ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ
ଭୁବନେଶ୍ୱର : ଆଜି ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ଜୟଦେବ ଭବନଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇ ଦୁଇ ମହାପୁରୁଷଙ୍କ ଜୀବନାଦର୍ଶ ସଂପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ କି, "ଗୋଟିଏ ଦିନରେ ଦୁଇ ମହାନାୟକ ଜନ୍ମ ନେବା ଏକ ବିରଳ ସଂଯୋଗ । ୧୮୫୭ ମସିହାକୁ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଅବିହିତ କରାଯାଉଥିବାବେଳେ ତା'ର ୩୦ ବର୍ଷ ପୂର୍ବରୁ ସ୍ୱାଧୀନତା ଆନେ୍ଦାଳନର ମୂଳଦୁଆ ପଡିଥିଲା ଓଡ଼ିଶାରେ । ବ୍ରିଟିଶ ଶାସନ ବିରୁଦ୍ଧରେ ସେହି ମହାସଂଗ୍ରାମର କର୍ଣ୍ଣଧାର ଥିଲେ ବୀର ସୁରେନ୍ଦ୍ର ସାଏ । ତାଙ୍କ ସମଗ୍ର ପରିବାର ସ୍ୱାଧୀନତା ଆନେ୍ଦାଳନରେ ଝାସ ଦେଇଥିଲେ । ତାଙ୍କ ପରାକ୍ରମ ଇତିହାସରେ ବିରଳ ବୋଲି ସେ ମତବ୍ୟକ୍ତ କରିଥିଲେ । ସେହିପରି ବ୍ରିଟିଶ ଶାସନର ଅନ୍ୟାୟ, ଅତ୍ୟାଚାର, ଶୋଷଣ ବିରୁଦ୍ଧରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ନିଜର ବ୍ୟକ୍ତିଗତ ସୁଖଶାନ୍ତିକୁ ଜଳାଞ୍ଜଳି ଦେଇ ଜୀବନର ୨୩ ବର୍ଷର କର୍ମମୟ ଜୀବନକୁ ଦେଶମାତୃକାର ସେବାରେ ସମର୍ପଣ କରିଥିଲେ ତାହା ଚିରସ୍ମରଣୀୟ ହୋଇରହିବ ବୋଲି କହିଥିଲେ ।' ଏହି ଅବସରରେ ମୁଖ୍ୟବକ୍ତା ଭାବେ ପୂର୍ବତନ ପ୍ରଶାସକ ତଥା ସାହିତି୍ୟକ ନିରଞ୍ଜନ ସାହୁ ଯୋଗଦେଇ ଉଭୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଦେଶପ୍ରେମ ଓ ଅସୀମ ପରାକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଭାବେ ଶ୍ୟାମ ପ୍ରସାଦ ମୁଖାର୍ଜୀ ଫାଉଣ୍ଡେସନର ସମ୍ପାଦକ ଡ଼ା. ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଉଭୟ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ସଂଗ୍ରାମର ଏକ ତୁଳନାତ୍ମକ ବିବରଣୀ ଦେଇଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ନିଦେ୍ର୍ଦଶକ ସରୋଜ କୁମାର ସାମଲ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଅତିଥିମାନେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ମହାନ ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ନିଦେ୍ର୍ଦଶକ ସୁରେନ୍ଦ୍ରନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ନିଦେ୍ର୍ଦଶକ ସନ୍ତୋଷ କୁମାର ଦାସ, ଉପନିଦେ୍ର୍ଦଶକ ସୁଚେତା ପ୍ରିୟଦର୍ଶିନୀ, ଜୟଦେବ ଭବନ ଉପନିଦେ୍ର୍ଦଶକ ଦିପ୍ତିମୟୀ ମହାପାତ୍ର ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧ ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।