ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପାଇବାରୁ ବଞ୍ଚିତ ଚାଷୀ
କୋଣାର୍କ: ନୂଆ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି କଲେ । ଚାଷୀ ମନରେ ନୂଆ ଆଶା ସଂଚାର ହେଲା । ହେଲେ ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଯୋଗୁଁ ଶହ ଶହ ଚାଷୀ ଚଳିତ ରବି ଫସଲର ସରକାରୀ ସର୍ବନିମ୍ନ ସହାୟକ ମୂଲ୍ୟ ନପାଇ ହତାଶ ହୋଇଛନ୍ତି । ନୂଆ ସରକାରଙ୍କ ଦ୍ୱାରା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ଘଟଣା ଚାଷୀଙ୍କ ପାଇଁ ଯେମିତି ଉପହାସ ସଦୃସ ହୋଇଛି । ବିଭିନ୍ନ ସ୍ଥାନରେ ଏବେ ଚାଷୀ ନ୍ୟାୟ ପାଇଁ ଆନେ୍ଦାଳନକୁ ଓହ୍ଲାଇବା ପାଇଁ ଧମକ ଦେଉଛନ୍ତି । ଏମିତି ଏକ ପ୍ରତାରଣାର ଶିକାର ହୋଇଛନ୍ତି କୋଣାର୍କ ଥାନା ଅନ୍ତର୍ଗତ କୁରୁଜଙ୍ଗ ଗ୍ରାମ ପଞ୍ଚାୟତର ଶତାଧିକ ଚାଷୀ । ଶନିବାର ଦିନ ନିକଟସ୍ଥ ଐଶାନେଶ୍ୱର ମହାଦେବଙ୍କ ପୀଠରେ ମା ଜାଗେଶ୍ୱରୀ ସମବାୟ ସମିତି ଅଧିନରେ ତାଲିକାଭୁକ୍ତ ଶତାଧିକ ଚାଷୀଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶରେ ଚାଷୀ ସମବାୟ ସମିତି ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ।
ଏହି ସମବାୟ ସମିତି ଅଧିନରେ ୧୩୭ ଜଣ ଚାଷୀ ଧାନ ବିକ୍ରୟ ପାଇଁ ରେଜିଷ୍ଟ୍ରେସନ କରିଥିବା ବେଳେ, ସମବାୟ ସମିତି ସମ୍ପାଦକ କମ୍ ପରିମାଣର ବିଲ ଥିବା ଚାଷୀଙ୍କ ନାମରେ ଟୋକନ୍ କାଟି ଚଞ୍ଚକତା କରି ଧାନ ବେପାରୀଙ୍କ ଧାନକୁ କ୍ରୟ କରିଥିବା ବେଳେ, ଶତାଧିକ ଚାଷୀ ଟୋକନ ପାଇବାରୁ ବଞ୍ଚିତ ହୋଇ ନିଜ ବର୍ଷକ ଫସଲକୁ ଆନ୍ଧ୍ର ବେପାରୀଙ୍କୁ କ୍ୱିଣ୍ଟାଲ ପିଛା ୧୮ ଶହ ଟଙ୍କାରେ ବିକ୍ରୀ କରିବାକୁ ବାଧ୍ୟ ହୋଇଥିବା ଚାଷୀ ମାନେ କହିଥିଲେ । ଅନ୍ୟ ପକ୍ଷରେ ଏହି ସମିତିରୁ ଧାନ ବିକ୍ରି ପାଇଁ ଟୋକନ ପାଇଥିବା ୨୦ଜଣ ଚାଷୀ ଧାନ ବିକ୍ରୟ ରୁ ବଞ୍ଚôତ ହୋଇଛନ୍ତି । ଏପରିକି ୧୦ଜଣ ଚାଷୀ ଟୋକନ ପାଇ ମିଲରେ ୫୦୦କ୍ୱିଣ୍ଟାଲ ଧାନ ଦେବା ପରେ ଆଖି ସ୍କାନ ନ ହୋଇପାରିବା ଯୋଗୁଁ ଚାଷୀ ମାନେ ସେମାନଙ୍କ ପ୍ରାପ୍ୟ ବାବଦ ୧୫ଲକ୍ଷରୁ ଉର୍ଦ୍ଧ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି । ହତାସର ସମ୍ମୁଖିନ ହୋଇଥିବା ଚାଷୀମାନେ ପୁରୀ ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଅବଗତ କରି ଚାଷୀର ହକ ପାଇଁ ସ୍ଥାନୀୟ ଅଞ୍ଚଳର ଶତାଧିକ ଚାଷୀ ଆନେ୍ଦାଳନକୁ ଓହ୍ଲାଇବେ ବୋଲି କୃଷକ ସଂଗଠନର ସଭାପତି ରବୀନ୍ଦ୍ର ସ୍ୱାଇଁ କହିଛନ୍ତି । ଏହି ସମାବେଶରେ ଚାଷୀ ଜ୍ଞାନ ରଞ୍ଜନ ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ତନ୍ମୟ ଦାଶ, ବାନାମ୍ବର ଜେନା, ଚିତ୍ତରଞ୍ଜନ ସ୍ୱାଇଁ, ସୁକାନ୍ତ ପରିଡା, ଚରଣ ଖଟୋଇ ଓ ବଟକୃଷ୍ଣ ପରିଡାଙ୍କ ସମେତ ଶତାଧିକ ଚାଷୀ ଉପସ୍ଥିତ ଥିଲେ । ଅନ୍ୟପକ୍ଷରେ ଏହି ଏହି ସମବାୟ ସମିତିକୁ ପର୍ଯ୍ୟାୟକ୍ରମେ ୧୬୦୦ କ୍ୱିଣ୍ଟାଲ ଧାନ ସଂଗ୍ରହ ପାଇଁ ଟାର୍ଗେଟ ଆସିଥିଲା । ଚାଷୀଙ୍କ ଅମଳ ଧାନ ପରିମାଣ ଅଧିକ ଥିଲା ଯେଉଁଥିପାଇଁ ଚାଷୀ ମାନେ ଧାନ ବିକ୍ରୟରୁ ବଞ୍ଚôତ ହୋଇଥିବା ସମିତି ସମ୍ପାଦକ କୈବଲ୍ୟ ସେନାପତି କହିଛନ୍ତି ।