‘ସୁଭଦ୍ରା’ ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା : ଢେଙ୍କାନାଳ ପ୍ରଥମ, କଟକ ଦ୍ୱିତୀୟ ଓ ମୟୂରଭଞ୍ଜ ତୃତୀୟ
ଭୁବନେଶ୍ୱର : ଭୁବନେଶ୍ୱରର ହୋଟେଲ ମେଫେୟାର ଲାଗୁନ୍ ଠାରେ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାର ଗ୍ରାଣ୍ଡ ଫାଇନାଲ୍ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଅବସରରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗୀମାନଙ୍କୁ ଉସôାହିତ କରିବା ସହ ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ । ଘରୋଇ ଦାୟିତ୍ୱ ମଧ୍ୟରେ ମଧ୍ୟ ମହିଳାମାନେ ନିଜ ପ୍ରତିଭା ପ୍ରଦର୍ଶନ କରି ଏଯାଏଁ ପହଞ୍ଚିବା ମହିଳା ସ୍ୱାବଲମ୍ବନ ଓ ସଶକ୍ତିକରଣର ଏକ ଜ୍ୱଳନ୍ତ ଉଦାହରଣ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମତ ପ୍ରକାଶ କରିଥିଲେ । ମହିଳାମାନେ ଉଦ୍ୟୋଗୀ ହେବାର ସାହସ ହିଁ ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ସ୍ୱପ୍ନକୁ ସାକାର କରିବାର ଏକ ସୁଦୃଢ ପଦକ୍ଷେପ । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସୁଚିନ୍ତିତ ଯୋଜନା, ସଫଳ କାର୍ଯ୍ୟନ୍ୱୟନ ଏବଂ ଦଳଗତ ପରିଶ୍ରମ ପାଇଁ ଆଇଏଚଏମର ଅଧିକାରୀବୃନ୍ଦ, ବିଚାରକ ଶେଫମଣ୍ଡଳୀ ଓ ମିଶନ ଶକ୍ତି ବିଭାଗର ଅଧିକାରୀ ଓ ସହକାରୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ମିଶନ ଶକ୍ତି ବିଭାଗର କମିଶନର-ତଥା-ସଚିବ ଶାଳିନୀ ପଣ୍ଡିତ, ନିଦେ୍ର୍ଦଶକ ଡଃ ମୋନିକା ପ୍ରିୟଦର୍ଶିନୀ, ଅତିରିକ୍ତ ସଚିବଗଣ ଓ ବିଭାଗୀୟ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । କଟକ, ମୟୁରଭଞ୍ଜ, ଢେଙ୍କାନାଳ, କୋରାପୁଟ, ନୂଆପଡ଼ା, ରାୟଗଡ଼ା, ମାଲକାନଗିରି, ବୌଦ୍ଧ, ନବରଙ୍ଗପୁର ଏବଂ ଜଗତସିଂହପୁର ଜିଲ୍ଲାର ୧୦ଟି ଶ୍ରେଷ୍ଠ ଦଳ ଏହି ଫାଇନାଲ୍ ରେ ଅଂଶଗ୍ରହଣ କରିଥିଲେ ଯେଉଁମାନେ ବ୍ଲକ ଏବଂ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ କରି ଗତ ୨୦ ତାରିଖରେ ଆଇଏଚଏମ ଠାରେ ଆୟୋଜିତ ସେମି-ଫାଇନାଲରେ ବିଜୟ ହାସଲ କରିଥିଲେ । ମାଷ୍ଟରସେଫ୍ ଇଣ୍ଡିଆ ସିଜନ ୬ର ବିଜେତା ସେଫ୍ ଅବିନାଶ ନାୟକ ଏହି ପ୍ରତିଯୋଗିତାର ମୁଖ୍ୟ ବିଚାରକ ଥିଲେ । ମେଫେୟାର ହୋଟେଲ୍ ର କାର୍ଯ୍ୟକାରୀ ସେଫ୍ ସୁରଜ କୁମାର ସାହୁ ଓ ଆଇଏଚଏମ୍ ଭୁବନେଶ୍ୱରର ବିଭାଗୀୟ ମୁଖ୍ୟ ସେଫ୍ ସମ୍ବିତ ସୁମନ ଅନ୍ୟ ବିଚାରକ ଥିଲେ । ଏହି ଅଭିନବ ପ୍ରୟାସ ଆଇଏଚଏମ୍ ଓ ମେଫେୟାର ହୋଟେଲ୍ ର ସହଭାଗିତାରେ ସଫଳ ହୋଇଥିଲା । ଢେଙ୍କାନାଳର ଶ୍ରୀ ଶାକମ୍ବରୀ ସ୍ୱୟଂ ସହାୟକ ଗୋଷ୍ଠୀ, କଟକର ମା’ ଗଡ଼ଚଣ୍ଡୀ ସ୍ୱୟଂ ସହାୟକ ଗୋଷ୍ଠୀ ଓ ମୟୁରଭଞ୍ଜର ମା’ ଧାନ କ୍ଷେତ୍ରପାଳ ସ୍ୱୟଂ ସହାୟକ ଗୋଷ୍ଠୀ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇ ପୁରସ୍କାର ସ୍ୱରୂପ ୨ ଲକ୍ଷ, ୧.୫ ଲକ୍ଷ ଓ ୧ ଲକ୍ଷ ପୁରସ୍କାର ରାଶି ପାଇଥିଲେ ।