କୃଷକଙ୍କୁ କ୍ଷୟକ୍ଷତି ରାଶି ପ୍ରଦାନ ପାଇଁ ନିଷ୍ପତ୍ତି : ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲା ବିଜେପି କୃଷକ ମୋର୍ଚ୍ଚା

 କେନ୍ଦୁଝର : ଓଡିଶାର ଚାଷୀମାନଙ୍କର ଆୟକୁ ଦୁଇ ଗୁଣା କରିବା ପାଇଁ ଚାଷୀ ଦରଦୀ ଲୋକପି୍ରୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନେକ କୃଷକ କଲ୍ୟାଣକାରୀ ଯୋଜନା କରୁଛନ୍ତି । ଏନେଇ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ତଥା କେନ୍ଦୁଝର ଜିଲ୍ଲାର ବରିଷ୍ଠ ବିଜେପି ନେତା ମହେଶ୍ୱର ସାହୁ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି । ବିଶେଷ କରି ଲଘୁଚାପଜନିତ ଅଦିନିଆ ଝଡବର୍ଷା ଅବା କାଳବୈଶାଖୀ ଜନିତ ଫସଲ କ୍ଷୟକ୍ଷତିରେ କୃଷକମାନଙ୍କୁ ସହାୟତା ଦେବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ସାହୁ କୃତଜ୍ଞତା ଜଣାଇଛନ୍ତି । ଏହାଛଡା ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ଚାଷୀମାନଙ୍କୁ ଦେବା, ୫୮ଟି ସବ୍ଡିଭିଜନରେ ଶୀତଳଭଣ୍ଡାର କରିବା, ୧୦ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚିତ କରିବା ନିଷ୍ପତ୍ତି, ସିଏମ୍ କିଶାନ ଯୋଜନାରେ ୫୧ଲକ୍ଷରୁ ଅଧିକ ଚାଷୀମାନଙ୍କୁ ୨ଟି କିସ୍ତିରେ ବର୍ଷକୁ ୪ ହଜାର ଟଙ୍କା ଦେବା, ଆଳୁ ଚାଷ କରିବା ପାଇଁ ଚାଷୀମାନଙ୍କୁ ହେକ୍ଟର ପିଛା ୫୮ ହଜାର ଟଙ୍କା ପ୍ରେସôାହନ ସହାୟତା ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଚାଷୀମାନଙ୍କୁ ସମୃଦ୍ଧ କରିବା ପାଇଁ ସେମାନଙ୍କ ନିକଟରେ କିପରି କୃଷକ କଲ୍ୟାଣକାରୀ ଯୋଜନାଗୁଡିକ ପହଁଚିବ ସେ ବିଷୟରେ ଶ୍ରୀ ସାହୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏସବୁ ଦିଗରେ ବଳିଷ୍ଠ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସାକ୍ଷାତକାର ଅବସରରେ ପ୍ରତିଶୃତି ଦେଇଛନ୍ତି । ତସôହିତ ସରକାରଙ୍କ କୃଷକ କଲ୍ୟାଣକାରୀ ଯୋଜନାଗୁଡିକ ବିଷୟରେ ଚାଷୀମାନଙ୍କ ମଧ୍ୟରେ ବ୍ୟାପକ ପ୍ରଚାର ପ୍ରସାର କରିବା ପାଇଁ କୃଷକମୋର୍ଚ୍ଚା ମୁଖ୍ୟ ଭୂମିକା ଗ୍ରହଣ କରୁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପରାମର୍ଶ ଦେଇଥିଲେ । ଏହି ଆଲୋଚନା ସମୟରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଂପାଦକ ବିକ୍ରମ କେଶରୀ ରାଉତରାୟ ଉପସ୍ଥିତ ଥିଲେ ।