ସରକାରଙ୍କ ନିଷ୍ପତ୍ତି ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରତି ଶକ୍ତ ଧକ୍କା: ଭକ୍ତ
ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧିଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ଗ୍ରାମାଞ୍ଚଳରେ ଗଣତନ୍ତ୍ରକୁ ସୁଦୃଢ କରିବା ପାଇଁ ସମ୍ବିଧାନର ୭୩ତମ ସମ୍ବିଧାନ ସଂଶୋଧନ ଆଇନ ପ୍ରଣୟନ କରି ପଞ୍ଚାୟତ ବ୍ୟବସ୍ଥା ପ୍ରତିଷ୍ଠା କରାଯାଇଥିଲା । ଏହି ଆଇନ ଅନୁସାରେ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା କାର୍ଯ୍ୟକାରୀ ହେଲା ଏବଂ ପଞ୍ଚାୟତ ସ୍ତରରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ କ୍ଷମତା ମଧ୍ୟ ହସ୍ତାନ୍ତର କରାଗଲା । କିନ୍ତୁ ଓଡିଶା ସରକାର ପଞ୍ଚାୟତ ବ୍ୟବସ୍ଥାର ଖୋଲା ଉଲଂଘନ କରି ନିର୍ବାଚିତ ପ୍ରତିନିଧି ମାନଙ୍କ ଅଧିକାରକୁ କ୍ଷୁଣ୍ଣ କରିବା ପାଇଁ ପ୍ରୟାସ କରିଛନ୍ତି । ଏହା ଏକ ହୀନ ରାଜନୈତିକ ଉଦେ୍ଦଶ୍ୟ ପ୍ରଣୋଦିତ ଚକ୍ରାନ୍ତ । ପ୍ରଦେଶ କଂଗ୍ରେସ ସରକାରଙ୍କ ଏହି ନିଷ୍ପତ୍ତିକୁ ଦୃଢ ଭାବରେ ବିରୋଧ କରୁଛି । ଏଥିପାଇଁ କଂଗ୍ରେସ ରାଜନୈତିକ ଲଢେଇ ସହ ଆଇନଗତ ଲଢେଇ କରିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ।
ସାମ୍ବିଧାନିକ ଅନୁଷ୍ଠାନ ଗୁଡିକୁ ନଷ୍ଟ କରିବା ଦିଗରେ ବିଜେପି ସବୁବେଳେ କାର୍ଯ୍ୟ କରି ଆସୁଛି । ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କୁ ଉପେକ୍ଷା କରି ବିଡ଼ିଓଙ୍କ ହାତରେ ନିରଙ୍କୁଶ କ୍ଷମତା ପଞ୍ଚାୟତିରାଜ ପରି ପବିତ୍ର ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାର ହତ୍ୟା ଛଡା ଆଉ କିଛି ନୁହେଁ ବୋଲି ଶ୍ରୀ ଦାସ କ୍ଷୋଭ ପ୍ରକାଶ କରିଛନ୍ତି ।