ସୁଭଦ୍ରା ଶକ୍ତି ମେଳା : ପ୍ରମୁଖ ଆକର୍ଷଣ ମିଲେଟ ଉତ୍ପାଦ

ସୁଭଦ୍ରା ଶକ୍ତି ମେଳା  : ପ୍ରମୁଖ ଆକର୍ଷଣ ମିଲେଟ ଉତ୍ପାଦ

ଭୁବନେଶ୍ୱର : ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ସୁଭଦ୍ରା ଶକ୍ତି ମେଳାରେ ମିଲେଟ୍‌ ଉତ୍ପାଦ ଦର୍ଶକଙ୍କ ମଧ୍ୟରେ ବେଶ୍‌ ଲୋକପ୍ରିୟ ହେଉଛି । ମିଲେଟ୍‌ ପୋଡ଼ପିଠା, କ୍ଷୀର ଗଜା ଠାରୁ ଆରମ୍ଭ କରି ରାଗି ଲାଡୁ, ମିଲେଟ୍‌ ବିସ୍କୁଟ୍‌, ବାଜରା ଦୋସା ମିକ୍ସ, ଫକ୍ସଟେଲ୍‌ ନୁଡଲ୍ସ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଓ ପୌଷ୍ଟିକ ଖାଦ୍ୟ  ଶିଶୁ ଠାରୁ ବୟସ୍କ ପର୍ଯ୍ୟନ୍ତ ସଭିଙ୍କ ମନ ଜିତୁଛି । ଦର୍ଶକମାନେ ମେଳାରେ ରେଡି-ଟୁ-ଇଟ୍‌ ସ୍ନାକ୍ସ, ବେକେରୀ ବ୍ୟଞ୍ଜନ, ମିକ୍ସଚର୍‌, ପିଠା ଇତ୍ୟାଦି ମାଧ୍ୟମରେ ମିଲେଟ୍‌ର ବିବିଧତାର ଏକ ଝଲକ ପାଉଛନ୍ତି ।

      ସ୍ୱୟଂ ସହାୟକ ଗୋଷ୍ଠୀ ମା' ମାନେ ନିଜ ହାତରେ ପ୍ରସ୍ତୁତ କରିଥିବା ଏହି ମିଲେଟ୍‌ ଉତ୍ପାଦ ଗୁଡ଼ିକ ସମ୍ପୂର୍ଣ୍ଣ ଜୈବିକ ଓ ପ୍ରାକୃତିକ ଗୁଣରେ ଭରପୁର । ଗ୍ରାମାଞ୍ଚଳରେ ଜୈବିକ ପ୍ରଣାଳୀରେ ଚାଷ ହୋଇଥିବା ମିଲେଟ୍‌ଗୁଡ଼ିକୁ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନେ ପାରମ୍ପରିକ ଧାରାରେ ପ୍ରସ୍ତୁତ କରି ନୂଆ ଆକାର ଦେଇଛନ୍ତି, ଯାହା ସ୍ୱାଦିଷ୍ଟ ହେବା ସହିତ ପୁଷ୍ଟିକର । ଏଥିରେ ଥିବା ଫାଇବର୍‌, ପ୍ରୋଟିନ୍‌, ଆଇରନ୍‌, କ୍ୟାଲସିୟମ୍‌ ଓ ଆଣ୍ଟିଅକ୍ସିଡେଣ୍ଟ ଗୁଣ ମଧୁମେହ ନିୟନ୍ତ୍ରଣ, ପାଚନ ଶକ୍ତି ବଢ଼ାଇବା ସହିତ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ସୁପର୍‌ ଗ୍ରେନ୍‌ ବୋଲି ପରିଚିତ ମିଲେଟ୍‌ ଆଜି ସୁସ୍ଥ ଜୀବନ ପାଇଁ ବେଶ୍‌ ଆଦୃତ ହେଉଛି । ସୁନ୍ଦରଗଡ଼, କନ୍ଧମାଳ, ରାୟଗଡ଼ା, କଟକ, ଖୋର୍ଦ୍ଧା ଭଳି ଜିଲ୍ଲାର ମହିଳା ଉଦ୍ୟୋଗୀ ମାନେ  ରାଗି, ଲିଟଲ୍‌ ମିଲେଟ୍‌ ଓ ବାଜରାକୁ ବ୍ୟବହାର କରି ମିଲେଟ୍‌ ପାସ୍ତା, ମିଲେଟ୍‌ କୁକିଜ୍‌, ବିସ୍କଟ୍‌ ଭଳି ନୂଆ ନୂଆ ପ୍ରଡକ୍ଟ ତିଆରି କରୁଛନ୍ତି । ଆଧୁନିକ ବଜାରର ଚାହିଦାକୁ ଦୃଷ୍ଟିରେ ରଖି ୧୩୭ ନଂ ଷ୍ଟଲରେ କଟକ ଜିଲ୍ଲାର ଦୁଲଣପୁର ଉତ୍ପାଦକ ଗୋଷ୍ଠୀ ସଦସ୍ୟା ମିଲେଟ ଚକୋଲେଟ କୁକିଜ୍‌, ମାଣ୍ଡିଆ ମୁଢ଼ି, ଏନର୍ଜି ଚକୋଲେଟ୍‌ ବିକ୍ରି କରି ଗୋଟିଏ ସନ୍ଧ୍ୟାରେ ୫୦ ହଜାରରୁ ଉର୍ଦ୍ଧ୍ୱ ରୋଜଗାର କରିଛନ୍ତି ବୋଲି କହିଛନ୍ତି ଦୁଲଣପୁର ଉତ୍ପାଦକ ଗୋଷ୍ଠୀର ସଦସ୍ୟା ବିଜୟଲକ୍ଷ୍ମୀ ସାହୁ । ବର୍ତ୍ତମାନ ସୁଦ୍ଧା ୨.୨୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ମୋଟ ବିକ୍ରୟ ରେକର୍ଡ କରାଯାଇଛି।