ସହିଦ ମାର୍ଗ ରାସ୍ତା ସଂପ୍ରସାରଣ ପାଇଁ ମାପଚୁପ
କେନ୍ଦୁଝର: କେନ୍ଦୁଝର ସହର ସର୍କିଟ ହାଉସକୁ ସଂଯୋଗ କରୁଥିବା ରାସ୍ତାର ସହିଦ ମାର୍ଗର ପ୍ରଶସ୍ତିକରଣ ପାଇଁ ମାପଚୁପ ପୌରପାଳିକା ଏବଂ ସଦର ତହସିଲ ପକ୍ଷରୁ ଶୁକ୍ରବାର କରାଯାଇଛି । ସର୍କିଟ ହାଉସଠାରୁ ହସପିଟାଲକୁ ସଂଯୋଗ କରୁଥିବା ୨୨୦ ମିଟର ଦୀର୍ଘ ଏହି ରାସ୍ତାର ସଂପ୍ରସାରଣ କରାଯିବ । ପୌରପାଳିକା ପକ୍ଷରୁ ଏହାର ଉନ୍ନତିକରଣ ଏବଂ ପ୍ରଶସ୍ତିକରଣ କରାଯିବ । ଏଥିପାଇଁ ରାସ୍ତାକୁ ମାଡି ନିର୍ମାଣ ହୋଇଥିବା ଘର ଏବଂ ସେଡ ଚିହ୍ନଟ କରାଯାଇଛି । ଆସନ୍ତାକାଲି ୬ ଜଣଙ୍କୁ ଏ ନେଇ ନୋଟିସ କରାଯାଇ ୭ ଦିନ ସମୟ ଦିଆଯିବ ବୋଲି ପୌରପାଳିକା ନିର୍ବାହୀ ଅଧିକାରୀ ଲଲିତ କୁମାର ନାୟକ ପ୍ରକାଶ କରିଛନ୍ତି । ସେମାନେ ଜବରଦଖଲ ନ ଉଠାଇଲେ ପୌରପାଳିକା ପକ୍ଷରୁ ଭଙ୍ଗା ଯାଇ ରାସ୍ତା ସଂପ୍ରସାରଣ ଖୁବଶୀଘ୍ର ଆରମ୍ଭ କରାଯିବ । ସର୍କିଟ ହାଉସକୁ ଆସୁଥିବା ଭିଆଇପିମାନଙ୍କର ଯାତାୟତକୁ ଦୃଷ୍ଟିରେ ରଖି ରାସ୍ତା ସଂପ୍ରସାରଣ କରାଯିବ । ଏବେ ଏହି ରାସ୍ତା ୨୦ ଫୁଟ ଥିବାବେଳେ ଏହା ସଂପ୍ରସାରଣ କରାଯାଇ ୩୬ ଫୁଟର ରାସ୍ତା ଏବଂ ଡ୍ରେନ ନିର୍ମାଣ କରାଯିବ । ସେହିପରି ଟାଟା ପାୱାର ଅଫିସ ସମ୍ମୁଖ ସର୍କିଟ ହାଉସକୁ ଯାଇଥିବା ରାସ୍ତାର ଉଭୟ ପାଶ୍ୱର୍ରେ ମୋଟ ୩୬ଟି ଭେଣ୍ଡିଂ ଜୋନରେ ଥିବା ଦେକାନକୁ ଉଚ୍ଛେଦ କରି ଗୋଟିଏ ପାଶ୍ୱର୍ରେ ଦୁଇ ମହଲା ମାର୍କେଟ କଂପ୍ଲେକ୍ସ କରାଯିବ । ବର୍ତ୍ତମାନ ଏହି ଗୁରୁତ୍ୱପୂର୍ଣ୍ଣ ରାସ୍ତାଟି ସଂକୀର୍ଣ୍ଣ ହୋଇ ଯାତାୟତରେ ସମସ୍ୟା ସୃଷ୍ଟି ହେଉଥିବାରୁ ଏହି ଭଳି ପଦକ୍ଷେପ ନିଆଯାଇଛି । ମାପଚୁପ ବେଳେ ସଦର ତହସିଲଦାର ଶୁଭେନ୍ଦୁ କୁମାର ସାହୁ,କେନ୍ଦୁଝରଗଡ ପୌରପାଳିକା ନିର୍ବାହୀ ଅଧିକାରୀ ଲଲିତ କୁମାର ନାୟକଙ୍କ ଉପସ୍ଥିତିରେ ଚିହ୍ନଟ କରାଯାଇଥିଲା ।