ହଟିଲା ଏସିଆ କପ୍ ଅନିଶ୍ଚିତତା: ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ

 ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ଭାରତ-ପାକିସ୍ତାନ ମ୍ୟାଚ୍କୁ ସରକାର ଗ୍ରୀନ ସିଗ୍ନାଲ ଦେଇଛନ୍ତି । ତେବେ କ୍ରୀଡା ମନ୍ତ୍ରଣାଳୟ ସୂତ୍ରରେ କୁହାଯାଇଛି ଯେ, ଭାରତ-ପାକିସ୍ତାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ କ୍ରୀଡା ପ୍ରତିଯୋଗିତା ହୋଇପାରିବ ନାହିଁ । କିନ୍ତୁ ବହୁ ରାଷ୍ଟ୍ରୀୟ ଏସିଆ କପରେ ଭାରତୀୟ କ୍ରିକେଟ ଟିମକୁ ଭାଗ ନେବାକୁ ଅନୁମତି ଦିଆଯାଇଛି ।ଏସିଆ କପର ଗ୍ରୁପ ଷ୍ଟେଜରେ ଭାରତ-ପାକିସ୍ତାନ ୧୪ ତାରିଖରେ ମୁହାଁମୁହିଁ ହେବେ । ଏହାପରେ ଯୋଗ୍ୟତା ଆଧାରରେ ସେପ୍ଟେମ୍ବର ୨୧ ଓ ୨୯ରେ ମଧ୍ୟ ଦୁଇ ଦେଶ ମଧ୍ୟରେ ମୁକାବିଲା ହୋଇପାରେ । ଚଳିତ ବର୍ଷ ଦୁବାଇରେ ଏସିଆ କପ ଆୟୋଜନ ହେବାକୁ ଯାଉଛି । ଏହା ସେପ୍ଟେମ୍ବର ୯ରୁ ଆରମ୍ଭ ହେବ । ମ୍ୟାଚ୍କୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ସରକାରୀ ସୂତ୍ରରେ କୁହାଯାଇଛି ଯେ, “ଦ୍ୱିପାକ୍ଷିକ କ୍ରୀଡା କଥା ବିଚାରକୁ ନେଲେ ଭାରତୀୟ କୌଣସି ବି ପରିସ୍ଥିତିରେ ପାକିସ୍ତାନ ସହ ପ୍ରତିଦ୍ୱନ୍ଦ୍ୱିତା କରିବ ନାହିଁ । ପାକିସ୍ତାନକୁ ମଧ୍ୟ ଭାରତରେ ଖେଳିବାକୁ ଅନୁମତି ଦିଆଯାଇ ପାରିବ ନାହିଁ । ଏସିଆ କପ ଏକ ବହୁ ରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ହୋଇଥିବାରୁ ଭାରତ ଏହି ଟୁର୍ଣ୍ଣାମେଣ୍ଟ ଖେଳିବ । ପାକିସ୍ତାନ ଦ୍ୱିପାକ୍ଷିକ ସିରିଜ ଖେଳିବାକୁ ଭାରତ ମାଟିକୁ ଆସି ପାରିବ ନାହିଁ” ।