ହାତୀଙ୍କ ଗତି କାର୍ଯ୍ୟକ୍ରମ

ସାରସକଣା/ବାଙ୍ଗିରିପୋଷି :  ମୟୂରଭଞ୍ଜ ଜିଲ୍ଲା ସ୍ଥିତ ବାଙ୍ଗିରିପୋଷି ଖଇରୀ ରେସର୍ଟ ସଭାଗୃହରେ ଅନୁଷ୍ଠାନିକ ଭାବେ ହାତୀଙ୍କ ଗତି ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଗ୍ରାମ ଅନୁଷ୍ଠାନ ଦ୍ୱାରା ବାଙ୍ଗିରିପୋଷି ବନାଞ୍ଚଳ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଗ୍ରାମ ଅନୁଷ୍ଠାନର ସଭାପତି ସଂଯୁକ୍ତା ବଷା ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥିଭାବେ ପୂର୍ବତନ ବିଧାୟକତଥାଗତ ଶତପଥି ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ସମ୍ମାନୀୟ ଅତିଥିଭାବେ ଧରିତ୍ରୀ ଓ ଓଡିଶା ପୋଷ୍ଟ ଖବରକାଗଜର ସିଈଓ ଆଦ୍ୟାସା ଶତପଥୀ, ମହାରାଣୀ ରଶ୍ମି ରାଜଲକ୍ଷ୍ମୀ ଭଞ୍ଜଦେଓ, ସ୍ୱେଚ୍ଛାସେବୀ ସୈନିକ ଭାନୁମିତ୍ର ଆଚାର୍ଯ୍ୟ ତଥା ବରିଷ୍ଠ ପତ୍ରକାର ସମାଜସେବୀ ବିଭୁଦତ୍ତ ଦାସ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ସେହିପରି ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାପାଇଁ ବାଙ୍ଗିରିପୋଷି ଅଞ୍ଚଳର ଛାତ୍ରଛାତ୍ରୀ, ଗାଁ ଜଙ୍ଗଲ ସୁରକ୍ଷା କମିଟିର ମହିଳାମାନେ, ବନ ସୁରକ୍ଷା ବାହିନୀ କର୍ମୀ, ବୁଦ୍ଧିଜୀବୀ ତଥା ବନବିଭାଗର ରେଞ୍ଜରଙ୍କ ସହିତ ଶତାଧିକ ଲୋକ ଉପସ୍ଥିତ ହୋଇଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯିବା ପରେ ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ପରେ ସଂଗ୍ରାମ ଅନୁଷ୍ଠାନର ସଭାପତି ସଂଯୁକ୍ତା ବଷା ଅନୁଷ୍ଠାନର ଲକ୍ଷ ଓ କାର୍ଯ୍ୟାଧାରା ବାବଦରେ ସୂଚନା ଦେଇଥିଲେ । ସେହିପରି ଉପସ୍ଥିତ ନିମନ୍ତ୍ରିତ ଅତିଥିମାନେ ହାତୀର ସୁରକ୍ଷା ଏବଂ ହାତୀକୁ ସାମାନ୍ୟ ଭାବେ କିପରି ନିୟନ୍ତ୍ରଣ କରିହେବ ସେ ବାବଦରେ ନିଜର ମତ ପ୍ରକାଶ କରିଥିଲେ । ସେହିପରି ଆମେ ଜଙ୍ଗଲ ନଷ୍ଟ କରୁଥିବାରୁ ପରିବେଶ ଆସନ୍ତୁଳନ ହେଉଛି, ଯାହାପାଇଁ ହାତୀଗୁଡିକ ଜନବସତୀ ମୁହାଁ ହେଉଛନ୍ତି ଏବଂ ବିଭିନ୍ନ ସମୟରେ ଦୁର୍ଘଟଣା ଘଟାଉଛନ୍ତି । ଆମେ ଜଙ୍ଗଲ ସୃଷ୍ଟି କଲେ ଏହି ହାତୀ ଙ୍କ ସମସ୍ୟାର ସମାଧାନ ହୋଇପାରିବ ବୋଲି ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ପ୍ରକାଶ କରିଥିଲେ ।