ସୁଧାର ଗାଈର ବାଛୁରୀ ମରେ

ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ  ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଗତ ହେବା ଜୀବନରେ ଅତି ଭଲ ହେବାର, ଅତି ସୁଧାର ହେବାର ପରିଣତିକୁ ନେଇ କିଛି କଥା  । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା । ସମାଜରେ ବିଭିନ୍ନ ପ୍ରକାରର ଲୋକ ବସବାସ କରିଥାନ୍ତି  । ସମସ୍ତେ ସମାନ ନୁହଁନ୍ତି  । ମିଶାଣିଆ ଲୋକ, ଭଲ ଲୋକ, ଚୁଗୁଲିଆ ଲୋକ ଭଳି ବିଭିନ୍ନ ପ୍ରକାରର ଏବଂ ପ୍ରକୃତିର ଲୋକଙ୍କୁ ନେଇ ଏ ସମାଜ  । କିଛି ଲୋକ ଅନ୍ୟମାନଙ୍କର ସମାଲୋଚନାର ଶରବ୍ୟ ହେଲେ ମଧ୍ୟ ସେଥିରେ କୌଣସି ପ୍ରତିକ୍ରିୟା ପ୍ରକାଶ କରନ୍ତି ନାହିଁ  । ଆଉ କିଛି ଲୋକ ସମାଲୋଚନାର ପ୍ରତିବାଦ କରନ୍ତି  । ଏହି ଦୁଇଟି ଘଟଣାର ବିଶ୍ଳେଷଣ ଆବ୍ୟଶକ  ।
ଅନ୍ୟର ସମାଲୋଚନା, ହଇରାଣ, ହରକତର ସମ୍ମୁଖୀନ ହେଉଥିବା ବ୍ୟକ୍ତି ଯଦି କେବଳ ନିଜକୁ ବଞ୍ଚାଇବା ପାଇଁ କୌଣସି ପ୍ରତିକ୍ରିୟା ନରଖି ଚାଲିଯାଏ, ତେବେ ଭବିଷ୍ୟତରେ ଆଉ କିଛି ଲୋକ ହୁଏତ ଭାବିବେ ଯେ ପ୍ରକୃତ ଏହି ଲୋକଟିର କିଛି ଦୁର୍ବଳତା ଅଛି  । ତେଣୁ ବ୍ୟକ୍ତିତ୍ୱରେ କୌଣସି କଳଙ୍କ ନଥିଲେ ମଧ୍ୟ ସହିଯିବା ଗୁଣ କିଛି ଲୋକଙ୍କ ପାଇଁ ପୁର୍ନବାର ସମାଲୋଚନାର ଖୋରାକ୍ ଯୋଗାଏ  । ଦ୍ୱିତୀୟ ଗୋଷ୍ଠୀର ଲୋକ ସମାଲୋଚନାର ଶରବ୍ୟ ହେବା ମାତ୍ରକେ ତାର ପ୍ରତିବାଦ କରନ୍ତି  । ଏହା ଫଳରେ ଅନ୍ୟ କେହି ସେହି ବ୍ୟକ୍ତିଙ୍କୁ ସମାଲୋଚନା କରିବା ପାଇଁ ଆଉ ସାହସ କରନ୍ତି ନାହିଁ  । ଏ ଦୃଷ୍ଟିରୁ ଦେଖିବାକୁ ଗଲେ ଦ୍ୱିତୀୟ ଗୋଷ୍ଠୀର ବ୍ୟକ୍ତି ହିଁ ନେଉଥିବା ପଦକ୍ଷେପ ଠିକ୍  । କରାଣ ଲାତ ମାରୁଥିବା ଗାଈକୁ କେହି ଦୁହିଁବାକୁ ସାହସ କରନ୍ତି ନାହିଁ, ବରଂ ଲାତ ମାରୁନଥିବା ଗାଈକୁ ସମସ୍ତେ ଦୁହିଁବାକୁ ଆସୁଥିବାରୁ ତା' ବାଛୁରୀର ଖାଇବା ପାଇଁ ଆଉ କିଛି ରହେ ନାହିଁ  । ଏଥିପାଇଁ ଏକ ପ୍ରହେଳିକା ଅଛି "ସୁଧାର ଗାଈର ବାଛୁରି ମରେ  ।'' ଠିକ୍ ସେହିପରି ଅତି ଭଦ୍ର ହେଲେ ସମସ୍ତଙ୍କ ଠାରୁ ତାଡନା ସହିବାକୁ ପଡେ  ।ସଂସାରରେ ଯେହେତୁ ସବୁ ଲୋକ ଭଲ ଲୋକ ନୁହଁନ୍ତି, ସେହେତୁ ସବୁ ଲୋକଙ୍କ ପାଇଁ ନିଜେ ଭଲ ହେବାର କୌଣସି ଯଥାର୍ଥତା ନାହିଁ  ।
ଜୀବନରେ କେବେ କାହାରି କ୍ଷତି କରିବା କଥା ନୁହଁ କିମ୍ବା ଅନିଷ୍ଟ ଚିନ୍ତା କରିବା କଥା ନୁହଁ, ମାତ୍ର ତୁଚ୍ଛାରେ ଅନିଷ୍ଟ ଚିନ୍ତା କରୁଥିବା ବ୍ୟକ୍ତିକୁ କେବେ ଛାଡି ଦେବା କଥା ବି ନୁହିଁ  । ଏପରି ହେଲେ ସମାଜରେ ଲୋକମାନେ ନିନ୍ଦା କିମ୍ବା ସମାଲୋଚନା କରିବାକୁ ସାହସ କରିବେ ନାହିଁ  ।
ପଢିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ  । ନମସ୍କାର  ।