ସହକାରୀ ଶ୍ରମ ଅଫିସ ଅବ୍ୟବସ୍ଥା ନେଇ ଦାବିପତ୍ର
ନୀଳଗିରି: ନୀଳଗିରି ଉପଖଣ୍ଡ ପାଇଁ ଗୋଟିଏ ସହକାରୀ ଶ୍ରମ କାର୍ୟ୍ୟାଳୟ ଅଛି । ଉକ୍ତ କାର୍ୟ୍ୟାଳୟରେ ନୀଳଗିରି, ଔପଦା ବ୍ଲକର କାର୍ୟ୍ୟ ସହିତ ନୀଳଗିରି ଏନ.ଏ.ସି ର ଶ୍ରମ ସମ୍ୱନ୍ଧୀୟ କାର୍ୟ୍ୟ ହୁଏ । କିଛି ଦିନ ତଳେ ଔପଦା ବ୍ଲକ ପାଇଁ ଜଣେ ସହକାରୀ ଶ୍ରମ ଅଫିସର ନିଯୁକ୍ତି ହୋଇଛନ୍ତି । ଉକ୍ତ ଅଫିସରଙ୍କୁ ନୀଳଗିରି ଅଫିସରେ ନ ରଖି, ବାଲେଶ୍ୱର ଜିଲ୍ଲା ଶ୍ରମ ଅଧିକାରୀଙ୍କ ଅଫିସରେ କାର୍ୟ୍ୟ କରିବା ପାଇଁ ରଖାଯାଇଛି । ପୂର୍ବରୁ ଯେଉଁ ଅଫିସର ଔପଦା ବ୍ଲକ କାର୍ୟ୍୍ୟ କରୁଥିଲେ, ସେ ଔପଦା ବ୍ଲକ କାର୍ୟ୍ୟ କରୁନାହାଁନ୍ତି । ପୂର୍ବରୁ ଯେଉଁ ଅଫିସର ଥିଲେ, ତାଙ୍କୁ ବିଭିନ୍ନ କାର୍ୟ୍ୟକ୍ରମ ପାଇଁ ବାଲେଶ୍ୱର ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ୟ୍ୟାଳୟରେ ରଖିବା ଫଳରେ, ନୀଳଗିରି ଶ୍ରମ କାର୍ୟ୍ୟାଳୟ କାର୍ୟ୍ୟ ବନ୍ଦ ହୋଇଯାଇଛି । ବହୁ ଲୋକ ପ୍ରତିଦିନ ନୀଳଗିରି ଶ୍ରମ କାର୍ୟ୍ୟାଳୟ କୁ ଆସି ଅଫିସର ନ ଥିବାରୁ ଘରକୁ ନିରାଶ ହୋଇ ଫେରୁଛନ୍ତି । ଉକ୍ତ ଘଟଣାର ଗୁରୁତ୍ୱ ଉପଲବ୍ଧି କରି ସିଟୁ ଜିଲ୍ଲା କମିଟି ସମ୍ପାଦକ ବିଜୟ କୁମାର ପାତ୍ର ନୀଳଗିରି ଉପ-ଜିଲ୍ଲାପାଳ ଡ. ମଧୁସ୍ମିତା ସାମନ୍ତରାୟଙ୍କୁ ଦାବିପତ୍ର ଦେଇଛନ୍ତି ।
ଦାବିପତ୍ର ଦେବା ସମୟରେ ସିଟୁ ଅନୁବନ୍ଧିତ ମହାବୀର ନିର୍ମାଣ ଶ୍ରମିକ ସଂଘର ସାଧାରଣ ସମ୍ପାଦକ କେଶବ ଚନ୍ଦ୍ର ଲେଙ୍କା ଉପସ୍ଥିତ ଥିଲେ । ସାତ ଦିନ ଭିତରେ ନୂତନ ଭାବେ ନିଯୁକ୍ତି ପାଇଥିବା ଔପଦା ଅଫିସର ନୀଳଗିରି ଅଫିସରୁ କାର୍ୟ୍ୟ କରିବା ସହିତ ପୂର୍ବରୁ ଯେଉଁ ଅଫିସର ଅଛନ୍ତି, ତାଙ୍କୁ ନୀଳଗିରି ଅଫିସ ରୁ ନିତିଦିନିଆ କାର୍ୟ୍ୟ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବିପତ୍ର ପ୍ରଦାନ କରାଯାଇଛି ।