ସକାଳୁ ସଞ୍ଜ ଯାଏଁ ରାସ୍ତାକଡ଼ରେ ସଢ଼ିଲା ଶବ
ସାରସକଣା: ଦୀର୍ଘବର୍ଷ ରାସ୍ତାକଡ଼ରେ ଜୀବନ ବିତାଇ ଶେଷରେ ପ୍ରାଣ ତ୍ୟାଗ କଲେ । ଆଉ ପରିବାର ଥାଇ ମଧ୍ୟ ତାଙ୍କ ସକ୍ରାର ପାଇଁ କେହି ଆଗକୁ ଆସିଲେନି । ଶେଷରେ କିଛି ସହୃଦୟ ବ୍ୟକ୍ତି ପୁଲିସ ସହଯୋଗରେ ତାଙ୍କର ଶବ ସଂସ୍କାର କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଝାରପୋଖରୀଆ ଥାନା ବମ୍ବେଛକ ସୀମାନ୍ତ ଫାର୍ମାଶିଷ୍ଟ କଲେଜ ଫାଟକ କଡ଼ରେ ।
ଏହି କଲେଜ ଫାଟକ କଡ଼ରେ ଦୀର୍ଘ ବର୍ଷ ଧରି ଦୁଇ ଅସହାୟ ବୃଦ୍ଧା ଦୟନୀୟ ଭାବେ ଜୀବନ ଅତିବାହିତ କରି ଆସୁଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କ ଘର ଶୀର୍ଷା ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟଜଣଙ୍କ ଘର ପାଣ୍ଡରା ପଞ୍ଚାୟତରେ । ବଜାର ଅଞ୍ଚଳର ଲୋକମାନେ ବିଭିନ୍ନ ସମୟରେ ଏହି ଦୁଇ ବୃଦ୍ଧାଙ୍କୁ ଖାଦ୍ୟ ପାନୀୟ ଦେଇ ଆସୁଥିଲେ । କିନ୍ତୁ ଆଜି ପାଣ୍ଡରା ପଞ୍ଚାୟତର ଲିଲିମୁନି ସିଂଙ୍କ ମୃତୁ୍ୟ ହୋଇଛି । ଗତକାଲି ମଙ୍ଗଳବାର ରାତ୍ରିରେ ଲିଲିମୁନି ସିଂ ଶୋଇଥିବା ବେଳେ ଆଜି ସକାଳୁ ତାଙ୍କର ମୃତୁ୍ୟ ହୋଇଥିବା ସ୍ଥାନୀୟ ଲୋକେ କହୁଛନ୍ତି । ତେବେ ରାସ୍ତାକଡ଼ରେ ରହୁଥିବା ଏହି ବୃଦ୍ଧାଙ୍କର ପରିବାରର କିଛି ସଦସ୍ୟ ଗାଁରେ ରହୁଥିବା ବେଳେ ଝାରପୋଖରିଆ ପୁଲିସ ସୂଚନା ଦେବାପରେ ପରିବାର ଲୋକ ପହଞ୍ଚô ଶବ ଚିହ୍ନଟ କରିଥିଳେ । ତେବେ ସକାଳୁ ମୃତୁ୍ୟବରଣ କରିଥିବା ବୃଦ୍ଧାଙ୍କ ଶବକୁ ସଂସ୍କାର ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ସନ୍ଧ୍ୟା ସୁଦ୍ଧା ମୃତଦେହରେ ପିମ୍ପୁଡି ଲାଗି ଯାଇଥିଲା । ବିଳମ୍ବିତ ରାତିରେ କିଛି ସମାଜସେବୀଙ୍କ ସହାୟତାରେ ତାଙ୍କ ଶବକୁ ସଂସ୍କାର କରାଯାଇଛି ।