ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା
ଭୁବନେଶ୍ୱର, ୭ା୧୧: ଚନ୍ଦ୍ରଶେଖପୁର ଥାନା ଅନ୍ତର୍ଗତ ଏକ ଘରୋଇ କୋଚିଙ୍ଗ ସେଣ୍ଟରରେ କୋଚିଙ୍ଗ ନେଉଥିବା ଜଣେ ଛାତ୍ରୀ ନିଜ ହଷ୍ଟେଲ ରୁମରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ନାମ କଲ୍ୟାଣୀ ସାହୁ (୧୮) ଓ ତାଙ୍କ ଘର ସାଲେପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି । ଆତ୍ମହତ୍ୟା କରିଥିବା ଛାତ୍ରୀ ଜଣଙ୍କ ଯୁକ୍ତ ଦୁଇ ପରେ ମେଡିକାଲ ପାଇଁ ଉକ୍ତ କୋଚିଙ୍ଗ ସେଣ୍ଟରରେ ପାଠ ପଢ଼ୁଥିଲେ । ତେବେ ତାଙ୍କର ଫିଜିକ୍ସରେ ଭଲ ହେଉ ନଥିବାରୁ ସେ କୋଚିଙ୍ଗ ନେବାକୁ ଅମଙ୍ଗ ହେଉଥିବା ତାଙ୍କ ମା’ କହିଛନ୍ତି ।
ସୂଚନା ଯୋଗ୍ୟଯେ, ବୁଧବାର ଦିନ କୋଚିଙ୍ଗ ସେଣ୍ଟରରେ ଫିଜିକ୍ସ ପରୀକ୍ଷା ଥିବା ବେଳେ, ଏଥିରେ କଲ୍ୟାଣୀ ଭଲ କରି ନଥିଲେ । ଯେଉଁ କାରଣରୁ ସେ ମାନସିକ ଭାବେ ଭାଙ୍ଗି ପଡ଼ିଥିବା ତାଙ୍କ ସହପାଠୀମାନେ କହିଛନ୍ତି । ରାତିରେ ସେ ନିଜ ରୁମ ବାହାର ପଟରୁ ବନ୍ଦ କରି ରହିଥିଲେ ସକାଳୁ କବାଟ ନ ଖୋଲିବାରୁ ହଷ୍ଟେଲ ୱାଡେନ ଏନେଇ ଚନ୍ଦ୍ରଶେଖରପୁର ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ହଷ୍ଟେଲ ରୁମର କବାଟ ଭାଙ୍ଗି କଲ୍ୟାଣୀଙ୍କ ଝୁଲନ୍ତା ମୃତ ଦେହକୁ ଜବତ କରିଥିଲା । ଏନେଇ ପରିବାର ଲୋକଙ୍କୁ ଅବଗତ କରାଯିବା ପରେ ପରିବାର ଲୋକେ ପହଞ୍ଚିଥିଲେ । ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି । ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇଛି ।