ସମବାୟ ସମିତି ପରିଚାଳନା ପରିଷଦ ବରଖାସ୍ତ, ଝୁଲୁଛି ତାଲା

ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ ସରସଦା ପ୍ରାଥମିକ କୃଷି ସମବାୟ ସମିତି ନିର୍ବାଚି ପରିଚାଳନା ପରିଷଦକୁ ଭଦ୍ରକ ସମବାୟ ସମିତି ସମୂହ ଉପନିବନ୍ଧକ ଦୁଃଖିଆ ଟୁଡୁ ବରଖାସ୍ତ କରିଥିବା ଜଣାଯାଇଛି । ଗତ ସୋମବାର କାର୍ଯ୍ୟାଳୟ ଆଦେଶ ସଂଖ୍ୟା ୧୦୯୦ ଯୋଗେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ସମବାୟ ସମିତି ସମୂହ କାର୍ଯ୍ୟାଳୟର ବରିଷ୍ଠ ସହକାରୀ ନିବନ୍ଧକଙ୍କ ଗତ ଅଗଷ୍ଟ ୩୦ ତାରିଖର ପତ୍ର ସଂଖ୍ୟା ୧୭୩୩ ଓ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଭଣ୍ଡାରିପୋଖରୀ ଶାଖା ପରିଚାଳକଙ୍କ ଗତ ଜାନୁୟାରୀ ମାସ ୩ ତାରିଖ ପତ୍ର ସଂଖ୍ୟା ୭୨୦ ଆଧାରରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଆଦେଶରେ ସ୍ପଷ୍ଟ କରାଯାଇଛି । ଉପରୋକ୍ତ ପତ୍ରଗୁଡିକରେ ସଂପୃକ୍ତ ପରିଚାଳନା ପରିଷଦ ଦାୟିତ୍ୱ ପାଳନରେ ଅବହେଳା ପ୍ରଦର୍ଶନ କରୁଥିଲା । ଏହା ଦ୍ୱାରା ସମିତି ଓ ସମିତି ସଦସ୍ୟମାନେ ପକ୍ଷପାତର ଶିକାର ହେଉଥିଲେ । ଏପରିକି ସମିତି ପରିଚାଳନା ପରିଷଦର ବୈଠକ ଗତ ୨୮ ମାସ ଧରି ଅନୁଷ୍ଠିତ ହେଉନଥିଲା ବୋଲି ଉଲ୍ଲେଖ କରାଯାଇଥିଲା । ଏହି ବରଖାସ୍ତ ଆଦେଶ ତକôାଳ କାର୍ଯ୍ୟକାରୀ କରାଯାଇଛି । ଏଥିସହ ସମବାୟ ସମିତି ସମୂହ କାର୍ଯ୍ୟାଳୟ ସହକାରୀ ନିବନ୍ଧକ ସତ୍ୟପ୍ରକାଶ ସେଠୀଙ୍କୁ ସମିତିର ପରିଚାଳକ ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି । ବରଖାସ୍ତ ପରିଚାଳନା ପରିଷଦ ପକ୍ଷରୁ ଗତ ୨୨ ତାରିଖରେ ନବନିଯୁକ୍ତ ସମ୍ପାଦକଙ୍କୁ ବରଖାସ୍ତ ସମ୍ପାଦକ ଦାୟିତ୍ୱ ହସ୍ତାନ୍ତର ଦାବି କରାଯାଇ ସମିତରେ ତାଲା ପକାଯାଇଥିଲା । ଏଯାବତ ତାଲା ଖୋଲାଯାଇ ନଥିବା ଜଣାଯାଇଛି । ଏଥିପୂର୍ବରୁ ଭଦ୍ରକ ସମବାୟ ସମିତି ସହକାରୀ ନିବନ୍ଧକଙ୍କ ଦ୍ୱାରା ଗତ ଅଗଷ୍ଟ ମାସରେ ତତ୍କାଳୀନ ସମ୍ପାଦକ ଅଜୟ ବେହେରାଙ୍କୁ ବଦଳା ଯାଇଥିଲା । ସେହି ବଦଳ ଆଦେଶକୁ ୩ ଦିନ ପରେ ପ୍ରତ୍ୟାହାର କରାଯାଇଥିଲା । ବଦଳ ପ୍ରତ୍ୟାହାର ଆଦେଶ ଉପରେ ସମିତିର ସଭାପତି ଅବିନାଶ ରାଉତଙ୍କ ମାମଲା ବଳରେ ହାଇକୋର୍ଟରୁ ରହିତାଦେଶ ମିଳିଥିଲା । ଏବେ ସେହି ମାମଲା ହାଇକୋର୍ଟରେ ବିଚାରାଧିନ ରହିଛି । ଏଭଳି ପରିସ୍ଥିତିରେ ସମିତିର ପରିଚାଳନା ପରିଷଦକୁ ବାରଖାସ୍ତ କରାଯାଇଛି ।