ସରକାରୀ ଓକିଲଙ୍କ ପାଇଁ ଏସ୍ଓପି ଆଉ ତାରିଖ ଗଡ଼ିବନି! 


 ଭୁବନେଶ୍ୱର :  ସରକାରୀ ଓକିଲମାନଙ୍କ ପାଇଁ ଗୃହ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଏସଓପି ଜାରି କରାଯାଇଛି  । ବାରବାର ତାରିଖ ଗଡୁଥିବାରୁ ବିଚାର ପ୍ରକ୍ରିୟା ବିଳମ୍ବିତ ହେଉଛି  । ଏହାକୁ ଆଖିଆଗରେ ରଖି ସରକାରୀ ପିପି, ଏପିପି ଓ ଅନ୍ୟ ଅଧିକାରୀଙ୍କ ପାଇଁ ଏସଓପି ପ୍ରସ୍ତୁତ କରାଯାଇଛି  ।
ଏନେଇ ଜାରି ବିଜ୍ଞପ୍ତି ଅନୁଯାୟୀ, ସାକ୍ଷୀ ଉପସ୍ଥିତ ଥିଲେ କୋର୍ଟ ମୁଲତବୀ ହେବନାହିଁ  । ଯଦି ସେଭଳି ହେବ ତେବେ ସ୍ୱତନ୍ତ୍ର କାରଣ ଦର୍ଶାଇବାକୁ ପଡ଼ିବ  । ଦୁଇଥରରୁ ଅଧିକ ଥର କୋର୍ଟକୁ ଆଡ଼ଜର୍ଣ୍ଣ ରଖାଯାଇପାରିବ ନାହିଁ  । ଅନ୍ୟ କୋର୍ଟରେ ଓକିଲଙ୍କର କେଶ୍ ଥିବା କାରଣ ଦର୍ଶାଇବା ବି ଗ୍ରହଣୀୟ ନୁହେଁ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି  । ଯଦି ସାକ୍ଷୀ ଥିବେ ଓ ପ୍ରତିପକ୍ଷ ଓକିଲ ଜେରା କରିବାକୁ ପ୍ରସ୍ତୁତ ନଥିବେ, ତେବେ କୋର୍ଟ ମଧ୍ୟ ସାକ୍ଷୀଙ୍କ ମତ ରେକର୍ଡ଼ କରିପାରିବେ  । ସେହିପରି କୌଣସି ମାମଲାର ଶୁଣାଣୀ ପୂର୍ବରୁ, କଜ୍ ଲିଷ୍ଟକୁ ରିଭୁ୍ୟ ବା ସମୀକ୍ଷା କରାଯିବ  । ସାକ୍ଷୀ ପ୍ରସ୍ତୁତ ଅଛନ୍ତି କି ନାହିଁ ଦେଖିବାକୁ ପଡ଼ିବ  । ସାକ୍ଷୀଙ୍କ ଉପସ୍ଥାନ ଏକ ରେଜିଷ୍ଟର ମାଧ୍ୟମରେ ଲିପିବଦ୍ଧ ରଖାଯିବ  । ଶୁଣାଣୀ ପରେ କେସ୍ ଡାଏରୀରେ କୋର୍ଟଙ୍କ ଅର୍ଡ଼ର ଉଲ୍ଲେଖ କରାଯିବ  । କେଉଁ କେଉଁ କ୍ଷେତ୍ରରେ ପ୍ରତିପକ୍ଷ ଓକିଲ ପ୍ରତିବାଦ କରିଛନ୍ତି ତାହା ସ୍ୱତନ୍ତ୍ର ଭାବେ ଲିପିବଦ୍ଧ କରାଯିବ  । ଜିଲ୍ଲାସ୍ତରର ସମସ୍ତ ଓକିଲଙ୍କୁ ଏସଓପି ନେଇ ପ୍ରଶିକ୍ଷଣ ଦିଆଯିବ  । ନିୟମିତ ଭାବେ ଏହାର ସମୀକ୍ଷା କରିବାକୁ ମଧ୍ୟ କୁହାଯାଉଛି  । ପ୍ରତି ମାସରେ ଓକିଲ ଅନୁସାରେ ରିପୋର୍ଟ ପ୍ରସ୍ତୁତ କରାଯିବ  । ଏଭଳି କରାଗଲେ କୋର୍ଟରେ ଅଯଥା ତାରିଖ ଗଡ଼ିବ ନାହିଁ ବୋଲି ଆଶା କରାଯାଉଛି  ।