ସୁଦୃଢ ଗଣତନ୍ତ୍ର ପାଇଁ ମତଦାନ ଅପରିହାର୍ଯ୍ୟ
ପୁରୀ : ଜିଲ୍ଳା ପ୍ରଶାସନ ନିର୍ବାଚନ କାର୍ଯ୍ୟାଳୟ ପକ୍ଷରୁ ସଦ୍ଭାବନା ସଭାଗୃହରେ ୧୫ତମ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ଏଥିରେ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ମତଦାତାର ଅଧିକାର, ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ନିର୍ବାଚନ ଏକ ସାମୁହିକ କାର୍ଯ୍ୟକ୍ରମ । ଏହାକୁ ସମସ୍ତଙ୍କ ସହଯୋଗ ଓ ସମନ୍ୱୟର ସହ ପରିଚାଳନା କରାଯାଏ । ତେବେ ସୁଦୃଢ ଗଣତନ୍ତ୍ର ପାଇଁ ମତଦାନ ଅତ୍ୟନ୍ତ ଜରୁରୀ ।
ପ୍ରତ୍ୟେକ ଭୋଟର ନିଶ୍ଚିତ ଭାବେ ମତଦାନ ପାଇଁ ସେ ଅନୁରୋଧ କରିଥିଲେ । ଅତିରିକ୍ତ ଜିଲ୍ଳାପାଳ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଳାପାଳ ପ୍ରୋଟୋକଲ ନୀଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଉପଜିଲ୍ଳାପାଳ ରାଜକିଶୋର ଜେନା ପ୍ରମୁଖ ଏଥିରେ ଯୋଗଦେଇଥିଲେ । ୧୯୫୦ ମସିହା ଆଜିର ଦିନରେ ନିର୍ବାଚନ କମିଶନ ଗଠିତ ହେବା ଅବସରରେ ଜାତୀୟ ମତଦାତା ଦିବସ ପାଳିତ ହୋଇଛି । ଦେଶର ପ୍ରାୟ ୯୯.୧% ମତଦାତା ରହିଛନ୍ତି । ତେବେ ମତଦାନ ସମୟରେ ଅନେକ ଅନୁପସ୍ଥିତ ରହୁଛନ୍ତି । ପ୍ରତ୍ୟେକ ନିର୍ବାଚନରେ ନିଶ୍ଚିତ ସାମିଲ ହେବାକୁ ସେମାନେ ମତ ଦେଇଥିଲେ । ଡ଼େପୁଟି କଲେକ୍ଟର ମନୀଷା ଷଡ଼ଙ୍ଗୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଗତ ନିର୍ବାଚନରେ ସଫଳ ନିର୍ବାଚନ ପରିଚାଳନା ଓ ଯୁବ ଭୋଟରମାନଙ୍କୁ ଉସôାହିତ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଓ ସଚେତନତା ପାଇଁ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ବ୍ରହ୍ମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ଅତିରିକ୍ତ ରିଟର୍ଣ୍ଣିଂ ଅଧିକାରୀ ତଥା ବିଡ଼ିଓ କାକଟପୁର ବିଷ୍ଣୁ ଗୋବିନ୍ଦଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଶ୍ୟାମପ୍ରକାଶ ସେନାପତି ମଞ୍ଚ ସଞ୍ଚାଳନ କରିଥିଲେ । ନୂତନ ଭୋଟରମାନଙ୍କୁ ଅତିଥିମାନଙ୍କ ଦ୍ୱାରା ଭୋଟର୍ ପରିଚୟ ପତ୍ର ଓ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଅବସରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଏଲଓ, ସୁପରଭାଇଜର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୂର୍ବରୁ ଏକ ଭୋଟର ସଚେତନତା ଶୋଭାଯାତ୍ରା ସୁଭାଷ ବୋଷ ଛକ ଠାରୁ ସଦ୍ଭାବନା ସଭାଗୃହ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।