ସାରର ଅଭାବୀ ବିକ୍ରି : ଖୋଲା ବଜାରରୁ ଚଢା ଦରରେ କିଣୁଛନ୍ତି ଚାଷୀ
ରାଜନଗର : କୃଷକମାନଙ୍କୁ ସଶକ୍ତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରଣୟନ କରିଛନ୍ତି । କୃଷକମାନଙ୍କୁ ବିହନ, ସାର, ଔଷଧ ଓ କୃଷି ଯନ୍ତ୍ରପାତି ସୁଲଭ ମୂଲ୍ୟରେ ଯୋଗାଇବା ସହ ମଣ୍ଡିରେ ଧାନ ଦେଲେ ରାଜ୍ୟ ସରକାର କୁ୍ୟଂଟାଲ ପ୍ରତି ୮ଶହ ଟଙ୍କା ବୋନସ ଦେଉଛନ୍ତି । ମାତ୍ର ପ୍ରଶାସନିକ ଅବହେଳାରୁ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ ହୋଇପାରୁନି । ଯାହାଫଳରେ ବହୁ ଚାଷୀ ଚାଷରୁ ମୁହଁ ଫେରାଉଥିବା ପରିଲକ୍ଷିତ ହେଉଛି । ଚଳିତ ବର୍ଷ ଲଗାଣବର୍ଷା ଯୋଗୁଁ ଧାନତଳି ପ୍ରସ୍ତୁତିରେ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପ୍ରଥମ ଥର ଧାନତଳି ନଷ୍ଟ ହେବା ଫଳରେ ଚାଷୀମାନେ ସରକାରୀ ବିହନ ନପାଇ ବଜାରରୁ ଚଢା ଦରରେ ବିହନ କିଣି ଦ୍ୱିତୀୟ ଥର ତଳି ପ୍ରସ୍ତୁତ କଲେ । ଏହି ତଳି ରୁଆ ପରେ ଏବେ ବେଉଷଣ କାମ ଚାଲିଛି । ଚାଷୀମାନେ କ୍ଷେତରେ ସାର ପକାଇବା ପାଇଁ ଚାହୁଁଥିବା ବେଳେ ବଜାରରୁ ସାର ଉଭାନ ହୋଇଯାଇଛି । ସରକାରଙ୍କ ଧାର୍ଯ୍ୟଦରରେ ସାର ମିଳିବା ତ ଦୂରର କଥା, ବଜାରରେ ମଧ୍ୟ ଦୁଇଗୁଣ ମୂଲ୍ୟ ଦେଲେ ସାର ମିଳୁନଥିବା ଅଭିଯୋଗ ହୋଇଛି । ରାଜନଗର ବ୍ଲକରେ ୯୦ଭାଗ ଲୋକ ଧାନଚାଷ ଉପରେ ନିର୍ଭର କରିଥାନ୍ତି । ଏହି ବ୍ଲକରେ ମୋଟ ୨୩.୫ହଜାର ହେକ୍ଟର ଚାଷଜମି ଥିବା ବେଳେ ଚଳିତ ବର୍ଷ ୨୩ହେକ୍ଟର ଜମିରେ ଧାନଚାଷ ହୋଇଛି । ଏହି ଧାନଚାଷ ପାଇଁ ପ୍ରାୟ ୩୭ହଜାର କୁ୍ୟଂଟାଲ ସାର ଆବଶ୍ୟକ । ମାତ୍ର ସରକାରଙ୍କ ପକ୍ଷରୁ ୭ଟି ପ୍ରାଥମିକ କୃଷି ସେବା ସମବାୟ ସମିତି ମାଧ୍ୟମରେ ପ୍ରାୟ ୪୪ଶହ କୁ୍ୟଣ୍ଟାଲ ସାର ଯୋଗାଇ ଦେଇଛନ୍ତି । ତାଳଚୁଆ ସେବା ସମବାୟ ସମିତିକୁ ୟୁରିଆ ୮୭୨ବ୍ୟାଗ ଓ ଡିଏପି ୩୫୦ବ୍ୟାଗ, କୋଇଲିପୁର ସମିତିକୁ ୟୁରିଆ ୫ଶହ ବ୍ୟାଗ, ୨୦-୨୦ ଗୋ୍ରାମୋର ୫ଶହ ବ୍ୟାଗ, ଓସ୍ତିଆ ସମିତିକୁ ୩୩୩ବ୍ୟାଗ ୟୁରିଆ, ୨୦-୨୦ ଗ୍ରୋମୋର ୩୯୭ବ୍ୟାଗ, ବାଲିସାହିପାଟଣା ସମିତିକୁ ୟୁରିଆ ୨୨୨ବ୍ୟାଗ, ଡିଏପି ୫ଶହ ବ୍ୟାଗ, ଭାଟପଡା ସମିତିକୁ ୟୁରିଆ ୮୩୦ବ୍ୟାଗ, ୨୦-୨୦ ଗ୍ରୋମୋର ୬୧୦ବ୍ୟାଗ, ଡିଏପି ୧୧୦ବ୍ୟାଗ, ପଟାସ ୩୦ବ୍ୟାଗ, ଚାନ୍ଦିବାଉଁଶମୂଳ ସମିତିକୁ ୟୁରିଆ ୧୨୯୭ବ୍ୟାଗ, ୨୦-୨୦ ଗ୍ରୋମୋର ୬୫୫ବ୍ୟାଗ, ଡିଏପି ୩୨୫ବ୍ୟାଗ, ନୋଧାବସନ୍ତ ସମିତିକୁ ୟୁରିଆ ୧୩୩୨ବ୍ୟାଗ, ୨୦-୨୦ ଗ୍ରୋମୋର ୨୫୦ବ୍ୟାଗ, ଡିଏପି ୨୫୦ବ୍ୟାଗ ରିପୋର୍ଟ ଲେଖା ହେବା ଯାଏଁ ମିଳିଥିବା ସୂଚନା ମିଳିଛି । ସରକାରୀ ନିୟମାନୁଯାୟୀ, ହେକ୍ଟର ପ୍ରତି ମିଶ୍ରିତ ସାର ୧କୁ୍ୟଂଟାଲ ୬୦କି.ଗ୍ରା. ସାର ଆବଶ୍ୟକ ହେଉଥିବା ବେଳେ ରାଜନଗର ବ୍ଲକ ପାଇଁ ପ୍ରାୟ ୩୭ହଜାର କୁ୍ୟଂଟାଲ ସାରର ଆବଶ୍ୟକତା ଥିବା ବେଳେ ଚଳିତ ବର୍ଷ ୭ଟି ସେବା ସମବାୟ ସମିତି ୪୪ଶହ କୁ୍ୟଂଟାଲ ସାର ଉଠାଇଛନ୍ତି । ସାର ଅଭାବର ସୁଯୋଗ ନେଇ ଖୁଚୁରା ବ୍ୟବସାୟୀମାନେ ୟୁରିଆ କିଲୋପ୍ରତି ୧୦ରୁ ୧୨ଟଙ୍କା ବିକ୍ରି ହେଉଛି । ସେହିପରି ଗ୍ରୋମୋର କିଲୋପ୍ରତି ୫୦ରୁ ୫୫ଟଙ୍କା ବିକ୍ରି ହେଉଥିବା ଅଭିଯୋଗ ହେଉଛି । ସାର ମିଳୁନଥିବାରୁ ଚାଷୀମାନେ ବାଧ୍ୟ ହୋଇ ଖୁଚୁରା ବ୍ୟବସାୟୀଙ୍କଠାରୁ ଚଢା ଦରରେ ସାର କିଣି ଶୋଷଣର ଶିକାର ହେଉଛନ୍ତି । ସାରର ଅଭାବୀ ପ୍ରତି ସରକାର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।