ସାଇ ବାବାଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା
କୋଣାର୍କ : କୋଣାର୍କ ଲାବନ୍ୟଲଜ୍ ଛକଠାରେ ଥିବା ଶିରିଡି ସାଇନାଥଙ୍କ ମନ୍ଦିରରେ ନୂତନ ବିଗ୍ରହ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁସାରେ ଶିରିଡି ସାଇ ସଂସ୍ଥାନ ଟ୍ରଷ୍ଟ ଆନୁକୂଲ୍ୟରେ ଗୁରୁବାର ଶିରିଡି ସାଇନାଥଙ୍କ ମନ୍ଦିରଠାରେ ନୁତନ ବିଗ୍ରହ ପ୍ରତିଷ୍ଠା ଅବସରରେ କଳସ ଶୋଭାଯାତ୍ରା ଓ ଅଧିବାସ କାର୍ଯ୍ୟ ଧାର୍ମିକ ରୀତିନୀତି ଓ ପରମ୍ପରା ଅନୁଯାୟୀ ସଂପାଦିତ ହୋଇଛି । ଶୁକ୍ରବାର ଶିରିଡି ସାଇନାଥଙ୍କ ମନ୍ଦିରଠାରେ ନୂତନ ବିଗ୍ରହ ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ଏହା ସହିତ ମନ୍ଦିର ପରିସରରେ ହୋମ, ଯଜ୍ଞ ସହିତ ପୂର୍ଣ୍ଣାହୁତି ଧାର୍ମିକ ରୀତିନୀତିରେ ସମ୍ପନ୍ନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ଶିରିଡି ସାଇନାଥଙ୍କ ନିକଟରେ ଦୀପ ଜଳାଇ ପୂଜାର୍ଚ୍ଚନା କରିବା ସହ ପ୍ରସାଦ ସେବନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶିରିଡି ସାଇ ସଂସ୍ଥାନ ଟ୍ରଷ୍ଟର ଦେବରାଜ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ମୁଦୁଲି, ବିଷ୍ଣୁ ପ୍ରସାଦ ଜେନା, ଜ୍ୟୋତି ରଞ୍ଜନ ପଟ୍ଟନାୟକ, ସଞ୍ଜୟ ବେହେରାଙ୍କ ସମେତ ଟ୍ରଷ୍ଟର କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ ।