ସୌରଶକ୍ତି ନବୀକରଣୀୟ ଶକ୍ତି ଲକ୍ଷ୍ୟ ପଥରେ ଓଡ଼ିଶା: କନକ
ଭୁବନେଶ୍ୱର : ଉପମୁଖ୍ୟମନ୍ତ୍ରୀ ତଥା କୃଷି ଏବଂ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ନବୀକରଣୀୟ ଶକ୍ତି ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ଭାରତର ପବନ ଶକ୍ତି ଉତ୍ପାଦନର ଇତିହାସ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ରହି ଆସିଛି । ଓଡ଼ିଶା ପବନ ଓ ସୌରଶକ୍ତି ଭଳି ନବୀକରଣୀୟ ଶକ୍ତି ଲକ୍ଷ୍ୟ ପଥରେ ଅଗ୍ରଗତି କରୁଛି । ଏହାର ପ୍ରାକୃତିକ ସମ୍ପଦ, ଲମ୍ବା ଉପକୂଳ ଓ ଅବ୍ୟବହୃତ ଶୂନ୍ୟ ପାହାଡ଼ ଶିଖରର ବ୍ୟବହାର କରି ପବନ ଶକ୍ତି ଉତ୍ପାଦନ କରିବା ଲକ୍ଷ୍ୟ ରଖିଛି । ନିର୍ଭରଯୋଗ୍ୟ ଗ୍ରୀଡ୍ ପାଇଁ ସୌର ଏବଂ ପବନ ଶକ୍ତିର ମିଶ୍ରଣ ଜରୁରୀ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ମତବ୍ୟକ୍ତ କରିଛନ୍ତି । ବୈଠକରେ ଜାତୀୟ ସ୍ତରରେ ନିର୍ଦ୍ଧାରିତ ପ୍ରତିଶ୍ରୁତି ହାସଲ କରିବା ପାଇଁ ଅତ୍ୟାବଶ୍ୟକ ପବନ ଶକ୍ତି ଉତ୍ପାଦନ କ୍ଷମତା ବୃଦ୍ଧି କରିବା, ଉତ୍ପାଦନ ସମ୍ଭାବନା, ଚ୍ୟାଲେଞ୍ଜ ଏବଂ ସମ୍ଭାବ୍ୟ ମାର୍ଗ ବିଷୟରେ ଆଲୋଚନା କରାଯାଇଥିଲା । ବୈଠକରେ ଶକ୍ତି ବିଭାଗ ପ୍ରମୁଖ ସଚିବ ବିଶାଳ କୁମାର ଦେବ, ଗ୍ରୀଡକୋ, ପରିଚାଳନା ନିଦେ୍ର୍ଦଶକ ଡ. ସତ୍ୟପ୍ରିୟ ରଥ, ବିତ୍ତପରାମର୍ଶଦାତା-ତଥା- ସ୍ୱତନ୍ତ୍ର ସଚିବ ଦେବିଦତ୍ତ ତ୍ରିପାଠି, ଅତିରିକ୍ତ ସଚିବ ସାଇଦତ୍ତ ବିପ୍ଳବ କେଶରୀ, ଏଭରେଡି ଦକ୍ଷିଣ ଏସିଆ ବ୍ୟବସାୟ ମୁଖ୍ୟ ଅରିଜିତ ଦାସ, ଜଳସେଚନ ଓ ଜଳସମ୍ପଦ, କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।