ପୋଡ଼ିହୋଇଥିବା ମୋ ପୁଅକୁ ସରକାର ଭୁଲିଗଲେ : ଜ୍ୟୋତିଙ୍କ ବାପା

ଏଫ୍‌ଏମ୍‌ କଲେଜ ଛାତ୍ରୀ ଯେତେବେଳେ ନିଜ ଦେହରେ ନିଆଁ ଲଗାଇଥିଲେ , ହଠାତ୍‌ ସେଠାରୁ କିଛି ଛାତ୍ରଛାତ୍ରୀ ଦୂରକୁ ପଳାଉଥିଲେ । କିନ୍ତୁ ଜଣେ ଛାତ୍ର ଜ୍ୟୋତି ପ୍ରକାଶ ବିଶ୍ୱାଳ ସାହସିକତାର ସହ ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ । ଯାହା ଫଳରେ ସେ ମଧ୍ୟ କିଛି ମାତ୍ରାରେ ପୋଡ଼ି ହୋଇଯାଇଥିଲେ । ସେ ବର୍ତ୍ତମାନ ପର୍ଯ୍ୟନ୍ତ କଟକ ଏସିବି ବର୍ଣ୍ଣ ୱାର୍ଡରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି । କିନ୍ତୁ ଦୁଃଖ ପରିତାପର ବିଷୟ ଯେ ସେହି ଉଦ୍ଧାରକାରୀ ଛାତ୍ରଙ୍କୁ ସମସ୍ତେ ଭୁଲିଗଲେ ।  ବର୍ତ୍ତମାନ ତାଙ୍କ ବାପାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ କହିଛନ୍ତି , ମୋ ପୁଅ ବଞ୍ଚାଇବାକୁ ଯାଇ ତା ’ ହାତ ଦେହ ମୁହଁ ପୋଡ଼ିଯାଇଛି । ଏ ଘଟଣା ଘଟିବାର ୨୦-୨୫ ମିନିଟ୍‌ରେ ଖବର ପାଇଲି । ତାକୁ ପ୍ରଥମେ ବାଲେଶ୍ୱର ଏବଂ ପରେ କଟକ ଏସିବିକୁ ସ୍ଥାନାନ୍ତର କରିଥିଲୁ । ସେ ଆହୁରି ମଧ୍ୟ ଦୁଃଖ ପ୍ରକାଶ କରି କହିଛନ୍ତି , ମୋ ପୁଅ ସମ୍ପୃକ୍ତ ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ନିଜେ ଜଳିଗଲା । ଆମେ ଘର ଛାଡ଼ି ଆସି ମେଡିକାଲରେ ସମସ୍ତେ ଅଛୁ । ସେ ବର୍ଣ୍ଣ ଆଇସିୟୁରେ ଚିକିତ୍ସିତ ହେଉଛି କିନ୍ତୁ ସରକାର  ତାକୁ ଅଣଦେଖା କରୁଛନ୍ତି । ତା ପ୍ରତି ଅବହେଳା କରାଯାଉଛି । ସେ ଝିଅ ତ ସମାଜର ସୁନା ମୁଣ୍ଡା ଥିଲା , ସେ ଆଜି ଚାଲିଗଲା । ଯଦି ଛାତ୍ରୀ ଜଣଙ୍କ ବଞ୍ଚିଥାଆନ୍ତା ତେବେ ଆମେ ସମସ୍ତେ ଖୁସି ହୋଇଥାଆନ୍ତୁ । ସେ ଚାଲିଯିବା ପରେ ପରଦା ପଛରେ ରହିଗଲା ମୋ ପୁଅ । ସରକାରଙ୍କ ତରଫରୁ ଯଦି ଆର୍ଥିକ ସହାୟତା ବା ସହାନଭୂତି ମିଳନ୍ତା ତେବେ ଆଶ୍ୱସ୍ତି ଲାଗନ୍ତା ।