୧୬ ଲକ୍ଷରେ ଡାକ୍ତରୀ ଡିଗ୍ରୀ
ଦେଶର ସମଗ୍ର ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପ୍ରକାରର ଅବ୍ୟବସ୍ଥା ରହିଥିବା ଦେଖାଯାଉଛି । ଏବେ ଏବେ ସରିଥିବା ନିଟ୍ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଏବଂ ଗ୍ରେସ୍ ମାର୍କ୍କୁ ନେଇ ଉପୁଜିଥିବା ବିବାଦ ଥଣ୍ଡା ପଡ଼ିନାହିଁ । ତାହା ଉପରେ ଆଉ ଏକ ଚାଞ୍ଚଲ୍ୟକର ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଲାଣି । ଗୁଜରାତର ମେହଶଣାରୁ ଏହି ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ ପାଇଛି । ଏଠାକାର ଜଣେ ବ୍ୟକ୍ତି ୧୬ ଲକ୍ଷ ଟଙ୍କା ଦେଇ ମାସକ ଭିତରେ ଏମ୍ବିବିଏସ୍ ସିଟ୍ ଏବଂ ଡ଼ିଗ୍ରୀ ପାଇଛନ୍ତି । ଏ ମାମଲା ଏବେ ସାରା ଦେଶରେ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । ପ୍ରକାଶ ପାଇଥିବା ଖବର ଅନୁଯାୟୀ, ୪୧ ବର୍ଷ ବୟସ୍କ ଜଣେ ବ୍ୟକ୍ତି ହୋମିଓପାଥୀକ୍ ଡ଼ାକ୍ତର । ୨୦୧୮ ମସିହାରେ ସେ ଇଣ୍ଟରନେଟ୍ରେ ଏମ୍ବିବିଏସ୍ ଶିକ୍ଷା ସମ୍ପର୍କରେ ତଥ୍ୟ ଖୋଜୁଥିଲେ । ବିଭିନ୍ନ ୱେବ୍ସାଇଟ୍ ମଧ୍ୟରୁ ଗୋଟିକରେ ସେ ଜାଣିବାକୁ ପାଇଲେ ଯେ ଏଭଳି ଏକ ସଂସ୍ଥା ଅଛି ଯିଏକି ଏମ୍ବିବିଏସ୍ ଡ଼ିଗ୍ରୀ ଦେଉଛି । ଏହା ଜାଣିବା ପରେ ସେହି ବ୍ୟକ୍ତି ଜଣଙ୍କ ସଂସ୍ଥାର ଜଣେ ପ୍ରତିନିଧିଙ୍କ ସହିତ ଯୋଗାଯୋଗ କରିଥିଲେ । ଏହି ପ୍ରତିନିଧି ତାଙ୍କୁ କହିଥିଲେ ଯେ ଉତ୍ତରପ୍ରଦେଶର ଅଲ୍ ଇଣ୍ଡିଆ ଅଲଟର୍ନେଟିଭ୍ ମେଡ଼ିକାଲ୍ କାଉନସିଲ୍ ନାମକ ଏକ ସଂସ୍ଥା ଦ୍ୱାଦଶ ଶ୍ରେଣୀର ମାର୍କ୍କୁ ଦେଖି ଏମ୍ବିବିଏସ୍ ଡ଼ିଗ୍ରୀ ଦେବ । ଏହା ଜାଣିବା ପରେ ଏହି ବ୍ୟକ୍ତି ଜଣକ ଝାନସୀର ବୁନେ୍ଦଲଖଣ୍ଡ ବିଶ୍ୱବିଦ୍ୟାଳୟର ଆକାଉଣ୍ଟରେ ବିଭିନ୍ନ କିସ୍ତିରେ ୧୬ ଲକ୍ଷ ୩୨ ହଜାର ଟଙ୍କା ଜମା କରିଲେ । ଟଙ୍କା ଜମା କରିବା ପରେ କ୍ଲାସ୍ ଆରମ୍ଭ ପାଇଁ ସେ ଅପେକ୍ଷା କରିଥିଲେ । ୧୦ ଜୁଲାଇ ୨୦୧୮ରୁ ୨୩ ଫେବୃଆରୀ ୨୦୧୯ ମଧ୍ୟରେ ଟଙ୍କା ଦେବା ପରେ ଦିନେ ବି କ୍ଲାସ୍ କରିନାହାନ୍ତି କି ପରିକ୍ଷା ଦେଇନାହାନ୍ତି । କିନ୍ତୁ ଟଙ୍କା ଦେବାର ମାସକ ଭିତରେ ତାଙ୍କୁ କୋରିୟର୍ ମାଧ୍ୟମରେ ଏମ୍ବିବିଏସ୍ ଡ଼ିଗ୍ରୀ, ମାର୍କ୍ସିଟ୍ ଏବଂ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ସବୁକିଛି ମିଳିଗଲା । ଆଉ ଆଶ୍ଚର୍ଯ୍ୟର ବିଷୟ ହେଉଛି, ସେ ସବୁଥିରେ ମେଡ଼ିକାଲ୍ କାଉନସିଲ୍ ଅଫ୍ ଇଣ୍ଡିଆର ସିଲ୍ ବସିଥିଲା । ସେ ସମସ୍ତ ପ୍ରମାଣପତ୍ର ନକଲି ବୋଲି ଜାଣିବା ପରେ ଗୁଜରାତର ମେହଶଣା ପୁଲିସ୍କୁ ସେ ଜଣାଇଲେ । ତେବେ ଯେଉଁ ମଧ୍ୟସ୍ତିଙ୍କ ମାଧ୍ୟମରେ ସେ ବିଶ୍ୱବିଦ୍ୟାଳୟରେ ଟଙ୍କା ଜମା କରିଥିଲେ ତାଙ୍କର କୌଣସି ପତ୍ତା ମିଳିଲା ନାହିଁ । ଏବେ ପୁଲିସ୍ ଏହି ଘଟଣାରେ ତଦନ୍ତ ଜାରି ରଖିଛି । ଏଭଳି ଘଟଣା ବି ଆମ ଦେଶରେ ଘଟିପାରୁଛି ଏବଂ ଏହା ଉପରେ ଖୋଳତାଡ଼ କରାଯିବା ବେଳେ ସଂପୃକ୍ତ ବ୍ୟକ୍ତିମାନେ ନିଖୋଜ ହୋଇ ଯାଉଛନ୍ତି । ବର୍ତ୍ତମାନର ଆଇନ୍ ବ୍ୟବସ୍ଥାରେ କେବଳ ଛୋଟମୋଟ ଘଟଣାରେ ଗରିବ ଲୋକଙ୍କୁ ପୁଲିସ୍ ଧରିବାରେ ସକ୍ଷମ ହେଉଛି । ବଡ଼ ବଡ଼ ଚୋରି, ଠକେଇ ଆଦି ଘଟଣାରେ ପୁଲିସ୍କୁ ସଫଳତା ମିଳୁନାହିଁ । ଏଭଳି ଘଟଣା ସବୁରେ କେବଳ ଜଣେ କି ଦୁଇ ଜଣ ଲୋକ ମିଶି ଏଭଳି କାମ କରୁଥିବା ମନେ ହୁଏ ନାହିଁ । ଏଥିରେ ଅନେକ ଲୋକଙ୍କର ସମ୍ପୃକ୍ତି ଥିବା ସ୍ପଷ୍ଟ । ତେଣୁ ଏହାକୁ ଆନ୍ତରିକତାର ସହ ଖୋଜିବାକୁ ଗଲେ ଏବଂ ଦୋଷୀକୁ ଧରିବାକୁ ଚାହିଁଲେ ଖୁବ୍ ସହଜରେ ଧରାପଡ଼ିବ । ତେବେ ଏ କ୍ଷେତ୍ରରେ ରାଜନୀତିକ ସଂପର୍କ ରହୁଥିବାର ବିଭିନ୍ନ ସମୟରେ ଅଭିଯୋଗ ଆସିଥାଏ । କ୍ଷମତାସୀନ ରାଜନୀତିକ ଦଳର କିଛି ବ୍ୟକ୍ତି ବିଶେଷ ଏହିଭଳି ବଡ଼ ବଡ଼ ଜାଲିଆତିରେ ସଂଶ୍ଳିଷ୍ଟ ହୋଇ ରହିଥିବାରୁ ତଦନ୍ତ ଠିକ୍ ଭାବରେ ହେଉ ନାହିଁ ବୋଲି ଅଭିଯୋଗ ହୁଏ । ସବୁଠାରୁ ବଡ଼ କଥା ହେଉଛି କ୍ଷମତାଶାଳୀ ବ୍ୟକ୍ତିମାନେ ଯେତେବେଳେ କୌଣସି ଅପରାଧ କରୁଛନ୍ତି ସେମାନଙ୍କ ପାଇଁ ତଦନ୍ତର ନିୟମ ବଦଳିଯାଉଛି । ତଦନ୍ତ ଦିଗହରା ହୋଇଯାଉଛି । ଏହି ଘଟଣାଟିରେ ଦୁଇଟି ରାଜ୍ୟର ସମ୍ପୃକ୍ତି ଥିବାରୁ ଦୁଇ ରାଜ୍ୟର ପୁଲିସ୍ ମଧ୍ୟରେ ସମନ୍ୱୟ ରକ୍ଷା ନ ହେଲେ ଅପରାଧୀ କେବେବି ଧରା ପଡ଼ିବେ ନାହିଁ । ତେଣୁ ପ୍ରତ୍ୟେକ ଅପରାଧକୁ ରାଜନୀତିକ ସମ୍ପର୍କର ଉଦ୍ଧ୍ୱର୍ରେ ତଦନ୍ତର ପରିସରକୁ ଅଣାଯିବା ଉଚିତ୍ ।