ବର୍ଷାରେ ଉବୁଟୁବୁ ଗୋବର୍ଦ୍ଧନ ମେହେର ଗଳି

 ନୂଆପଡା : ନୂଆପଡ଼ା ଜିଲ୍ଲା ସିନାପାଲି ସହର ଛଗନ୍ନାଥ ଛକ ନିକଟ ଗୋବର୍ଦ୍ଧନ ମେହେର ଗଳି ରାସ୍ତାରେ ଜମି ରହିଛି ଆଣ୍ଠୁଏ ଉଚ୍ଚର ବର୍ଷା ପାଣି । ଯାହାଫଳରେ ଯାତାୟତ ପାଇଁ  ସାହିବାସନ୍ଦା ନାନାଦି ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି । କ୍ଷୀରଧର ମେହେର ଘର ଠାରୁ  କେଜି ମେହେର ଘର ପର୍ଯ୍ୟନ୍ତ ବର୍ଷା ପାଣି ଲହଡ଼ି ଭାଙ୍ଗୁଛି ।୨୦ଟି ପରିବାର ରହୁଥିବା ଏହି ପଡାରେ ୧୫ ବର୍ଷ ହେଲା ରାସ୍ତା ଖରାପ ହୋଇପଡିଛି । ରାସ୍ତାକାମ ନେଇ ପ୍ରଶାସନ ଏବଂ ନେତାଙ୍କୁ ବାରମ୍ବାର ଅଭିଯୋଗ କଲେ ବି କିଛି ସୁଫଳ ମିଳୁନାହିଁ । ପଡାର ସ୍କୁଲ ପିଲାଠୁ ବୁଢ଼ାବୁଢ଼ି ପର୍ଯ୍ୟନ୍ତ ସମସ୍ତେ ବହୁ କଷ୍ଟରେ ଯିବା ଆସିବା କରୁଛନ୍ତି । ଭଙ୍ଗା ଦଦରା କଂକ୍ରିଟ ମାଟି ରାସ୍ତାରେ ବର୍ଷ ତମାମ ଯାତାୟତ ଦୁର୍ଦ୍ଦଶା ଭୋଗୁଥିବା ବେଳେ ବର୍ଷା ମାସରେ ସମସ୍ୟା ଦୁଇ ଗୁଣ ହୋଇଯାଏ । ହେଲେ ଆଜି ଯାଏ ପ୍ରଶାସନର ନଜର ନ ପଡ଼ିବା ଦୁର୍ଭାଗ୍ୟଜନକ ବିଷୟ । ରାସ୍ତାରେ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ବର୍ଷା ପାଣି ଘର ଭିତରକୁ ପଶୁଛି । ଯାହାଫଳରେ ଅନେକ ସମୟରେ ଘରର ଆବାସପତ୍ର ଭିଜି ନଷ୍ଟ ହେଉଛି । ଏଥିପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟି ଦେଇ ରାସ୍ତାବସ୍ଥା ସୁଧାରିବା ସହ ଡ୍ରେନେଜ ବ୍ୟବସ୍ଥା କରିବାକୁ ସୁରେଶ ମେହେର, ଗୋବର୍ଦ୍ଧନ ମେହେର, ପ୍ରମୋଦ ମେହେର, ପ୍ରଦୀପ ମେହେର, ଭୂପେନ୍ଦ୍ର ମେହେର, ଦୟା ମେହେର, କୁନୁ ମେହେର ସୁଜନ ମେହେର, କୃତିବାସ ମେହେର, ପ୍ରକାଶ ମେହେର ପ୍ରମୁଖ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।