ଆଡ଼ିବନ୍ଧ ନିର୍ମାଣକୁ ନେଇ ଅସନ୍ତୋଷ
ଧାମନଗର: ବୈତରଣୀ ନଦୀର ପଧାନୀ ଓ ଶୋହଡା ପଞ୍ଚାୟତର ଅପରପାର୍ଶରେ ଜୟନ୍ତରା ଠାରେ ଆଡିବନ୍ଧ ନିର୍ମାଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି । ଯାହାକୁ ନେଇ ଉଭୟ ଯାଜପୁର ଓ ଭଦ୍ରକ ଜିଲ୍ଲା ମଧ୍ୟରେ ବିବାଦ ଦେଖା ଦେଇଛି । ପ୍ରକାଶ ଥାଉକି, ଯାଜପୁର ଜଳସେଚନ ବିଭାଗ ଅଧିନସ୍ତ ଦଶରଥପୁର ବ୍ଲକ୍ର ଜୟନ୍ତରା ନିକଟସ୍ତ ମହାପାତ୍ର ସାହି ପୋଲ ଠାରୁ କୋଚିଳା ନଦୀ ବ୍ୟାରେଜ ପର୍ଯ୍ୟନ୍ତ ବୈତରଣୀ ନଦୀ କୂଳରେ ବେଆଇନ ଭାବେ ଆଡି ବନ୍ଧ ନିର୍ମାଣ କରାଯାଉଛି ଥିବା ଅଭିଯୋଗ ହୋଇଛି ।
ସୂଚନା ଥାଉକି ଜୟନ୍ତରା ମହାପାତ୍ର ସାହୀ ପୋଲ ଠାରୁ କୋଚିଳା ନଦୀ ବ୍ୟାରେଜ ପର୍ଯ୍ୟନ୍ତ ବୈତରଣୀ ନଦୀ ଡାହାଣ ପାର୍ଶ୍ୱରେ ଏକ ଆଡ଼ିବନ୍ଧ ବେଆଇନ ଭାବେ ହେଲେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ନଦୀ କୂଳସ୍ଥ ୧୫ ରୁ ୨୦ ଟି ପଞ୍ଚାୟତରେ ୭୫ ରୁ ୮୦ ଟି ରାଜସ୍ୱ ଗ୍ରାମ ବନ୍ୟା ସମୟରେ ବିଭିନ୍ନ କ୍ଷୟକ୍ଷତି ସୃଷ୍ଟି ହେବାର ସମ୍ଭାବନା ରହିଛି । ବିଶେଷ କରି ପଧାନୀ, ସୋହଡ଼ା, କରଦା, ଦଳାଙ୍ଗ, ଅର୍ଜୁନପୁର, ନଦୀଗାଁ, ହସନାବାଦ, ଭଟ୍ଟସାହୀ, କୋଠାର, ପାଳସାହୀ, ବମକୁରା, ରଇପୁର, ଧୁଷୁରୀ, କାସିମପୁର, ଅଶୁରାଳୀ, ବୟାଙ୍ଗଡିହି ଓ ତିହିଡ଼ି ବ୍ଲକର କାଁପଡ଼ା, ବିଲଣା, ବାରୋ, ଶ୍ୟାମ ସୁନ୍ଦରପୁର ପଞ୍ଚାୟତରେ ବନ୍ୟା ସମୟରେ ବିଭିନ୍ନ କ୍ଷୟକ୍ଷତି ହେବ । ନିର୍ମାଣ କରାଯାଉଥିବା ଆଡ଼ିବନ୍ଧ ନିକଟରେ ବ୍ୟକ୍ତିଗତ ଚାଷ ଜମି ରହିଛି । ହେଲେ ସେଠାରେ ବେଆଇନ ଭାବେ ଆଡିବନ୍ଧ ନିର୍ମାଣ କରା ଯାଉଥିବାରୁ ଧାମନଗର ବ୍ଲକର ବିଭିନ୍ନ ପଞ୍ଚାୟତର ଚାଷୀ ଓ ଅଧିବାସୀ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ବିନୋଦ ନାୟକ, ପଧାନି ସରପଞ୍ଚ ଅଶୋକ ପୁହାଣଙ୍କ ନେତୃତ୍ୱରେ ଏହି ଆଡିବନ୍ଧ ନିର୍ମାଣ କ୍ଷେତ୍ରକୁ ଯାଇ କାର୍ଯ୍ୟକୁ ବିରୋଧ କରିଥିଲେ । ପରେ ସେଠାରେ କାମବନ୍ଦ ରହିଥିଲା । ଏ ଦିଗରେ ବିଭାଗୀୟ ଯନ୍ତ୍ରୀ ଅରୁଣ ପ୍ରଧାନଙ୍କ ସହ ଯୋଗାଯୋଗ କରାଯାଇଥିଲା ସେ କହିଥିଲେ ଯେ, ଏ ଦିଗରେ ବିଭାଗୀୟ ଅଧିକାରୀଙ୍କ ସହ ଯୋଗା ଯୋଗ କରିବା ପରେ ଯାହା ନିଷ୍ପତ୍ତି ନିଆଯିବ । ଏହି ଆଡି ବନ୍ଧ ବିନା କାରଣରେ କରାଯାଉଥିବାରୁ ଭଦ୍ରକ ଜିଲ୍ଲାକୁ ବିପଦ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଯଦି ଆଡିବନ୍ଧକୁ ବନ୍ଦ କରାନ ଯାଏ ଭବିଷ୍ୟତରେ ଏକ ଜନ ଆନେ୍ଦାଳନ ସୃଷ୍ଟି ହେବ ବୋଲି ବିଜୟ ଦାସ, ପ୍ରଶାନ୍ତ ରାଉତ, ଧୀରେନ୍ଦ୍ର ରାଉତ, ସତ୍ୟପ୍ରକାଶ ନାୟକ, ବିରଞ୍ଚି ମହାଳିକ, ମୂରଲୀଧର ପୁହାଣ, ପିତାମ୍ବର ରାଉତ, ସମେତ ଶତାଧିକ ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଏନେଇ, ମୁଖ୍ୟମନ୍ତ୍ରୀ, ବିଭାଗୀୟ ଯନ୍ତ୍ରୀ ଓ ଉଚ୍ଚ ପଦସ୍ତ ଅଧିକାରୀଙ୍କୁ କର୍ଯାନୁଷ୍ଠାନ ନିମନ୍ତେ ଲିଖିତ ଅଭିଯୋଗହୋଇଛି ।