ସଡ଼କ ସୁରକ୍ଷା ସଚେତନା ରଥର ଶୁଭାରମ୍ଭ
କେନ୍ଦୁଝର: କେନ୍ଦୁଝର, ୨ା୧: କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ ଜାତୀୟ ସଡ଼କ ସୁରକ୍ଷା ମାସ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଜନ ସାଧାରଣମାନଙ୍କ ମଧ୍ୟରେ ସଡକ ସୁରକ୍ଷା ସମ୍ପର୍କିତ ସଚେତନତାକୁ ବ୍ୟାପକ କରିବା ପାଇଁ ସଡକ ସୁରକ୍ଷା ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର ଓ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ପତାକା ଦେଖାଇ ଏହି ସଡକ ସୁରକ୍ଷା ରଥର ଉଦ୍ଘାଟନ କରିଥିଲେ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରରୁ ଏହି ସଚେତନତା ରଥ ବାହାରି ଜିଲ୍ଲାର ପ୍ରତି ବ୍ଲକ ବୁଲିବାର କାର୍ଯ୍ୟକ୍ରମ ରହିଛି ବୋଲି ଆଂଚଳିକ ପରିବହନ ଅଧିକାରୀ ଗୋପାଳକୃଷ୍ଣ ଦାସ ପ୍ରକାଶ କରିଛନ୍ତି । ଏହି ଅବସରରେ ଆଂଚଳିକ ପରିବହନ ଅଧିକାରୀ ଗୋପାଳକୃଷ୍ଣ ଦାସ,ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସାର୍ଥକ ରାୟ,ଟ୍ରାଫିକ ଇନ୍ସପେକ୍ଟର ସୁକୁରାମ ସୋରେନ,ସଡକ ସୁରକ୍ଷା ଅଧିକାରୀ ରାଜେଶ କୁମାର ସେଠୀ,ଜିଲ୍ଲା କ୍ରୀଡା ଅଧିକାରୀ ଜିତେନ୍ଦ୍ର ମହାକୁଡ,ଆଂଚଳିକ ପରିବହନ ବିଭାଗର କର୍ମଚାରୀ,ପୋଲିସ କର୍ମଚାରୀ,ଓଡିଶା ମୋଟର କର୍ମଚାରୀ ସଂଘର ସଦସ୍ୟ ଏଥିରେ ସାମିଲ ହୋଇଥିଲେ । ଏହାପରେ କେନ୍ଦୁଝର ସହର ଟେଲିଫୋନ ଏକ୍ସଚେଞ୍ଜ ଛକରେ ପଥପ୍ରାନ୍ତ ନାଟକ ପ୍ରଦର୍ଶିତ କରାଯାଇ ଲୋକମାନଙ୍କୁ ସଚେତନ କରାଯାଇଥିଲା । ବିଶେଷ କରି ଗାଡି ଚାଳନା ବେଳେ ମୋବାଇଲ ଫୋନ ବ୍ୟବହାର,ଦୃତ ଗତିରେ ଗାଡି ଚାଳନା, ଗାଡ଼ି ଚାଳନା ବେଳେ ହେଲମେଟ ନ ପିନ୍ଧିବା ଏବଂ ମଦ୍ୟପାନ କରି ଗାଡି ଚଳାଇବା,୨ ଚକିଆ ଯାନରେ ୩ ଜଣ ବସି ଗାଡି ଚଲାଇବା ଦୁର୍ଘଟଣାର ପ୍ରମୁଖ କାରଣ ହୋଇଥାଏ । ପଥପ୍ରାନ୍ତ ନାଟକ ମାଧ୍ୟମରେ ଏଥିପ୍ରତି ସଚେତନ କରାଯାଇଥିଲା । ଏହାବ୍ୟତୀତ ୪ଟି ବସଷ୍ଟପରେ ସଡକ ସୁରକ୍ଷା ସମ୍ପର୍କିତ ଭିଡିଓ ସୋ ପ୍ରଦର୍ଶିତ କରାଯାଇଥିଲା ।