ସମସ୍ୟାରେ ତହସିଲ କାର୍ଯ୍ୟାଳୟ 

 ବୈଶିଙ୍ଗା: ବଡସାହି ନିର୍ବାଚନ ମଣ୍ଡଳୀର ପୁରୁଣିଆ, ଖୁଣ୍ଟାପୁର, ଗଡଦେଉଳିଆ, ବୈଶିଙ୍ଗା, ପାଟଳିପୁରା, ମେରଦା, ହରିପୁର,ବ୍ରହ୍ମପୁରା, ଦହିକୋଟୀ, କୃଷ୍ଣଚନ୍ଦ୍ରପୁର ଓ ବେତନଟୀ ଆରଆଇ ସର୍କଲକୁ ନେଇ ଗଠିତ ବେତନଟୀ ତହସିଲ କାର୍ଯ୍ୟାଳୟ । ଜଣେ ତହସିଲଦାର ଓ ଦୁଇ ଜଣ ଅତିରିକ୍ତ ତହସିଲଦାରଙ୍କ ସମେତ ୩୦ରୁ ଅଧିକ କର୍ମଚାରୀଙ୍କ ଆବଶ୍ୟକତା ଥିବା ବେଳେ ମାତ୍ର ଜଣେ ଅତିରିକ୍ତ ତହସିଲଦାର କାର୍ଯ୍ୟ କରୁଛନ୍ତି । ଏଥି ସହିତ ଦୁଇ ତୃତୀୟାଂଶ କର୍ମଚାରୀ କାର୍ଯ୍ୟ କରୁଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଜାତି ପ୍ରମାଣପତ୍ର, ରୋଜଗାର ପ୍ରମାଣପତ୍ର, ଜମିଜମା ସଂକ୍ରାନ୍ତୀୟ କାଗଜପତ୍ର କରାଇବାରେ ଲୋକମାନେ ନୟାନ୍ତ ହୋଇଗଲେଣି । ତହସିଲଦାର ଜାଣି ଶୁଣି ଲୋକଙ୍କୁ ହଇରାଣ କରୁଥିବାର ଅଭିଯୋଗ ହେଉଛି । ଏଥି ସହିତ ସବରେଜିଷ୍ଟାର ପଦବୀ ବହୁ ଦିନରୁ ଖାଲି ପଡିଥିବାରୁ ତହସିଲଦାର ମଧ୍ୟ ଏହି ଦାୟିତ୍ୱରେ କାର୍ଯ୍ୟ ତୁଲାଉଛନ୍ତି । ଫଳରେ ଉଭୟ ବିଭାଗରେ କାର୍ଯ୍ୟ ସନ୍ତୋଷ ଜନକ ହୋଇ ପାରୁ ନାହିଁ । କର୍ମଚାରୀ କିମ୍ୱା ଅଧିକାରୀ ଦୁନୀତି  ଅବଲମ୍ବନ କରୁଥିବାରୁ ସାଧାରଣ ଲୋକଙ୍କ ସମସ୍ୟା ପୂରଣ ହୋଇ ପାରୁନାହିଁ ବୋଲି ସାଧାରଣରେ ଆଲୋଚନା ହେଉଛି । ଏଣୁ ମୋହନ ସରକାର ଗଠନର ଛଅ ମାସ ପରେ ମଧ୍ୟ ଏହାର ସମାଧାନ ହୋଇ ନ ପାରିବା  ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।