ହୋମ୍ଗାର୍ଡ ଟେଷ୍ଟରେ ସଂଜ୍ଞାହୀନ ପରେ... ଚଳନ୍ତା ଆମ୍ବୁଲାନ୍ସରେ ଯୁବତୀଙ୍କୁ ଗଣଦୁଷ୍କର୍ମ
ବୋଧଗୟା: ହୋମଗାର୍ଡ ଟେଷ୍ଟ ଦେଉଥିଲେ ଆଶାୟୀ ଯୁବତୀ । ଗ୍ରାଉଣ୍ଡ୍ରେ ଚୟନ ପ୍ରକିୟା ଲାଗି ଶାରୀରିକ ପରୀକ୍ଷା କରାଯାଉଥିଲା । ଆଉ ଏହି ସମୟରେ ଯୁବତୀ ଜଣକ ଭାରସାମ୍ୟ ହରାଇ ସଂଜ୍ଞାହୀନ ହୋଇ ପଡ଼ିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ମେଡିକାଲ୍ ନେବାପାଇଁ ପଡ଼ିଆରେ ଆମ୍ବୁଲାନ୍ସ ପହଞ୍ଚôଥିଲା ଏବଂ ଯୁବତୀଙ୍କୁ ମେଡିକାଲ୍ ନେଇ ବାହାରିଥିଲା । କିନ୍ତୁ ଚଳନ୍ତା ଆମ୍ବୁଲାନ୍ସ ଭିତରେ ହିଁ ସଂଜ୍ଞାହୀନ ଥିବା ହୋମଗାର୍ଡ ଆଶାୟୀଙ୍କୁ ଗଣଦୁଷ୍କର୍ମ କରାଯାଇଛି । ଏଭଳି ଘଟଣା ଘଟିଛି ବିହାରର ବୋଧଗୟା ଥାନା ଅଞ୍ଚଳରେ । ସମ୍ପୃକ୍ତ ଯୁବତୀଙ୍କ ଅଭିଯୋଗ କ୍ରମେ ପୁଲିସ୍ ଏକ ମାମଲା ରୁଜୁ କରି ୨ ଘଣ୍ଟା ମଧ୍ୟରେ ସେଇ ଆମ୍ବୁଲାନ୍ସର ଚାଳକ ଓ ଟେକ୍ନିସିଆନଙ୍କୁ ଗିରଫ କରିଛି ।
ଏସ୍ଏସ୍ପି ଆନଙ୍କ କୁମାରଙ୍କ ଅନୁସାରେ ଦୁଷ୍କର୍ମର ଶିକାର ହେବା ପରେ ଯୁବତୀ ଜଣକ ପୁଲିସ୍ ନିକଟରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ମିଳିବାର ୨ ଘଣ୍ଟା ମଧ୍ୟରେ ଆମ୍ବୁଲାନ୍ସ ଚାଳକ ବିନୟ କୁମାର ଏବଂ ଟେକ୍ନିସିଆନ୍ ଅଜିତ କୁମାରଙ୍କୁ ଗିରଫ କରାଯାଇଛି । ବୋଧଗୟା ଏସ୍ଡିପିଓଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଏ ଘଟଣାର ତଦନ୍ତ କରୁଥିବା ଏସ୍ଏସ୍ପି କହିଛନ୍ତି । ତେବେ ଅଭିଯୋଗର ମାତ୍ର ଦୁଇଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାରୁ ସ୍ଥାନୀୟ ଜନତାଙ୍କ ସମେତ ବିଭିନ୍ନ ଲୋକେ ପୁଲିସ୍ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।