ଖଣିଜ ପଥରର ମାନ ହ୍ରାସ କରି ବିକ୍ରି ଅଭିଯୋଗ
କେନ୍ଦୁଝର : ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ଆର୍ସେଲର ମତ୍ତଲ କମ୍ପାନୀ ଦ୍ୱାରା ପରିଚାଳିତ ଠାକୁରାଣୀ ଲୌହ ଖଣିରୁ ଉଚ୍ଚମାନର ଲୁହାପଥରକୁ ନିମ୍ନମାନର ପରମିଶନ କରି ବିକ୍ରି କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି । ଏ ନେଇ ଗତ ୨୧ ତାରିଖ ଦିନ ଖଣି ବିଭାଗ ଏବଂ ପୁଲିସ ବିଭାଗ ପକ୍ଷରୁ ମିଳିତ ଭାବେ ଖଣିରୁ ପରିବହନ ହେଉଥିବା ୨ଟି ଟ୍ରକକୁ ଅଟକ ରଖି ଲୁହାପଥର ସାମ୍ପୁଲ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ଏହି ଖଣିରୁ ନିୟମିତ ଭାବେ ଖଣି ବିଭାଗ ଜ୍ଞାତସାରରେ ଗ୍ରେଡ ହେରଫେର ଚାଲିଛି ବୋଲି ବଡବିଲ ସିଭିଲ ସୋସାଇଟିର ଇନ୍ଦ୍ରମଣି ବେହେରା ଅଭିଯୋଗ କରିଛନ୍ତି । ଯୋଡା ଡିଡିସିଏରେ ଏହି ବେଆଇନ କାର୍ଯ୍ୟ ଚାଲିଥିବାରୁ ନିଆଯାଇଥିବା ସାମ୍ପୁଲ ଯାଜପୁରରୋଡ କିମ୍ବା ଭୁବନେଶ୍ୱରରେ ପରୀକ୍ଷା କଲେ ସଠିକ୍ ମାନ ଜଣାପଡିବ ବୋଲି ଶ୍ରୀ ବେହେରା କହିଛନ୍ତି । ସେହିପରି ଠାକୁରାଣୀ ଲୌହ ଖଣିରୁ ଧାର୍ଯ୍ୟ ଅନୁମତି ଠାରୁ ୪/୫ ଟନ୍ ଅଧିକ ଲୁହାପଥର ମଧ୍ୟ ପରିବହନ ହେଉଥିଲେ ହେଁ ଏହାର ଯାଞ୍ଚ ହେଉ ନଥିବାରୁ ସରକାରଙ୍କ ବ୍ୟାପକ ରାଜସ୍ୱ ହାନୀ ହେଉଛି । ଯୋଡା ଖଣିମଣ୍ଡଳରେ ଲୁହାପଥର ଓ ମାଙ୍ଗାନିଜ ଖଣିରେ ଖଣିଜ ପଥରର ମାନ କମ କରି ବିକ୍ରି ଯୋଗୁଁ ସରକାରଙ୍କ ବ୍ୟାପକ ରାଜସ୍ୱହାନୀ ହେଉଛି । ଉପଯୁକ୍ତ ତଦାରଖ ଅଭାବରୁ ବେଧଡକ ଖଣିଜ ପଦାର୍ଥର ମାନ ହେରଫେର ଏବଂ ଖଣି ଚୋରୀ ବଢିବାରେ ଲାଗିଛି । ଫଳରେ ସରକାରଙ୍କ ବ୍ୟାପକ ରାଜସ୍ୱହାନୀ ହେବା ସହ ଲିଜ୍ଧାରୀମାନେ ଲାଭବାନ ହେଉଛନ୍ତି ।
ଏହି କାରବାର ବେଧଡକ ଚାଲିଥିଲେ ହେଁ ରାଜ୍ୟ ସରକାର ରୋକିବା ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାଁନ୍ତି । ଖଣି ନିଲାମ ପୂର୍ବରୁ ଯେଉଁ ଖଣିରେ ଉଚ୍ଚମାନର ଲୁହାପଥର ଏବଂ ମାଙ୍ଗାନିଜ ଥିଲା ଏବେ ସେହି ଖଣିରୁ ବାହାରୁ ଥିବା ଖଣିଜ ପଥର କମ ଗ୍ରେଡର କିପରି ହେଲା ବୋଲି ପ୍ରଶ୍ନ ଉଠୁଛି । ଖଣି ଚୋରା କାରବାର ରୋକିବା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ । ରାଜ୍ୟସ୍ତରରେ ଖଣି ଚୋରୀ ଏବଂ ଗ୍ରେଡ ହେରଫେର ରୋକିବା ପାଇଁ ଏକ ସ୍କ୍ୱାର୍ଡ ଗଠନ ହୋଇଥିଲେ ମଧ୍ୟ ଏହା ସଠିକ୍ ଭାବରେ କାମ କରୁନାହିଁ । ଗ୍ରେଡ ହେରଫେର ଧରାପଡିଲେ ଗାଡି ମାଲିଙ୍କ ଉପରେ ଜରିମାନା କରାଯାଉଛି । ମାନ ହେରଫେର କରୁଥିବା ଲିଜ୍ଧାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଚୋରା କାରବାର ଅବାଧରେ ଚାଲିଛି । ଯୋଡା ସ୍ଥିତ ଡେପୁଟି ଡାଇରେକ୍ଟର କେମିକାଲ ଆନାଲିସିସ ଏବଂ ଲିଜ୍ଧାରୀଙ୍କ ମଧ୍ୟରେ ଅନୈତିକ ବୁଝାମଣା ଦ୍ୱାରା ଖଣି ଗୁଡିକରେ ବ୍ୟାପକ ଗ୍ରେଡ ହେରଫେର ହେଉଛି । ସରକାର ଗ୍ରେଡ ହେରଫେର ଏବଂ ବିଭିନ୍ନ ଉପାୟରେ ଚୋରି କରୁଥିବା ଲିଜ୍ଧାରୀଙ୍କ ଖଣି ଲିଜ୍ ବାତିଲ କରିବା ପରିବର୍ତ୍ତେ ତାଙ୍କୁ ଚୋରି କରିବାକୁ ପର୍ଯ୍ୟାପ୍ତ ସହଯୋଗ କରାଯାଉଛି । ଏଥିରୁ ସ୍ପଷ୍ଟ ଯେ, ଖଣିମାଲିକ ଏବଂ ରାଜ୍ୟ ସରକାରଙ୍କ ସଲାସୁତୁରାରେ ଖଣି ଲୁଟ୍ ହେଉଛି । କେତେକ ଖଣି ମାଲିକ ଚୋରାରେ ଖଣିଜ ପଥର ପରିବହନ କରିବା ପାଇଁ ସ୍ଥାନୀୟ ଲୋକଙ୍କ ଗାଡିକୁ ଖଣିଜ ପଥର ପରିବହନରେ ସାମିଲ ନ କରି ନିଜସ୍ୱ ଗାଡି ବ୍ୟବହାର କରୁଛନ୍ତି । ଫଳରେ ସୁରୁଖୁରରେ ଚୋରା କାରବାର ଚାଲିଛି । କେତେକ ଖଣିରେ ଗୋଟିଏ ଟ୍ରାନଜିଟ ପାସରେ ଏକାଧିକ ଥର ପରିବହନ ହେଉଛି । ଏହାକୁ ରୋକିବା ପାଇଁ ଥିବା ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ସଠିକ ଭାବେ କାମ କରୁନଥିବାରୁ ଚୋରା କାରବାର ଧରା ପଡୁନାହିଁ । ଜିଲ୍ଲାରେ ବ୍ୟାପକ ଖଣିଜ ପଥର ଚୋରି, ଅନୀୟମିତତା ଏବଂ ବେଆଇନ କାରବାର ନେଇ ଅଭିଯୋଗ ହେବା ପରେ ଜଷ୍ଟିସ ସାହା କମିଶନ ତଦନ୍ତ କରି ଅନେକ ଖଣିକୁ ଶହ ଶହ କୋଟି ଜରିମାନା କରିଥିଲେ । ଏହାପରେ ସରକାର ନୂତନ ଖଣି ନୀତି ପ୍ରଣୟନ କରିଥିଲେ । ତେବେ ନୂତନ ଖଣି ନୀତି ପରେ ମଧ୍ୟ ଖଣି ଚୋରି ଆଗଭଳି ଚାଲିଥିବା ଅଭିଯୋଗ ହୋଇଛି ।