ସାଇତା ସ୍ମୃତିର ଝଲକ


ପ୍ରକୃତି ପ୍ରତ୍ୟେକ ପ୍ରାଣୀକୁ କ୍ୟାମେରା ଦେଇଛି, ଯାହା ଦ୍ୱାରା ସେ ସଂସାରର ପ୍ରତ୍ୟେକ ବସ୍ତୁର ଛବିକୁ ନିଜ ମସ୍ତିଷ୍କରେ ଆଙ୍କି ପାରିବ  ।  ତାହା ହେଉଛି ଆଖି  । ସେହି ଦୃଷ୍ଟିରୁ ଦେଖିଲେ ପ୍ରତ୍ୟେକ ପ୍ରାଣୀ ଜଣେ ଫଟୋଗ୍ରାଫର  । ବିଜ୍ଞାନର ଅଗ୍ରଗତି ସହିତ ମନୁଷ୍ୟ କ୍ରମେ ବିଭିନ୍ନ ସାଧନ ଆବିଷ୍କାର କଲା  । କୃତ୍ରିମ ଲେନ୍ସ ବି ତା ଆବିଷ୍କାରର ଏକ ନମୁନା  । ସମୟ ସହ ଆଗକୁ ବଢ଼ି ଏହି ଲେନ୍ସରୁ ପ୍ରାପ୍ତ ଛବିକୁ ସ୍ଥାୟୀ ରୂପରେ ସାଇତିବାକୁ ପ୍ରୟାସ କଲା  । ଏହି ପ୍ରୟାସର ସଫଳତାକୁ ବିଶ୍ୱ ଫଟୋଗ୍ରାଫି ଦିବସ ଭାବେ ପାଳନ କରାଯାଉଛି  ।
ବର୍ତ୍ତମାନର ଆଖିଝଲସା ହାତପାହାନ୍ତାର ଅତ୍ୟାଧୁନିକ ମୋବାଇଲ ଫୋନରେ ଯଦିଓ ପୂର୍ବ ସମୟର ଆଉ କ୍ୟାମେରା ଫଟୋର ଆଗ୍ରହ ଓ ଭଲ ପାଇବା ସେପରି ରହୁନି ତେବେ ଅନେକ ହୁଏତ ଜାଣିନଥିବେ ଯେ ୧୮୩୯ ମସିହାରେ ସର୍ବପ୍ରଥମେ ଫଟୋଗ୍ରାଫି ଶବ୍ଦର ଆବିଷ୍କାର କରିଥିଲେ ସାର ଜନ ହର୍ସେଲ । ସେହିଭଳି ୧୯୭୫ରେ କୋଡ଼ାକ କମ୍ପାନୀ ପ୍ରଥମ ଡିଜିଟାଲ କ୍ୟାମେରା ବଜାରକୁ ଛାଡ଼ିଥିଲା । ସମୟ ଥିଲା ଦୁନିଆର ପ୍ରଥମ ଫଟୋ ଉଠାଇବା ନିମିତ୍ତ ଆଠଘଣ୍ଟା ସମୟ ଲାଗିଥିଲା ବୋଲି ଏକ ତଥ୍ୟ ଜଣାଯାଏ । ୧୮୮୫ରେ ଆନୁଷ୍ଠାନିକ ଭାବେ ଭାରତକୁ କ୍ୟାମେରା ଆସିଥିଲା ଓ ଦିନକୁ ଦିନ କ୍ୟାମେରାର ଚାହିଦା ମଧ୍ୟ ବଢ଼ୁଛି । ସର୍ବପ୍ରଥମେ ୧୮୩୭ ମସିହାରେ ଜୋସେଫ୍ ନାଇସ୍ଫୋର୍ ନିପ୍ସେ ଏବଂ ଲୁଇସ୍ ଡାଗୁ୍ୟରେ ଫଟୋଗ୍ରାଫିକ୍ ପ୍ରକ୍ରିୟା ବିକାଶ କରିଥିଲେ  । ୧୮୩୯ ମସିହା ଜାନୁଆରୀ ୯ ତାରିଖରେ ଦ ଫ୍ରେଞ୍ଚ୍ ଏକାଡ଼େମୀ ଅଫ୍ ସାଇନ୍ସେସ୍ ଏହାକୁ ଡାଗୁ୍ୟରିଓଟାଇପ୍ ପ୍ରକ୍ରିୟା ବୋଲି ଘୋଷଣା କଲେ  । ଏହାର କିଛି ମାସ ପରେ ଅର୍ଥାତ୍ ଅଗଷ୍ଟ ୧୯, ୧୮୩୯ରେ ଫ୍ରେଞ୍ଚ୍ ସରକାର ଏହାର ପେଟେଣ୍ଟ କଣିବା ସହ ଏହି ଉଦ୍ଭାବନକୁ ସାଧାରଣ ଲୋକଙ୍କ ପାଇଁ ଘୋଷଣା କଲେ  । ସେହି ଦିନଠାରୁ ପ୍ରତିବର୍ଷ ୧୯ ଅଗଷ୍ଟକୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳନ କରାଯାଏ  । 
ଫଟୋଗ୍ରାଫି କେବଳ ତ କୌଶଳ ବା ସଉକ ନୁହେଁ ଏହା ତମାମ ଜୀବନ ପାଇଁ ସାଇତି ରହୁଥିବା ସ୍ମୃତି ଅନୁଭୂତିର ଅନେକ ଝଲକ । ଫଟୋଟିଏ ଭିତରେ ଥାଏ କେତେ ଭାବନା, କେତେ ଉତ୍ସାହ ଉଦ୍ଦୀପନା । ଖାଲି ଆଖିରେ ଯାହା ଆମକୁ ଅତି ସାଧାରଣ ଦିଶେ, ଫଟୋରେ ତାହା ପାଲଟିଯାଏ ଅଦ୍ଭୁତ, କମନୀୟ ଓ ମନଲୋଭା ଅପରୂପ ସୌନ୍ଦର୍ଯ୍ୟରେ ଭରା । କିଛି ନକହିବି ଫଟୋ କହିଯାଏ ଅନେକ କଥା । ସୃଷ୍ଟି କରେ ଭାବପ୍ରବଣତା । ଫଟୋର ନିର୍ଦ୍ଦିଷ୍ଟ କୌଣସି ଭାଷା ନଥାଏ କିନ୍ତୁ ସମସ୍ତେ ବୁଝିପାରିବା, ହୃଦୟଙ୍ଗମ କରିପାରିବା ଭଳି ଗୋଟିଏ ମଧୁର ଆବେଦନ ରହିଥାଏ । ଗୋଟିଏ ଗୋଟିଏ ଫଟୋ ଏପରି ରହିଥାଏ ଯାହା ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦିଏ । ସମ୍ଭବତଃ ଏକ ପ୍ରସିଦ୍ଧ ଧାଡ଼ିଟି ରହିଛି - ‘ଏ ଫଟୋଗ୍ରାଫ ଇଜି ଏ ପଜ ଇନ ଲାଇଫ୍’ । ସମୟ କାହାକୁ ଅପେକ୍ଷା କରେନାହିଁ ମାତ୍ର କ୍ୟାମେରାରେ କଏଦ କରି ସ୍ମୃତିରେ ସାଇତି ହୁଏ ସମୟର କିଛି ଝଲକକୁ । ଫଟୋଗ୍ରାଫି କେବଳ ଏକ କୌଶଳ ବା ସଉକ ନୁହେଁ ଏହା ତମାମ ଜୀବନ ପାଇଁ କେତୋଟି ସ୍ମୃତି ସାଇତି ରଖିବାର ଏକ ଉତ୍ତମ ମାଧ୍ୟମ । ଗୋଟିଏ ଫଟୋରେ କେତେ ଭାବନା, କେତେ ମଧୁର ସ୍ମୃତି ସାଇତି ହୋଇ ରହିଥାଏ ତାହା ପରମୁହୂର୍ତ୍ତରେ ଦେଖିଲେ ଜଣାପଡ଼େ । କେବେ କେବେ ସାଧାରଣ ଆଖି ଦେଖିପାରୁ ନଥିବା କଥା ଫଟୋ ମାଧ୍ୟମରେ ଲୋକଲୋଚନକୁ ଆସେ । ଅନ୍ୟ ଅର୍ଥରେ କହିବାକୁଗଲେ ଫଟୋଗ୍ରାଫି ଏକ ଏଭଳି ଭାଷା ଯାହାକୁ ସବୁ ଭାଷାଭାଷୀ ଲୋକ ବୁଝିପାରନ୍ତି । ଆଲୋକ ଓ ସମୟର ସମନ୍ୱୟ ଏହି ଫଟୋ ଯାହା ମସ୍ତିଷ୍କରେ ସାଇତା ସ୍ମୃତିକୁ ଉଜ୍ଜୀବିତ କରେ । ଫଟୋଗ୍ରାଫିର ଯୁଗ କେହି କେହି କୁହନ୍ତି ଯେ ହଜିଛି ଷ୍ଟୁଡିଓ । ଦିନଥିଲା ଏହି କଳାଧଳା ଛାପ ଛାଡ଼ି ଯାଇଥିବା ସ୍ଥିର ଚିତ୍ର ଏବେ ହାତ ପାହାନ୍ତାର ମୋବାଇଲ ଫୋନରେ ଉପଲବ୍ଧ । ଅନେକ ସମୟରେ ଗୋଟିଏ ଗୋଟିଏ ଫଟୋ ଗୋଟିଏ ଗୋଟିଏ କାହାଣୀ ସୃଷ୍ଟି କରିଛି । କୌଣସି ଶବ୍ଦ ବ୍ୟବହାର ନକରି ଏହା ତମାମ କାହାଣୀର ଆମୂଳଚୁଳ ବର୍ଣ୍ଣନା କରିଥାଏ । 
 ସରୋଜ କୁମାର ମହାରଣା,କଟକ