦଣ୍ଡାଦେଶ ! ଆଉ ଏ ମାଟିରେ ଭଂଜ, ବଦଳଦେ କି ଗୋପାଳକୃଷ୍ଣମାନେ ଜନ୍ମ ନେବା ଏକ ଦିବାସ୍ୱପ୍ନ । ଆଜି ଏଠି କେବଳ ଟଙ୍କା – ଟଙ୍କା – ଟଙ୍କା.. ଟଙ୍କା ପଛରେ ସମସ୍ତେ ଟିଙ୍କ – କିଏ ପଚାରୁଛି କଳା-ସାହିତ୍ୟ-ସଂସ୍କୃତି କଥା ? ଇଏ ଆଜି କି ରାଜନୀତି ? ଏଇ ଦକ୍ଷିଣ ଓଡିଶାରୁ ବିଶ୍ୱନାଥ ଦାସ, ସଦାଶିବ ତ୍ରିପାଠୀ, ବିନାୟକ ଆଚାର୍ଯ୍ୟ, ବିଜୁ ପଟ୍ଟନାୟକ ପ୍ରମୁଖ ମୁଖ୍ୟମନ୍ତ୍ରୀ ହୋଇଛନ୍ତି, ପୁଣି ସର୍ବାଗ୍ରେ ସ୍ମରଣୀୟ ଗଜପତି କୃଷ୍ଣଚନ୍ଦ୍ର ମଧ୍ୟ ଏଇ ଦକ୍ଷିଣ ଓଡିଶାରୁ ହିଁ ସାକାର କରିଛନ୍ତି ସ୍ୱତନ୍ତ୍ର ଓଡିଶାର ସ୍ୱପ୍ନ । ବିଜୁତନୟ ନବୀନ ମଧ୍ୟ ଏହି ବୀରମାଟି ଦକ୍ଷିଣ ଓଡିଶାର ସମର୍ଥନ ପାଇ ଏବେ ସାରାଓଡିଶାର ମୁଖ୍ୟମନ୍ତ୍ରୀ । ଅଥଚ ଏ ଲୋହିତ ଲାଭାର ମାଟି ଯେଉଁ ତିମିରେକୁ ସେଇ ତିମିରେ । ଦକ୍ଷିଣ ଓଡିଶାର ଦାବିନାମା ଆଜି ସରକାରୀ ସିରସ୍ତାର ଫାଇଲ୍ ଫାଙ୍କରେ ଫେରାର୍ ! ଦୂରପର୍ବତସବୁ ଦିବ୍ୟସୁନ୍ଦର ଦିଶୁଛି – କିନ୍ତୁ ସବୁ ଜଙ୍ଗଲ ପାଲଟିଛି ଜଉଘରର – ଜଳୁଛି, ଜଳୁଛି, ନିଭିବାର ନାହିଁ ଏ ନିସ୍ତାରହୀନ ଜ୍ୱଳନରୁ । କିଏ ବୁଝିବ ଦକ୍ଷିଣର ଏ ଦୁଃଖ ? ସମସ୍ତେ ତ ‘ଦକ୍ଷିଣା’ ଦାୟରେ ଦୋରସ୍ତ ! ଚାହୁଁଚି କିଏ ଚିଲିକାର ନୀଳଚଂଚଳ ଚାହାଣିକୁ ? ଚିତ୍ରପଟ ଚିରିଗଲାଣି – ଚାଲିଛି କେବଳ ଚିଙ୍ଗୁଡିଚାଷ – ଘେରିବନ୍ଧା ଫେରିବାଲାଙ୍କ ପର୍ଦ୍ଦାଫାଶ ! ଏଇ ଓଡିଶାର ଦକ୍ଷିଣଦୁଆରୀ ଘରୁ କେତେ କଳାକାର, କେତେ ଶିଳ୍ପୀ ପୃଥିବୀପ୍ରଖ୍ୟାତ ହୋଇପାରିଛନ୍ତି । ଖଲ୍ଲିକୋଟ ଏଇ କଳାସଂସ୍କୃତିର ଆଧୁନିକ ଅନ୍ତୁଡିଶାଳ । କିନ୍ତୁ କାହିଁ, କର୍ପୂର ଉଡିଗଲା ପରେ କନାକୁ ବି ଅନାଉଛି କିଏ ? ଦକ୍ଷିଣ ଓଡିଶା ତନ୍ତ୍ରଭୂମି । ଏହି ତନ୍ତ୍ରଭୂମିର ମନ୍ତ୍ର ଆଜି ମସୀଲିପ୍ତ । ଗାଆଁଗଆଁରେ ଗ୍ରାମଦେବତାର ଦେଉଳସବୁ ଦିଶୁଛି ଅସ୍ଥିକଙ୍କାଳସାର ଅସ୍ତିତ୍ୱ ପରି । ଦିଅଁମାନେ ଶୋଇପଡିଛନ୍ତି ପଥରବେଦିରେ । ଆଉ ଶୁଭୁନାହିଁ ପ୍ରେରଣାର ପୂରବୀ : ଭାଷା ଛନ୍ଦର ଭୈରବୀ ।
ଏ ଭୂମି ହେଉଛି ସଂସ୍କୃତିର ସଙ୍ଗମକ୍ଷେତ୍ର । ଏଠି ଏକାଧାରରେ ସାମନ୍ତବାଦୀ ସାହିତ୍ୟ ଓ ଆଦିବାସୀ ଲୋକସାହିତ୍ୟର ଅଭିବ୍ୟକ୍ତି ଉଲ୍ଲେଖଯୋଗ୍ୟ । ଭଂଜଭୂମି ଗଂଜାମରେ ରୀତିକାବ୍ୟର ମହାସମୁଦ୍ର ଉଚ୍ଛୁଳି ଉଠିଥିଲାବେଳେ ଆଦିଭୂମି କୋରାପୁଟର ପବନରେ ଲହରି ସୃଷ୍ଟି କରିଛି ଆଦିବାସୀ ସାହିତ୍ୟର ପ୍ରାଣସ୍ପନ୍ଦନ । ଓଡିଆ ଭାଷାକୁ ମହାର୍ଘ ମାନ୍ୟତା ପ୍ରଦାନ କରିବାରେ ଦକ୍ଷିଣ ଓଡିଶାର ଅବଦାନ ଅବିସ୍ମରଣୀୟ । ଅଥଚ ମାତୃଭାଷାର ମର୍ଯ୍ୟାଦା ପାଇଁ ମିନିଟିଏ ଚିନ୍ତନ କି ଚର୍ଚ୍ଚା କାହିଁ ? ଆଜି ତାମିଲ, ତେଲଗୁ, ମାଲୟାଲମ୍, କନ୍ନଡ ସମେତ ସଂସ୍କୃତ ଭାଷା ନିଜନିଜର ମାନ୍ୟତା ଦାବିରେ କେନ୍ଦ୍ରରୁ ଶହେକୋଟି ଲେଖାଏଁ ଆର୍ଥିକ ଅନୁଦାନ ପାଇସାରିଲେଣି, ମାତ୍ର ଆମର ନିଦ ଭାଙ୍ଗି ପାରିଲାନାହିଁ ଏଯାଏଁ । ସାଧାରଣ ଓଡିଆ ଭାଷାକୁ ମାନ୍ୟତାସଂପନ୍ନ ଏକ ମାନକ ମହାଭାଷାରେ ପରିଣତ କରିସାରିଥିବା ଦକ୍ଷିଣ ଓଡିଶା ଆଜି ଦାବିଦାର୍ – କେନ୍ଦ୍ରରୁ ଓଡିଆ ଭାଷା ପାଇଁ ଶହେକୋଟି ଟଙ୍କା ଆଦାୟ କ୍ଷେତ୍ରରେ । ଏଥିପାଇଁ ଅବିଳମ୍ବେ ଆରମ୍ଭ ହେଉ କ୍ଷେତ୍ରପ୍ରସ୍ତୁତିର ପର୍ବ । ଦକ୍ଷିଣ ଓଡିଶାରେ ପ୍ରଥମେ ପ୍ରତିଷ୍ଠା ହେଉ ଓଡିଶାର ସାଂସ୍କୃତିକ ରାଜଧାନୀ । ବିଦ୍ୱାନ, ବୁଦ୍ଧିଜୀବୀ, ବାଗ୍ମୀବର୍ଗ ଏକଜୁଟ ହୁଅନ୍ତୁ ଏବଂ ଏହି ମହତ ଲକ୍ଷ୍ୟ ଓ ଲୟ ନିମନ୍ତେ ପରମ ଶୁଭେଚ୍ଛୁ ଭୂମିକାରେ ଅବତୀର୍ଣ୍ଣ ହୁଅନ୍ତୁ ଏ ମାଟିର ଅଭୁଲା ରାଜବଂଶ । ଏଠୁ ଦାବିର ଫର୍ଦ୍ଦ ପଢାହେଲେ ଯାଇ ଓଡିଶା ସରକାରଙ୍କ କୁମ୍ଭକର୍ଣ୍ଣୀ ନିଦ୍ରାର ଅନ୍ତ ଘଟିବ ନିଶ୍ଚୟ । ଆଜି ଆଉଥରେ ଏକ ଜୋର୍ଦାର୍ ଭାଷା ଆନ୍ଦୋଳନର ସମୟ ପହଂଚିଛି । ଦକ୍ଷିଣ ଓଡିଶା ନିକଟରୁ ଏହାର ନିର୍ଭର ଯୋଗ୍ୟ ନେତୃତ୍ୱ ଦାବି କରୁଛି ମୁଁ ।
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩
Samir Kumar Rout