୧ରୁ ଗହୀରମଥା ନିଷିଦ୍ଧାଞ୍ଚଳରେ ମାଛଧରା କଟକଣା : ଦୁଇଟି ସ୍ପିଡବୋଟ ଅଚଳ, କଇଁଛ ସୁରକ୍ଷା ନେଇ ପ୍ରଶ୍ନବାଚୀ
ରାଜନଗର, ୨୯ା୧୦ : ଚଳିତ ବର୍ଷ ନଭେମ୍ବର ପହିଲା ଶନିବାର ଠାରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ମାଛ ମାରିବା ପାଇଁ କଟକଣା ଜାରି ହେବ । ଅଲିଭ୍ରିଡ୍ଲେ କଇଁଛଙ୍କ ପ୍ରଜନନକୁ ଦୃଷ୍ଟିରେ ରଖି ବନବିଭାଗ ପକ୍ଷରୁ ଏହି ସମୟରେ ମାଛ ମାରିବା ଉପରେ ନିଷେଧ କରାଯିବ । ଉପକୂଳରୁ ସମୁଦ୍ର ଭିତରକୁ ୨୦କିଲୋମିଟର ଏବଂ ଧାମରା ମୁହାଁଣରୁ ମହାନଦୀ ମୁହାଁଣ ପର୍ଯ୍ୟନ୍ତ ଘୋଷିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ । ଅଲିଭ୍ରିଡ୍ଲେ କଇଁଛ ସୁଦୁର ଶ୍ରୀଲଙ୍କା, ପ୍ରଶାନ୍ତ ମହାସାଗର, କୋଷ୍ଟାରିକା ଅଞ୍ଚଳରୁ ନିଜର ବଂଶବିସ୍ତାର କରିବା ପାଇଁ ହଜାର ହଜାର କି.ମି.ସାମୁଦ୍ରିକ ପଥ ଅତିକ୍ରମକରି ଏଠାକୁ ଆସିଥାନ୍ତି । ଏମାନେ ମୁଖ୍ୟତଃ ବାବୁବାଲି, ନାଶୀ, ଅଗରନାଶୀ, ଏକକୂଳା, ଚିଚିଂରୀମୁହାଁଣ, ସାତଭାୟା ପ୍ରଭ୍ରୁତି ସ୍ଥାନରେ ଅଣ୍ଡା ଦେଇଥାନ୍ତି । ଅଲିଭରିଡଲେ କଇଁଛ ଗହୀରମଥାକୁ ଆସିଲେ ଅଧିକ ପରିମାଣରେ ମାଛ ଉପଲବ୍ଧ ହୋଇଥାନ୍ତି । ଜେଲିଫିସ ମାଛ ଯାଆଁଳକୁ ଖାଇଦେଇଥାଏ । ଅଲିଭରିଡଲେ କଇଁଛ ଜେଲିଫିସକୁ ଖାଇ ମାଛ ବୃଦ୍ଧିରେ ସହାୟକ ହୋଇଥାଏ । ଗହୀରମଥାରେ ଏହି ସମୟରେ ପ୍ରଚୁର ପରିମାଣରେ ମାଛ ମିଳୁଥିବାରୁ ଟ୍ରଲର ମାଲିକମାନେ ନିଷିଦ୍ଧାଞ୍ଚଳରେ ପ୍ରବେଶ କରି ମାଛ ମାରିବା ସହିତ ଅଲିଭରିଡଲେ କଇଁଛର ମୃତ୍ୟୁର ସୈ÷ାଦାଗର ସାଜିଥାନ୍ତି । ଅଲିଭରିଡଲେ କଇଁଛର ସୁରକ୍ଷା ପାଇଁ ବନବିଭାଗ ସହିତ କୋଷ୍ଟଗାର୍ଡ,ମେରାଇନ୍ ପୁଲିସ ଓ ମତ୍ସ୍ୟବିଭାଗ ସହିତ ମିଳିତ ପାଟ୍ରୋଲିଂ କରିବାକୁ ଦାୟିତ୍ୱ ଦିଆଯାଇଥିବା ବେଳେ ବନବିଭାଗକୁ ବାଦ ଦେଲେ ଅନ୍ୟ ବିଭାଗଗୁଡିକ କେବଳ କାଗଜକଲମରେ ପାଟ୍ରୋଲିଂ କରିଥାନ୍ତି ବୋଲି ଅଭିଯୋଗ ହେଉଛି । ଅନେକ ସମୟରେ ଗହୀରମଥା ରକ୍ତ ରଂଜିତ ହୋଇଛି । କେତେବେଳେ ବନବିଭାଗ ଗୁଳିରେ ସାଧାରଣ ମତ୍ସ୍ୟଜିବୀଟି ପ୍ରାଣ ହରାଇଛି ତ, ଅନ୍ୟ କେତେବେଳେ ଟ୍ରଲର ମାଫିଆଙ୍କ ଆକ୍ରମଣରେ ଶ୍ୟାମ ସିଂଙ୍କ ଭଳି କର୍ତ୍ତବ୍ୟରତ ଫରେଷ୍ଟ ଗାର୍ଡଙ୍କ ଜୀବନ ଦୀପ ଲିଭିଯାଇଛି । ଖାଲି ସେତିକି ନୁହେଁ, ପାଟ୍ରୋଲିଂରେ ଯାଉଥିବା ବନକର୍ମଚାରୀଙ୍କ ବୋଟକୁ ଟ୍ରଲରଗୁଡିକ ଘେରୀ ଯାଇ ମିଳିତ ଆକ୍ରମଣ କରି ବୁଡାଇ ଦେବାକୁ ଉଦ୍ୟମ କରିଛନ୍ତି । ସମସ୍ତ ବିଭାଗ ମିଳିତ ଭାବେ ପାଟ୍ରୋଲିଂ କଲେ ଗହୀରମଥା ସୁରକ୍ଷିତ ରହି ପାରିବ ବୋଲି ପରିବେଶବିତମାନେ ମତବ୍ୟକ୍ତ କରିଛନ୍ତି । ଗହୀରମଥାର ସୁରକ୍ଷା ପାଇଁ ବର୍ଷ ତମାମ ଧାମରା ମୁହାଁଣରୁ ଦେବୀ ମୁହାଁଣ ପର୍ଯ୍ୟନ୍ତ ଓ ଉପକୂଳରୁ ସମୁଦ୍ର ଭିତରକୁ ୨୦ କି.ମି. ଯାଏଁ ୧୪୩୭ବର୍ଗକିଲୋମିଟର କଟକଣା ଜାରି ରହିଥାଏ । ନଭେମ୍ବର ପ୍ରଥମ ସପ୍ତାହରୁ ଅଲିଭରିଡଲେ କଇଁଛ ଗହୀରମଥାକୁ ଆସିବା ଓ ଅଣ୍ଡାଦାନ କରି ଫେରିବା ପର୍ଯ୍ୟନ୍ତ ମେ ମାସ ୩୧ତାରିଖ କଟକଣାକୁ କଡାକଡି କରାଯାଇଥାଏ । ଚଳିତବର୍ଷ ଅଲିଭରିଡଲେଙ୍କ ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ କରାଯାଉଥିବା କ୍ୟାମ୍ପଗୁଡିକୁ ପ୍ରସ୍ତୁତ କରାଯାଉଛି । ଅଲିଭ୍ରିଡ୍ଲେ କଇଁଛକୁ ମାଛମାଫିଆଙ୍କ କବଳରୁ ରକ୍ଷା କରିବା ସହ ଗହୀରମଥାରେ ବେଆଇନ୍ ଟ୍ରଲର ଚଳାଚଳ ଉପରେ ଅଙ୍କୁଶ ଲଗାଇବା ପାଇଁ ବନବିଭାଗ ସମେତ କୋଷ୍ଟଗାର୍ଡ,ମେରାଇନ୍ ପୋଲିସ ଓ ମତ୍ସ୍ୟବିଭାଗ ସହିତ ମିଳିତ ପାଟ୍ରୋଲିଂ କରାଯିବ ବୋଲି ବନଖଣ୍ଡ ଅଧିକାରୀ ଭରଦରାଜ ଗାଓଁକର ସୂଚନା ଦେଇଛନ୍ତି । ସୂଚନା ଥାଉକି, ୧୯୯୭ ମସିହାରୁ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଘୋଷଣା ହୋଇଥିବା ବେଳେ ରାଜନଗର ବନଖଣ୍ଡ ଅଧିନରେ ଏହା ରହିଛି । ଜଣେ ରେଂଜ ଅଫିସର ଏହାର ଦାୟିତ୍ୱରେ ଅଛନ୍ତି । ୩ଟି ସ୍ପିଡ୍ ବୋଟ ମଧ୍ୟରୁ କେବଳ ଅଲିଭିୟା ବୋଟଟି ସଜଡା ଯାଇଛି । ଅନ୍ୟ ଦୁଇଟି ସ୍ପିଡ୍ ବୋଟ ଅଚଳ ହୋଇ ପଡିରହିଛି । ଏନେଇ ସହକାରୀ ବନସଂରକ୍ଷକ ମାନସକୁମାର ଦାସଙ୍କୁ ପଚାରିବାରୁ ପାଟ୍ରୋଲିଂକୁ କଡାକଡି କରିବା ପାଇଁ ଧାମରା ପୋର୍ଟ କର୍ତୁପକ୍ଷ ବନବିଭାଗକୁଏକ ବୋଟ ଯୋଗାଇଦେବ । ଏହାବ୍ୟତୀତ ଆଉ ଦୁଇଟି ବୋଟ ଭଡାରେ ଅଣାଯିବ ବୋଲି ନିଷ୍ପତ୍ତି କରାଯାଇଛି ବୋଲି କହିଛନ୍ତି ।