ସିଏମସିର ଅସୁରକ୍ଷିତ ପୁରୁଣା କୋଠାରେ ଚାଲିଛି କାର୍ଯ୍ୟ

ସିଏମସିର ଅସୁରକ୍ଷିତ ପୁରୁଣା କୋଠାରେ ଚାଲିଛି କାର୍ଯ୍ୟ
  • ମେୟର କହିଲେ, କାମରେ ଲାଗୁନି, ଶୀଘ୍ର ଭଙ୍ଗାହେବ
  • ସହରରେ ୨୩୧ଟି ଅସୁରକ୍ଷିତ ଅଟ୍ଟାଳିକା ଚିହ୍ନଟ

କଟକ : ସ୍ଥାନୀୟ ମଣିସାହୁ ଛକ ଅଘଟଣ ପରେ ସହର ଭିତରେ କେତେ ଅସୁରକ୍ଷିତ କୋଠା ରହିଛି, ସେ ନେଇ ପ୍ରଶାସନ ବେଫିକର ଥିବା ପରି ମନେହେଉଛି । ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ କି, କଟକ ମହାନଗର ନିଗମର ପୁରୁଣା କୋଠା ଏବେ ବି ଅସୁରକ୍ଷିତ ଭାବେ ଠିଆ ହୋଇଛି । ଏହା ଭିତରେ ସରକାରୀ କାର୍ଯ୍ୟ ବି ହେଉଛି । ଅପର ପକ୍ଷରେ ମେୟର କହିଲେ ପୁରୁଣା କୋଠା କାମରେ ଲାଗୁନି । ଖୁବ ଶିଘ୍ର ଏହାକୁ ଭାଂଗି ଦେବୁ । କିନ୍ତୁ କେବେ ଭଂଗାଯିବ ସଠିକ ତାରିଖ ବାବଦରେ ମେୟର କିଛି ସୂଚନା ଦେଇନଥିଲେ । ତେବେ ରିଏଲିଟି ଚେକ ବେଳେ ଜଣାପଡ଼ିଲା, ବ୍ରିଟିଶ ଅମଳର ଏହି ଅସୁରକ୍ଷିତ କୋଠାରେ ଷ୍ଟୋରରୁମ ରହିଛି । ୨ ଜଣ କର୍ମଚାରୀ ମଧ୍ୟ କାମ କରୁଛନ୍ତି । ପୁଣି ଏହି ବିଲ୍ଡିଂରେ ଅର୍ବାନ କୋଅପରେଟିଭ ବ୍ୟାଙ୍କ ଚାଲିଛି । ତେଣୁ ପ୍ରଶ୍ନ ହେଲା, ଯେବେ ସିଏମସି ଅକ୍ତିଆରରେ ଥିବା ଅସୁରକ୍ଷିତ କୋଠା ଭଂଗା ଯାଇ ପାରୁନାହିଁ, ସେତେବେଳେ ବ୍ୟକ୍ତିଗତ ମାଲିକାନାରେ ଥିବା ଅସୁରକ୍ଷିତ ବିଲ୍ଡିଂ ବାବଦରେ କିଏବା ଚିନ୍ତା କରିବ ? ମଣିସାହୁ ଛକ ଅଘଟଣ ଘଟଣାର ତଦନ୍ତ ରିର୍ପୋଟ ୨୪ ଘଣ୍ଟା ଭିତରେ ଦେବାଲାଗି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ତେବେ ଏହି ଅଘଟଣର ତଦନ୍ତ ସରିନଥିବା ଜଣାପଡ଼ିଛି । କେବେ ତଦନ୍ତ ଶେଷ ହେବ ଏ ବିଷୟରେ ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଆଜି ସୁଦ୍ଧା କଟକ ସହରରେ ମୋଟ ୨୩୧ଟି ଅସୁରକ୍ଷିତ ଅଟ୍ଟାଳିକା ରହିଥିବା ପ୍ରଶାସନ ଚିହ୍ନଟ କରିଛି । ସେଥିମଧ୍ୟରୁ ୮ଟି ସରକାରୀ କୋଠା ଭାଂଗିବା ଲାଗି ପ୍ରଶାସନ ନିର୍ଦ୍ଦେଶ ମଧ୍ୟ ଦେଇସାରିଛି । ହେଲେ ନିଉ ଏଲଆଇସି କଲୋନୀରେ ଥିବା ସିଏମସିର ବିଲ୍ଡିଂ ପୂର୍ବଭଳି ମୁଣ୍ଡଟେକି ଠିଆ ହୋଇଛି । ଯଦିଓ ଏଠାରେ କେହି ବସବାସ କରୁନାହାନ୍ତି, ତାହାର ଅର୍ଥ ନୁହେଁ ଯେ କୋଠା ଗୁଡ଼ିକୁ ଏଭଳି ଅସୁରକ୍ଷିତ ଭାବେ ଛାଡ଼ି ଦିଆଯିବ । ଇତି ମଧ୍ୟରେ କଟକ ଏଡିଏମ କହିଛନ୍ତି ଯେ, ତହସିଲଦାର ମଣିସାହୁ ଛକ ଅଘଟଣ ବାବଦରେ ରିର୍ପୋଟ ଦେଇସାରିଛନ୍ତି । ଏହି ଅଘଟଣରେ ଶିକାର ହୋଇଥିବା ପରିବାରକୁ ଶିଘ୍ର କ୍ଷତିପୂରଣ ରାଶି ମିଳିବ ବୋଲି ଏଡିଏମ ସୂଚନା ଦେଇଛନ୍ତି । ତେବେ ପ୍ରଶାସନିକ ତଦନ୍ତ ରିର୍ପୋଟ ବାବଦରେ ଏଡିଏମ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି ।