ବିହନ ଉତ୍ପାଦକଙ୍କୁ ନେଇ ବୈଠକ
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କୃଷି ବିଭାଗ ତରଫରୁ ଗତ କାଲି ୨୧ତାରିଖରେ ସ୍ୱୀକୃତି ପ୍ରାପ୍ତ ବିହନ ଉତ୍ପାଦନକାରୀ କମ୍ପାନୀମାନଙ୍କର ପ୍ରତିନିଧିମାନଙ୍କୁ ନେଇ ଏକ ଜରୁରୀ ବୈଠକ ନବରଙ୍ଗପୁର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ବିହନ କମ୍ପାନୀ ମାନଙ୍କର ୩୫ ଜଣ ପ୍ରତିନିଧି ସହିତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ପ୍ରତିନିଧି ପ୍ରଣୟ କୁମାର ମନ୍ତ୍ରୀ, କୃଷି ଜିଲ୍ଲା ଅଧିକାରୀ ନବରଙ୍ଗପୁର ଓ ପାପଡାହାଣ୍ଡି, ଉମରକୋଟ ତଥା ଯୋଜନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଚଳିତ ଖରିଫ ଋତୁ-୨୦୨୫ ନିମନ୍ତେ ଚାଷୀମାନଙ୍କୁ ସଠିକ ମାନର ବିହନ ଅଧିକୃତ ବିହନ କମ୍ପାନୀ ମାନଙ୍କ ଦ୍ୱାରା ଲେମ୍ପସ ଏବଂ ସ୍ୱୀକୃତି ପ୍ରାପ୍ତ ବିହନ ବ୍ୟବସାୟୀଙ୍କୁ ଠିକ ସମୟରେ ଯୋଗାଇ ଦେବା ନିମନ୍ତେ ଗୁରୁତ୍ୱ ଦିଆଯାଇଥିଲା । ଜିଲ୍ଲାରେ ଧାନ ଓ ମକା ଚାଷ ମୁଖ୍ୟ ହୋଇଥିବାରୁ ଏବଂ ଚାଷୀମାନଙ୍କ ଦ୍ୱାରା ଶଙ୍କର ଜାତୀୟ ବିହନ ପ୍ରତି ଅଧିକ ଆଗ୍ରହ ଥିବାରୁ ଚାଷୀମାନଙ୍କ ସ୍ୱାର୍ଥ ପ୍ରତି ଦୃଷ୍ଟି ଦେଇ ବିହନ ଯୋଗାଣ କାର୍ଯ୍ୟପନ୍ଥା ସ୍ଥିର କରାଯାଇଥିଲା । ଅଣସ୍ୱୀକୃତି ପ୍ରାପ୍ତ କମ୍ପାନୀ ମାନଙ୍କର ବିହନ କୌଣସି ପରିସ୍ଥିତି ରେ ବିକ୍ରୟ କରାଯିବ ନାହିଁ । ଯଦି କୌଣସି ସ୍ଥାନରେ ଅନିୟମିତତା ପରିଲକ୍ଷିତ ହୁଏ ତେବେ ନିୟମ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଜିଲ୍ଲାରେ ଚଳିତ ଖରିଫ ଋତୁରେ ୬୯୦୦୦ ହେକ୍ଟର ଜମିରେ ଶଙ୍କର ଜାତୀୟ ମକା ଚାଷ ହେବ ଏବଂ ୪୫୦୦୦ ହେକ୍ଟର ଜମି ରେ ଶଙ୍କର ଜାତୀୟ ଧାନ ଚାଷ ହେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରା ଯାଇଛି । ସ୍ୱୀକୃତି ପ୍ରାପ୍ତ କମ୍ପାନୀ ମାନଙ୍କର ତରଫରୁ ସଠିକ ବିହନ ଠିକ ସମୟରେ ସୁଲଭ ମୂଲ୍ୟରେ ଚାଷୀ ମାନଙ୍କ ପାଖରେ ପହଞ୍ଚାଇବା ପାଇଁ ନିଦେ୍ର୍ଦଶ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ଙ୍କ ନିଦେ୍ର୍ଦଶ କ୍ରମେ ଜିଲ୍ଲା ଏବଂ ବ୍ଲକ୍ ସ୍ତରୀୟ ଏନଫୋର୍ସମେଣ୍ଟ ସ୍କୁଆଡ ଗଠନ କରାଯାଇଅଛି, ଯେଉଁ ମାନେ ଜିଲ୍ଲାରେ ବିକ୍ରୟ କରୁଥିବା ଯେ କୌଣସି ସାର/ବିହନ/କୀଟନାଶକର ଯେ କୌଣସି ଅଧିକୃତ ବିକ୍ରେତାଙ୍କ ଦୋକାନରେ ବିନା ନୋଟିସରେ ଚଢାଉ କରି ଆବଶ୍ୟକ ଆଇନଗତ କାର୍ଯ୍ୟନୁଷ୍ଠାନ ତତକ୍ଷଣାତ୍ ନେଇ ପାରିବେ ।