୧୦ରେ ଲଘୁଚାପ : ୧୧ ଯାଏଁ ବର୍ଷା କାଚିବ : ପ୍ରବଳ ବର୍ଷାରେ ରାଜଧାନୀ ବେହାଲ୍
ଭୁବନେଶ୍ୱର : ଆସନ୍ତା ଅକ୍ଟୋବର ୧୦ ସୁଦ୍ଧା ଉତ୍ତର ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ରହିଛି । ସେପଟେ ଉତ୍ତର ଉପକୂଳ ଓଡ଼ିଶାରୁ ପୂର୍ବ ତେଲେଙ୍ଗାନା ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶା, ଦକ୍ଷିଣ ଛତିଶଗଡ଼ ଦେଇ ସମୁଦ୍ର ପତନ ଠାରୁ ଦେଢ଼ କିଲୋମିଟର ଉଚ୍ଚରେ ଥିବା ଏକ ଟ୍ରଫ୍ କମ୍ ଚିହ୍ନିତ ହୋଇଛି । ଅପରପକ୍ଷରେ ଆସନ୍ତା ୧୧ ଯାଏଁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ଆସନ୍ତାକାଲି ଉପକୂଳ ଓଡ଼ିଶା ଓ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାର କିଛି ସ୍ଥାନରେ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ଝଟକା ପବନ ବହିବାର ସମ୍ଭାବନା ଅଛି । ଏହାଛଡ଼ା ଯାଜପୁର, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ଝଟକା ପବନ ବହିବ । ସେହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରିହୋଇଛି ।