ସହରାଞ୍ଚଳ ଆଇନ ସଚେତନତା କାର୍ଯ୍ୟକ୍ରମ 

 କଟକ: ମହିଳାଙ୍କ ବିରୁଦ୍ଧରେ ହେଉଥିବା ହିଂସାକୁ ଜାଣିବା, ଏ ଦିଗରେ ଥିବା ଆଇନଗତ ଦିଗ ସମ୍ବନ୍ଧରେ ସେମାନଙ୍କୁ ସଚେତନ କରାଇବା ଓ ଆଇନଗତ ସହାୟତା ଯୋଗାଇ ଦେଇ ସେମାନଙ୍କ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଜିଲ୍ଲାପାଳଙ୍କ ସଦ୍ଭାବନା ସଭା ଗୃହ ଠାରେ ସହରାଞ୍ଚଳ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଏମସି ମେୟର କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଡ ଇସ୍ପିତା ପି୍ରୟଦର୍ଶିନୀ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମହିଳାମାନେ ବିଭିନ୍ନ ଆଇନଗତ ଦିଗ ବିଷୟରେ କିପରି ଜାଣିପାରିବେ ଓ ଆବଶ୍ୟକସ୍ଥଳେ ଏହାର ଉପଯୋଗ କରିପାରିବେ ସେ ସଂପର୍କରେ ଆଲୋକପାତ କରିଥିଲେ । ଓଡ଼ିଶା ରାଜ୍ୟ ମହିଳା କମିଶନର ଓ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ମିଳିତ ଆନୁକୂଳ୍ୟରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଂଗଳ ଅଧିକାରୀ ପୁଷ୍ପାଞ୍ଜଳୀ ପରିଡ଼ା, ପ୍ରୋଗ୍ରାମ ଅଫିସର ସୁଭ୍ରା ଦାସ, କଳ୍ପନା ମହାପାତ୍ର, ବିଜୟ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି ଦିଦି, ଆଶାକର୍ମୀ, କଲେଜଛାତ୍ରୀ ଓ ସାମାଜିକ ସଂଗଠନର କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ । ସମନ୍ୱିତ ଶିଶୁ ବିକାଶ ଅଧିକାରୀ ସସ୍ମିତା ମହାନ୍ତି, ମିନାକ୍ଷୀ ପଣ୍ଡା, ନିବେଦିତା ପାଣିଗ୍ରାହୀ ଓ ଶ୍ରୀକାନ୍ତ ଜେନାଙ୍କ ସମେତ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଶେଷରେ ସ୍ୱର୍ଣ୍ଣମୟୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।