ଉଚ୍ଚଶିକ୍ଷିତଙ୍କ ଦୁର୍ନୀତି


ଗଲା କିଛି ମାସ ଭିତରେ ଭିଜିଲାନ୍ସ ବିଭାଗର ଧରପଗଡ଼ରେ ରାଜ୍ୟ ସରକାରଙ୍କ ବହୁ ଉଚ୍ଚପଦସ୍ତ ଅଧିକାରୀ ଏବଂ କର୍ମଚାରୀ ଧରା ପଡ଼ିଛନ୍ତି । ଗଲା ସପ୍ତାହରେ ଜଣେ ତହସିଲଦାର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ବାବୁଙ୍କ ନାଁ ଅଶ୍ୱିନୀ ପଣ୍ଡା, ୨୦୧୯ ମସିହାର ଓଏଏସ୍ ଟପ୍ପର୍ । ଅନେକଙ୍କ ମଧ୍ୟରୁ ଇଏ ଜଣେ । ଭିଜିଲାନ୍ସ ଜାଲରେ ଯେତେଜଣ ପଡ଼ିଲେ ବି ଦୁର୍ନୀତିକୁ ହଟେଇ ହେଉନାହିଁ । ପ୍ରତିମାସ ଏବଂ ସପ୍ତାହରେ କେହି ନା କେହି ଭିଜିଲାନ୍ସ ଜାଲରେ ନିଶ୍ଚିତ ପଡୁଛନ୍ତି । ଏହାସତ୍ତ୍ୱେ ସରକାରୀ କର୍ମଚାରୀମାନେ ଦୁର୍ନୀତି ଛାଡୁନାହାନ୍ତି । 
ଦିନକୁ ଦିନ ପ୍ରଶାସନିକ ବ୍ୟବସ୍ଥାରେ ଦୁର୍ନୀତି ବଢୁଛି । ଏ ପ୍ରସଙ୍ଗ ନେଇ ବିଭିନ୍ନ ସମୟରେ ଗଣମାଧ୍ୟମରେ ଆଲୋଚନା ମଧ୍ୟ ହେଉଛି । ତେବେ ସେସବୁ ଆଲୋଚନାରୁ କିଛି ନିଷ୍କର୍ଷ ବାହାରୁ କି ନ ବାହାରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଉଛି ଯେ ବର୍ତ୍ତମାନ ଶିକ୍ଷା ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି । ସରକାରୀ ସ୍କୁଲ୍ରେ ପାଠ ପଢ଼ିବା ଅପେକ୍ଷା ଘରୋଇ ସ୍କୁଲ୍, କଲେଜ୍ରେ ପାଠ ପଢ଼ିବା ପାଇଁ ଆଗ୍ରହ ବଢୁଛି । ଆଉ ନାମୀଦାମୀ ଘରୋଇ ସ୍କୁଲ୍ କିମ୍ବା କଲେଜ୍ରୁ ପାସ୍ କରିବାକୁ ହେଲେ ପାଖାପାଖି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଯାଉଛି । ଅନ୍ୟପକ୍ଷରେ ସରକାରୀ ବିଦ୍ୟାଳୟରେ ପାଠପଢ଼ି ଯେଉଁ ଡ଼ିଗ୍ରୀ ମିଳୁଛି ଘରୋଇ ବିଦ୍ୟାଳୟ ମହାବିଦ୍ୟାଳୟରେ ମଧ୍ୟ ସେହି ସମାନ ଡ଼ିଗ୍ରୀ ମିଳୁଛି । ସରକାରୀ ଚାକିରି କ୍ଷେତ୍ରରେ କିଏ କେଉଁଠି ପାଠ ପଢ଼ିଛି ତାହା ଦେଖାଯାଏ ନାହିଁ । ଯୋଗ୍ୟତା ଭିତ୍ତିରେ ଉଭୟଙ୍କ ଦରମା ମଧ୍ୟ ସମାନ । ତେଣୁ ସରକାରୀ ବ୍ୟବସ୍ଥାରେ ପାଠ ପଢ଼ିଥିବା ପିଲାଟିଏ ଚାକିରି ପାଇଲେ ତାହା ମନରେ ହୁଏତ କ୍ଷତିପୂରଣ ଆଶା ଉଠିବ ନାହିଁ, କିନ୍ତୁ ୫୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରି ଘରୋଇ ଶିକ୍ଷାନୁଷ୍ଠାନରୁ ଡ଼ିଗ୍ରୀ ପାଇଥିବା ଛାତ୍ରଛାତ୍ରୀ ନିଶ୍ଚିତ ରୂପେ ମନରେ ରଖିଥିବେ ଯେ ସେମାନେ ଖର୍ଚ୍ଚ କରିଥିବା ପଇସା କେତେଶୀଘ୍ର ଦୁର୍ନୀତିପୂର୍ଣ୍ଣ ଉପାୟରେ ଭରଣା କରିହେବ । ଏହା ମଧ୍ୟ ଦୁର୍ନୀତିର ଆଉ ଏକ କାରଣ । 
ଦେଶରେ ଘରୋଇ ଶିକ୍ଷାବ୍ୟବସ୍ଥା ଏତେ ମହଙ୍ଗା ହେବାର କିଛି କାରଣ ନାହିଁ । ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ଲକ୍ଷାଧିକ ଟଙ୍କା ବାର୍ଷିକ ଫି ନେଇ ଶିକ୍ଷା ସହିତ ସମ୍ପର୍କ ନଥିବା ଭିତ୍ତିଭୂମିକୁ ବଢ଼ାଉଛନ୍ତି । କୌଣସି ସରକାରୀ କଲେଜ୍ରେ କ୍ଲାସ୍ରୁମ୍ରେ ଏସି ବ୍ୟବସ୍ଥା ନାହିଁ । ଏହାର ଆବଶ୍ୟକତା ମଧ୍ୟ ନାହିଁ । ହେଲେ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରି ସେଣ୍ଟ୍ରାଲ୍ ଏସି ବ୍ୟବହାର କରି କ୍ଲାସ୍ରୁମ୍କୁ ଏକ ଆରାମଦାୟକ ସ୍ଥାନରେ ପରିଣତ କରୁଛନ୍ତି । ଏସବୁ ଖର୍ଚ୍ଚକୁ ବହୁଗୁଣରେ ବଢ଼େଇ ଛାତ୍ରଛାତ୍ରୀଙ୍କ ଅଭିଭାବକମାନଙ୍କ ଠାରୁ ଆଦାୟ କରୁଛନ୍ତି । ଏଥିରୁ ବି ବିପୁଳ ଭାବରେ ଦୁର୍ନୀତିର ଗନ୍ଧ ବାହାରୁଛି । କାରଣ ଏହି ଲକ୍ଷ ଲକ୍ଷ ଟଙ୍କାର ଫି ନଗଦ କାରବାର ହେଉଛି । ଶିକ୍ଷା ବର୍ତ୍ତମାନ ଏକ ଲାଭଜନକ ବ୍ୟବସାୟରେ ପରିଣତ ହୋଇଛି । ତେଣୁ ବ୍ୟବସାୟିକ ଅନୁଷ୍ଠାନରୁ ବାହାରିଥିବା ଛାତ୍ରଛାତ୍ରୀମାନେ ଶିକ୍ଷା ପାଇଁ ପୁଞ୍ଜି ଖଟେଇଛନ୍ତି ବୋଲି ଭାବିବା ଅସମ୍ଭବ ନୁହେଁ । 
ଦୁର୍ନୀତିର ଦ୍ୱିତୀୟ କାରଣଟି ହେଲା ପାରିବାରିକ ଭିତ୍ତିଭୂମି । ଅତି ଗରିବ ପରିବାରରୁ ଆସିଥିବା ସରକାରୀ କର୍ମଚାରୀ ଅନ୍ୟମାନଙ୍କ ସହ ନିଜକୁ ତୁଳନା କରିବାରେ ଲାଗିଛନ୍ତି । ଅନ୍ୟମାନଙ୍କ ସହିତ ନିଜକୁ ତୁଳନା କରିଲେ ନିଜ ମଧ୍ୟରେ ଏକ ହୀନମନ୍ୟତା ସୃଷ୍ଟିହୁଏ । ତେଣୁ ବାହାରକୁ ଅର୍ଥର ସୌଦାଗର ବୋଲି ଦେଖେଇ ହେବାକୁ ହେଲେ ଦୁର୍ନୀତି କରିବା ବ୍ୟତୀତ ଆଉ ଅନ୍ୟ ବାଟ କିଛି ନାହିଁ । କେବଳ ଏତିକି ନୁହେଁ ଆହୁରି ମଧ୍ୟ କାରଣ ଅଛି । ପାରିପାଶ୍ୱିର୍କ ପରିବେଶ ଏପରିକି ଅନ୍ୟମାନେ ଅସହିଷ୍ଣୁ ହୋଇ ଦୁର୍ନୀତି ଜାଲରେ ଫସେଇ ଦେବା ଭଳି ଘଟଣା ମଧ୍ୟ ଘଟିଲାଣି । ମୋଟ୍ ଉପରେ ସରକାରୀ କର୍ମଚାରୀ ନିଜେ ସଚେତନ ନହେଲେ ପ୍ରଶାସନିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ ।